ମୁଖ୍ୟ ଖବର
ମୁମ୍ବାଇ: ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ଦଳ (ATS) ଏକ ବଡ଼ଧରଣର ଅପରେସନ ଠାଣେ ଜିଲ୍ଲାରୁ ଜଣେ ୱାଣ୍ଟେଡ୍ ନକ୍ସଲ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତଙ୍କ ମୁଣ୍ଡରେ ଝାରଖଣ୍ଡ ସରକାରଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ଏହି କାର୍ଷାଳୟର ସୂଚନା ମୁତାବକ, ଅଭିଯୁକ୍ତକୁ ଡୋମ୍ବିଭଲି ଅଞ୍ଚଳର ଠାକୁର୍ଲି ଏଞ୍ଚଳରୁ କାବୁ କରାଯାଇଛି । ଗିରଫ ହୋଇଥିବା ନକ୍ସଲର ନାମ ସଞ୍ଜୟ ସରୋଜ ଯାଦବ ଓରଫ୍ ସଞ୍ଜୟ ଗୋଦରେ ଓରଫ୍ ବୁଧରାମ ବୋଲି ଜଣାପଡ଼ିଛି । ତାଙ୍କର ବୟସ ପ୍ରାୟ ୪୫ ବର୍ଷ ହେବ ବୋଲି ଆକଳନ କରାଯାଇଛି । ସେ ମୂଳତଃ ଝାଡ଼ଖଣ୍ଡର ଜଙ୍ଗଲ ଅଞ୍ଚଳର ବାସିନ୍ଦା । ଝାଡ଼ଖଣ୍ଡରେ ତାଙ୍କ ବିରୋଧରେ ଅନେକ ମାମଲା ରହିଥିବାବେଳେ ରାଜ୍ୟ ସରକାର ତାଙ୍କୁ ଧରିବା ପାଇଁ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ।
ସୂଚନା ଅନୁଯାୟୀ, ମହାରାଷ୍ଟ୍ର ଏଟିଏସ୍କୁ ଗୁପ୍ତ ସୂତ୍ରରୁ ଖବର ମିଳିଥିଲା ଯେ ଏହି କୁଖ୍ୟାତ ନକ୍ସଲ୍ ଠାଣେ ଜିଲ୍ଲାର ଡୋମ୍ବିଭଲି ସ୍ଥିତ ଠାକୁର୍ଲି ଅଞ୍ଚଳରେ ଲୁଚି ରହିଛି । ଏହି ସୂଚନାକୁ ଆଧାର କରି ଏଟିଏସ୍ ଟିମ୍ ତୁରନ୍ତ ସେହି ଅଞ୍ଚଳରେ ଚଢ଼ଉ କରି ତାଙ୍କୁ କାବୁ କରିଥିଲା । ପ୍ରାଥମିକ ତରଫରୁ ଜଣାପଡ଼ିଛି ଯେ, ସେ ଗତ ୧୦ ଦିନ ହେବ ଠାକୁର୍ଲିରେ ଆଶ୍ରୟ ନେଇ ରହୁଥିଲେ । ସେ ଏଠାକୁ କେବେ ଏବଂ କାହା ସଂସ୍ପର୍ଶରେ ଆସି ଆସିଥିଲେ, ସେନେଇ ଏବେ ଗଭୀର ତଥ୍ୟ ସଂଗ୍ରହ କରାଯାଉଛି । ସେ ଏଠାରେ ଏକାକୀ ରହୁଥିଲେ କିମ୍ବା କାହାର ସହାୟତା ନେଇଥିଲେ, ତାହାର ମଧ୍ୟ ତଦନ୍ତ ଚାଲିଛି ।
ସଞ୍ଜୟ ଯାଦବଙ୍କ ଗିରଫ ହେବା ପରେ ମହାରାଷ୍ଟ୍ର ଏଟିଏସ୍ ତାଙ୍କୁ ଘନଘନ ଜେରା କରୁଛି । ଝାଡ଼ଖଣ୍ଡ ଛାଡ଼ି ସେ କାହିଁକି ମହାରାଷ୍ଟ୍ର ଆସିଲେ ଏବଂ ଠାକୁର୍ଲିରେ ରହିବାର ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା, ତାହା ବର୍ତ୍ତମାନ ଏଜେନ୍ସି ପାଇଁ ମୁଖ୍ୟ ପ୍ରଶ୍ନ ପାଲଟିଛି । ଏହାଛଡ଼ା, ସେ ମହାରାଷ୍ଟ୍ରରେ କୌଣସି ନକ୍ସଲ କାର୍ଯ୍ୟକଳାପ କିମ୍ବା ଅନ୍ୟ କୌଣସି ବିପଦଜନକ ଯୋଜନାରେ ସାମିଲ ଥିଲେ କି ନାହିଁ, ସେନେଇ ମଧ୍ୟ ଖୋଳତାଡ଼ ଜାରି ରହିଛି । ତାଙ୍କର ସ୍ଥାନୀୟ ଯୋଗାଯୋଗ ଏବଂ ଗତ କିଛି ଦିନର ଗତିବିଧିକୁ ନେଇ ଏଟିଏସ୍ ଏବେ ବ୍ୟାପକ ତଦନ୍ତ ଚଳାଇଛି ।
Comments ସମସ୍ତ ମତାମତ