ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ। ମିଳିଥିବା ଖବର ଅନୁସାରେ ମୁମ୍ବାଇ ଟ୍ରାଫିକ ପୁଲିସ କଣ୍ଟ୍ରୋଲ ରୁମକୁ ଏନେଇ ଏକ ମେସେଜ ଆସିଛି। ମେସେଜ ପଠାଇଥିବା ବ୍ୟକ୍ତି ୨ କୋଟି ଟଙ୍କା ଦାବି କରିଛି। ଯଦି ଟଙ୍କା ନମିଳେ, ତେବେ ସଲମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛି।ମଙ୍ଗଳବାର ମୁମ୍ବାଇ ଟ୍ରାଫିକ ପୁଲିସର କଣ୍ଟ୍ରୋଲ ରୁମକୁ ଏହି ମେସେଜ ଆସିଥିଲା। ଯେଉଁଥିରେ ଜଣେ ଅଜ୍ଞାତ ବ୍ୟକ୍ତି ଧମକ ଦେଇଥିବା କୁହାଯାଉଛି। ଜଣେ ଅଧିକାରୀ କହିଛନ୍ତି ଯେ ବାର୍ତ୍ତା ପଠାଇଥିବା ବ୍ୟକ୍ତି ଏହା ମଧ୍ୟ କହିଛି, ଯଦି ୨ କୋଟି ଟଙ୍କା ନମିଳେ ତେବେ ସେ ସଲମାନ ଖାନଙ୍କୁ ହତ୍ୟା କରିଦେବ। ଏହି ଧମକପୂର୍ଣ୍ଣ ମେସେଜ ମିଳିବା ପରେ ମୁମ୍ବାଇର ୱର୍ଲି ଥାନାରେ ଏକ ମାମଲା ରୁଜୁ ହୋଇଛି ଏବଂ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।ପ୍ରକାଶ ଥାଉ, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଠାରୁ ସଲମାନ ଖାନଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ ମିଳୁଛି। ନିକଟରେ ସଲମାନ ଖାନଙ୍କ ଅତି ଘନିଷ୍ଠ ବନ୍ଧୁ ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବିଷ୍ଣୋଇ ଗ୍ୟାଙ୍ଗ ଏହାର ଦୋଷ ନିଜ ମୁଣ୍ଡକୁ ନେଇଛି।
Comments ସମସ୍ତ ମତାମତ