ମୁଖ୍ୟ ଖବର
ରାଉରକେଲା: କେନ୍ଦ୍ର ଇସ୍ପାତ ଓ ଭାରୀ ଉଦ୍ୟୋଗ ମନ୍ତ୍ରୀ ଏଚ ଡି କୁମାରସ୍ୱାମୀଙ୍କ ଦୁଇଦିନିଆ ରାଉରକେଲା ଗସ୍ତ ଶେଷ ହୋଇଛି। ତେବେ ରାଉରକେଲା ଛାଡ଼ିବା ପୂର୍ବରୁ ସାମ୍ବାଦିକଙ୍କୁ ଗସ୍ତ ବିଷୟରେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ। ଆରଏସପି ସମ୍ପ୍ରସାରଣ ନେଇ ମନ୍ତ୍ରୀ କହିଲେ, ଆରଏସପି ସମ୍ପ୍ରସାରଣ ପାଇଁ ଆମେ ବଦ୍ଧପରିକର। ଏନେଇ ବିଗତ ଦିନରେ ଏକାଧିକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ। କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୯. ୪ ମିଲିଆନ ଟନକୁ ବୃଦ୍ଧି କରାଯିବ। ୨୦୨୬ ସୁଦ୍ଧା ସମ୍ପ୍ରସାରଣ କାର୍ୟ୍ୟ ଆରମ୍ଭ ହେବ। ଏଥିପାଏଁ ଉଚ୍ଛେଦ ହେବାକୁ ଥିବା ୩ ଶହ ପରିବାରକୁ ଥଇଥାନ କରାଯିବ। ୨/୩ ବର୍ଷ ଭିତରେ ସମସ୍ତ ସମ୍ପ୍ରସାରଣ ପ୍ରକଳ୍ପ ଶେଷ ହେବ। ପୂର୍ଣ୍ଣ କାର୍ୟ୍ୟକ୍ଷମ ରାଉରକେଲା ବିମାନବନ୍ଦର ନେଇ କହିଲେ, ଖୁବ ଶୀଘ୍ର ବିମାନବନ୍ଦର ଉନ୍ନତିକରଣ ସହ ସମସ୍ତ ପଦକ୍ଷେପ ନିଆଯିବ।ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, ରଘୁନାଥପାଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ସେଲ ଅଧକ୍ଷ ଅମରେନ୍ଦୁ ପ୍ରକାଶ, ଆରଏସପି ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ।
ଦୁଇଦିନିଆ ରାଉରକେଲା ଗସ୍ତରେ ଗତକାଲି ପହଞ୍ଚିଥିଲେ କେନ୍ଦ୍ର ଇସ୍ପାତ ଓ ଭାରୀ ଉଦ୍ୟୋଗ ମନ୍ତ୍ରୀ ଏଚ୍.ଡି. କୁମାରସ୍ବାମୀ। ପ୍ରଥମ ଦିନରେ କେନ୍ଦ୍ରମନ୍ତ୍ରୀ ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି) ପରିଦର୍ଶନ କରିବା ସହ ବରିଷ୍ଠ ଅଧିକାରୀ, ଶ୍ରମିକ ସଂଗଠନର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ମନ୍ତ୍ରୀଙ୍କ ସହ ପତ୍ନୀ ଅନିଥା କୁମାରସ୍ବାମୀ, ‘ସେଲ୍’ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍ଡି) ଅମରେନ୍ଦୁ ପ୍ରକାଶ ମଧ୍ୟ ରାଉରକେଲାରେ ପହଞ୍ଚିଥିଲେ।
Comments ସମସ୍ତ ମତାମତ