Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରୁଷ୍-ୟୁକ୍ରେନ ଶାନ୍ତି କଥାବାର୍ତ୍ତା ଆରମ୍ଭ

    Share on :
    ajab-Image
    Date: Nov 11, 2026    Views: 2489

    ଆବୁଧାବି: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ରାଜଧାନୀ ଆବୁଧାବିରେ ରୁଷ୍ ଓ ୟୁକ୍ରେନ ଯୁଦ୍ଧର ସମାଧାନ ପାଇଁ ଉଭୟ ପକ୍ଷ ମଧ୍ୟରେ ଶାନ୍ତି କଥାବାର୍ତ୍ତା ଆରମ୍ଭ ହୋଇଛି। ମଙ୍ଗଳବାର ଆରମ୍ଭ ହୋଇଥିବା ଶାନ୍ତି କଥାବାର୍ତ୍ତାରେ ଉଭୟ ଦେଶର ଉଚ୍ଚସ୍ତରୀୟ ଅଧିକାରୀମାନେ ସାମିଲ ହୋଇଛନ୍ତି। ଏହି ଶାନ୍ତି କଥାବାର୍ତ୍ତାରେ ଆମେରିକା ମଧ୍ୟସ୍ଥତା କରୁଛି। ଗତ ଫେବୃଆରୀରେ ଆମେରିକା ମଧ୍ୟସ୍ଥତାରେ ଦୁଇ ଦେଶ ମଧ୍ୟରେ ଶାନ୍ତି କଥାବାର୍ତ୍ତା ବିଫଳ ହୋଇଥିଲା। ଏହି ବିଫଳତା ପରେ ଆମେରିକା ମଧ୍ୟସ୍ଥତାରେ ପୁଣି ଥରେ ଶାନ୍ତି କଥାବାର୍ତ୍ତା ଆରମ୍ଭ ହୋଇଛି। ବୁଧବାର ପର୍ଯ୍ୟନ୍ତ ଏହା ଚାଲିବ। ଏହି କଥାବାର୍ତ୍ତାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିନିଧି ଭାବେ ଷ୍ଟିଭ୍ ୱିଟକଫ୍‌ ଓ ଜାରେଡ କୁସନର ଉପସ୍ଥିତ ରହିଛନ୍ତି। ଭାରତ ମଧ୍ୟ ଏହି ଶାନ୍ତି କଥାବାର୍ତ୍ତାରେ ସକ୍ରିୟ ସହଯୋଗ କରୁଛି। ମଙ୍ଗଳବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ ଦୁଇ ଦେଶର ଶାନ୍ତି କଥାବାର୍ତ୍ତାରେ ପ୍ରତ୍ୟେକ ପକ୍ଷର ସକ୍ରୀୟ ଯୋଗଦାନ ନିମନ୍ତେ ଭାରତ କୂଟନୈତିକ ପଦକ୍ଷେପ ନେଇଛି। ଶାନ୍ତି କଥାବାର୍ତ୍ତାର ଅଗ୍ରଗତି ନିମନ୍ତେ ଭାରତ ଏହାର କୂଟନୈତିକ ପ୍ରୟାସ କ୍ରମରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ରାଷ୍ଟ୍ରପତି ଭୋଲଡେମିର ଜେଲେନସ୍କିଙ୍କ ସହିତ କଥାବାର୍ତ୍ତା କରିଥିଲେ। ସେହିପରି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ରୁଷ ପ୍ରତିପକ୍ଷ ସର୍ଗେଇ ଲାଭରୋଭଙ୍କ ସହିତ ଶାନ୍ତି ପ୍ରତିଷ୍ଠା ବାବଦରେ କଥା ହୋଇଥିଲେ। ସୋମବାର ମୋଦୀଙ୍କ ସହିତ କଥାବାର୍ତ୍ତା କାଳରେ ଜେଲେନସ୍କି ଶାନ୍ତି କଥାବାର୍ତ୍ତାର ଅଗ୍ରଗତି ନିମନ୍ତେ ଭାରତର ସହଯୋଗ ଲୋଡିଥିଲେ। ରିପୋର୍ଟ ଅନୁଯାୟୀ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ପାଇଁ ଭାରତ ଏକ ତିନିସୂତ୍ରୀ ପ୍ରସ୍ତାବ ଦେଇଛି। ପ୍ରସ୍ତାବ ଅନୁଯାୟୀ ଦୁଇ ଦେଶ ପରସ୍ପରର ଶକ୍ତି କେନ୍ଦ୍ର ଓ ଅନ୍ୟ ପ୍ରମୁଖ ଭିତ୍ତିଭୂମି ଉପରେ ଆକ୍ରମଣ ବନ୍ଦ କରିବେ। ଏହା ସହିତ କୃଷ୍ଣ ସାଗରରେ ଯାତାୟାତ କରୁଥିବା ବାଣିଜ୍ୟିକ ଜାହାଜଗୁଡିକ ଉପରେ କେହି ଆକ୍ରମଣ କରିବେ ନାହିଁ। ତୃତୀୟ ସର୍ତ୍ତ ହେଉଛି ଖାଦ୍ୟଶସ୍ୟ ଓ ଶକ୍ତି ଯୋଗାଣ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବେ। ଗତ ସେପ୍ଟେମ୍ବରରେ ଜୟଶଙ୍କର ତାଙ୍କର ୟୁକ୍ରେନ ଗସ୍ତ କାଳରେ ଏହି ତିନିଟି ପ୍ରସ୍ତାବ ଦେଇଥିଲେ। ଅକ୍ଟୋବର ୨ରେ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଭାରତର ଏହି ତିନି ସୂତ୍ରୀ ଶାନ୍ତି ପ୍ରସ୍ତାବ ପାଇଥିବା ସମ୍ପର୍କରେ ଘୋଷଣା କରିଥିଲେ। ସେହିପରି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଭାରତର ଶାନ୍ତି ପ୍ରସ୍ତାବ ପାଇଥିବା ନେଇ ଅକ୍ଟୋବର ପ୍ରଥମାର୍ଦ୍ଧରେ ସ୍ବୀକାର କରିଥିଲେ। ନୂଆଦିଲ୍ଲୀ ଦେଇଥିବା ଏହି ପ୍ରସ୍ତାବରେ ଭାରତର ସ୍ବାର୍ଥ ଜଡିତ ରହିଛି। ବାଣିଜ୍ୟିକ ଜାହାଜଗୁଡିକ ଉପରେ ଆକ୍ରମଣ ଦ୍ବାରା ଭାରତୀୟ ନାବିକମାନଙ୍କ ଜୀବନ ବିପଦରେ ପଡୁଛି। ଏହାସହିତ ତୈଳ, ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ଜରୁରୀ ଜିନିଷପତ୍ରର ପରିବହନ ବାଧାପ୍ରାପ୍ତ ହେଉଛି। ଖାଦ୍ୟ ଓ ତୈଳର ଯୋଗାଣ ବାଧା ଦ୍ବାରା ଗ୍ଲୋବାଲ ସାଉଥ ଦେଶଗୁଡିକ ଅସୁବିଧାର ସମ୍ମୁଖୀନ ହେଉଛି। କାରଣ ଏହି ଦେଶଗୁଡିକ ଅନ୍ୟ ଦେଶର ଆମଦାନୀ ଉପରେ ବିଶେଷ ଭାବେ ନିର୍ଭର କରିଥାନ୍ତି। ରୁଷ୍-ୟୁକ୍ରେନ ଯୁଦ୍ଧ ଯୋଗୁଁ କୃଷ୍ଣ ସାଗରରେ ବିଭିନ୍ନ ବାଣିଜ୍ୟିକ ଜାହାଜଗୁଡିକ ଉପରେ ହୋଇଥିବା ଆକ୍ରମଣ ଯୋଗୁଁ ୫ଜଣ ଭାରତୀୟ ନାବିକ ପ୍ରାଣ ହରାଇଛନ୍ତି। ଏହା ସହ ୨ଜଣ ନାବିକ ନିଖୋଜ ହୋଇଛନ୍ତି। ୨୦୨୨ ଫେବୃଆରୀ ୨୪ରୁ ରୁଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଏହି ଯୁଦ୍ଧରେ ୧୭,୯୬୮ଜଣଙ୍କର ମୃତ୍ୟୁ ହେଲାଣି। ଜାତିସଂଘର ରିପୋର୍ଟ ଅନୁଯାୟୀ ଯୁଦ୍ଧ ଯୋଗୁଁ ୯୫ଲକ୍ଷ ୟୁକ୍ରେନ ଅଧିବାସୀ ବାସଚ୍ୟୁତ ହୋଇଛନ୍ତି। ଏଥିରୁ ୫୯ଲକ୍ଷ ଲୋକ ଅନ୍ୟ ଦେଶକୁ ଶରଣାର୍ଥୀ ଭାବେ ସ୍ଥାନାନ୍ତର ହୋଇଛନ୍ତି। ଅବଶିଷ୍ଟ ଲୋକ ୟୁକ୍ରେନରେ ବିଭିନ୍ନ ଅଞ୍ଚଳରେ ଅବସ୍ଥାନ କରିଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook