ମୁଖ୍ୟ ଖବର
କରୋନା ଭାଇରସରେ ପ୍ରଭାବିତ ରୋଗୀଙ୍କ ଚିହ୍ନଟ ଏବଂ ରୋଗର ପ୍ରସାରକୁ ରୋକିବା ଲାଗି ଚୀନର ବୈଜ୍ଞାନିକ ମାନେ ପାଟ୍ରୋଲିଂ ରୋବୋ ପ୍ରସ୍ତୁତ କରିଛନ୍ତି । ଏଗୁଡ଼ିକ ୫-ଜି ଶକ୍ତି ସଞ୍ଚାଳିତ । ଚୀନ ରାସ୍ତାରେ ଚାଲୁଥିବା ଯେକୌଣସି ବ୍ୟକ୍ତିଙ୍କ ଶରୀର ତାପମାତ୍ରା ମାପିବା ସହିତ ସ୍ୱାସ୍ଥ୍ୟ ଅଧିକାରୀ ଓ ପୁଲିସଙ୍କୁ ଏହା ମେସେଜ ପଠାଇବ । ଏହା ଫଳରେ ସନ୍ଦିଗ୍ଧଙ୍କ ଚିହ୍ନଟ ସହଜରେ ହୋଇପାରିବ । ଚୀନରେ ଏବେ ସୁଦ୍ଧା ୫୬୨ରୁ ଊଦ୍ଧ୍ୱର୍ ଲୋକ କରୋନାରେ ପ୍ରାଣ ହରାଇଥିବା ବେଳେ ୨୭ ହାଜରରୁ ଊଦ୍ଧ୍ୱର୍ ଆକ୍ରାନ୍ତ ହୋଇଛନ୍ତି । ଚୀନ୍ ମିଡିଆ ଅନୁସାରେ, ଆଣ୍ଡ୍ରଏଡ ଟେକ୍ନୋଲୋଜିଯୁକ୍ତ ଏହି ରୋବୋ ଚାଲି ଚାଲି ଯାଉଥିବା ଯାତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସତର୍କ କରୁଛି । ହାତ ଧୋଇବା ସହ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଛି । ସେଥିପାଇଁ ରୋବୋରେ ଏକ ସାଉଣ୍ଡ ରେକର୍ଡ ବକ୍ସ ଲାଗିଛି । ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧୁନଥିବା ଲୋକଙ୍କ ବିଷୟରେ ସୂଚନା ଦେବାକୁ ମଧ୍ୟ ଏହା ଲୋକଙ୍କୁ ନିବେଦନ କରୁଛି । ଆପଣାଛାଏଁ ଗତିଶୀଳ ଏହି ମେସିନ୍ ଗୁଡିକ ଓହାନ, ଗ୍ୱାଙ୍ଗଝୋଉ, ଶାଂଘାଇ, ଝିଆନ ଓ ଗୁଇୟାଙ୍ଗ ବିମାନ ବନ୍ଦର, ମଲ୍ ଓ ରାସ୍ତାରେ ଦେଖିବାକୁ ମିଳୁଛି । ଗ୍ୱାଙ୍ଗଝୋଉର ହୁଆଙ୍ଗପୁ ନାମକ ସ୍ଥାନରେ ପାଟ୍ରୋଲିଂ ରୋବୋକୁ ପ୍ରଥମେ ମୁତୟନ କରାଯାଇଥିଲା ।
Comments ସମସ୍ତ ମତାମତ