Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    "ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋମାନେ ଓଡ଼ିଶାର ବିକେନ୍ଦ୍ରୀକୃତ ଦକ୍ଷତା ଶାସନକୁ ସୁଦୃଢ଼ କରୁଛନ୍ତି": ସମ୍ପଦ ସ୍ବାଇଁ

    Share on :
    ajab-Image
    Date: Jan 20, 2026    Views: 3509

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍ କାର୍ଯ୍ୟକ୍ରମର ତୃତୀୟ ଏକାଡେମିକ ଫୋରମ୍ ଭୁବନେଶ୍ୱରସ୍ଥିତ 'ୱାର୍ଲ୍ଡ ସ୍କିଲ୍ ସେଣ୍ଟର' ଠାରେ ଉଦଘାଟିତ ହୋଇଯାଇଛି । ଏହାକୁ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଉଦଘାଟନ କରିଛନ୍ତି । ୨୦୨୪ ଜୁଲାଇ ମାସରେ ଆରମ୍ଭ ହୋଇଥିବା ଏହି ଫେଲୋସିପ୍ କାର୍ଯ୍ୟକ୍ରମ ଜିଲ୍ଲାସ୍ତରରେ ଯୁବ ପେଶାଦାରମାନଙ୍କୁ ନିୟୋଜିତ କରି ବିକେନ୍ଦ୍ରୀକୃତ ଦକ୍ଷତା ଶାସନ ପ୍ରକ୍ରିୟାକୁ ଅଧିକ ଶକ୍ତିଶାଳୀ କରିଥିବା ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି । ଏହା ସରକାରୀ ନୀତି ଏବଂ ଏହାର କାର୍ଯ୍ୟକାରିତା ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବାରେ ସହାୟକ ହୋଇଛି। ସ୍ଥାନୀୟ ଆବଶ୍ୟକତା ଏବଂ ଶିଳ୍ପ କ୍ଷେତ୍ରର ଚାହିଦା ଅନୁଯାୟୀ ଜିଲ୍ଲାଭିତ୍ତିକ ଦକ୍ଷତା ସମାଧାନ ପାଇଁ ଫେଲୋମାନଙ୍କର ଅଭିନବ କ୍ଷେତ୍ରସ୍ତରୀୟ ପଦକ୍ଷେପ ଏବଂ ଅବଦାନକୁ ସେ ପ୍ରଶଂସା କରିଥିଲେ।

    ୨୦୩୬ ମସିହାରେ ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ଅବସରରେ 'ବିକଶିତ ଓଡ଼ିଶା' ଗଠନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହା ମୂଳତଃ ମାନବ ସମ୍ବଳ ବିକାଶ ଉପରେ ଆଧାରିତ । ଏହି ଯାତ୍ରାରେ ଦକ୍ଷତା ବିକାଶ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାକୁ ହେଲେ, ପ୍ରତ୍ୟେକ ଯୁବକଙ୍କ ପାଖରେ ଦକ୍ଷତା ବିକାଶ, ନିଯୁକ୍ତି ଏବଂ ନିରନ୍ତର ଅଭିବୃଦ୍ଧିର ସୁଯୋଗ ରହିବା ଆବଶ୍ୟକ । କେବଳ ଯୋଜନା ଏବଂ ଭିତ୍ତିଭୂମି ଦ୍ୱାରା ଏହି ପରିବର୍ତ୍ତନ ସମ୍ଭବ ନୁହେଁ । ଏଥିପାଇଁ ପ୍ରତିବଦ୍ଧ ପେଶାଦାରମାନଙ୍କ ଆବଶ୍ୟକତା ରହିଛି, ଯେଉଁମାନେ ସ୍ପଷ୍ଟ ଲକ୍ଷ୍ୟ ନେଇ କ୍ଷେତ୍ରସ୍ତରରେ କାର୍ଯ୍ୟ କରିବେ ।

    ୨୦୩୬ ସୁଦ୍ଧା "ବିକଶିତ ଓଡ଼ିଶା" ଗଠନର ସ୍ୱପ୍ନକୁ ଦୋହରାଇ ମନ୍ତ୍ରୀ ଫେଲୋମାନଙ୍କୁ ଭବିଷ୍ୟତ-ଉପଯୋଗୀ ଦକ୍ଷତା ବିକାଶ, ସାମଗ୍ରିକ ଅଭିବୃଦ୍ଧି ସହିତ ସ୍ଥାନୀୟ ଅର୍ଥନୈତିକ ବିକାଶ ସହ ସମନ୍ୱୟ ରକ୍ଷା କରିବାକୁ ଆହ୍ୱାନ ଦେଇଥିଲେ।

    ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ତଥା ବିଶ୍ବ ଦକ୍ଷତା କେନ୍ଦ୍ରର ସିଓଓ ପିନାକୀ ପଟ୍ଟନାୟକ, ଟାଟା ଷ୍ଟ୍ରାଇଭର ସିଓଓ ଅମେୟ ବଞ୍ଜାରୀ ଏବଂ ଆଇଏସବି, ହାଇଦ୍ରାବାଦର ବରିଷ୍ଠ ନିର୍ଦ୍ଦେଶକ ଡି.ଏନ.ଭି. କୁମାର ଗୁରୁଙ୍କ ସମେତ ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋମାନେ ଯୋଗ ଦେଇଥିଲେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook