ମୁଖ୍ୟ ଖବର
ସାକ୍ଷୀଗୋପାଳ, : ଆଜି ପବିତ୍ର ଅଁଳା ନବମୀ । ଶ୍ରୀରାଧାପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଜମିଛି ଭିଡ଼ । ରାତି ଗୋଟାଏରୁ ଆରମ୍ଭ ହୋଇଛି ମାଆଙ୍କ ଦର୍ଶନ । ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ରାଧାରାଣୀ । ନଟବର ବେଶରେ ଦର୍ଶନ ଦେଉଛନ୍ତି ପ୍ରଭୁ ସାକ୍ଷୀଗୋପାଳ ।
ସେବାୟତ ପରମ୍ପରା ଅନୁସାରେ, ସେବାୟତ ପରିବାରର ଜଣେ ଝିଅ ମା' ରାଧାଙ୍କ ସ୍ୱରୂପ ଧାରଣ କରିଛନ୍ତି । ହରିବୋଲ ହୁଳହୁଳି ଧ୍ବନୀରେ ପ୍ରକମ୍ପିତ ହେଉଛି ପରିବେଶ । ବର୍ଷକୁ ଥରେ ମାତ୍ର ଶ୍ରୀରାଧାଙ୍କ ପାଦ ଦର୍ଶନ ମିଳୁଥିବାରୁ ଏହି ଦୁର୍ଲଭ ଦର୍ଶନକୁ ଅତ୍ୟନ୍ତ ପୁଣ୍ୟପ୍ରଦ ବୋଲି ଭକ୍ତମାନେ ବିଶ୍ୱାସ କରନ୍ତି । ଏଥିପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତ ସହ ପଡ଼ୋଶୀ ରାଜ୍ୟରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି।
ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଏବଂ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍ ଓ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା ହୋଇଛି । ସ୍ଥାନୀୟ ଚନ୍ଦନ ପୋଖରୀ ନିକଟରୁ ଆରମ୍ଭ ହୋଇଛି ଧାଡ଼ି ଦର୍ଶନ । ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ନିଜେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ସ୍ଥିତି ଅନୁଧ୍ୟାନ କରିଛନ୍ତି ।
Comments ସମସ୍ତ ମତାମତ