ମୁଖ୍ୟ ଖବର
ଭୁବନେଶ୍ୱର : ରବି ଧାନ ସଂଗ୍ରହ ପାଇଁ ରାଜ୍ୟର ୧୭ ଜିଲ୍ଲାରେ ମଣ୍ଡି ଖୋଲିବା ଆରମ୍ଭ ହେଉଛି। ଏଭଳି ସ୍ଥଳେ ରାଜ୍ୟଯୋଗାଣ ବିଭାଗ ଚାଷୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଧାନ ଉଠା ବେଳେ ଚାଷୀଙ୍କ ଉପସ୍ଥିତିକୁ ବାଧ୍ୟତାମୂଳକ କରିଛନ୍ତି। ଅର୍ଥାତ୍ ଟୋକନ୍ ମିଳିଥିବା ଚାଷୀ ମଣ୍ଡିରେ ଉପସ୍ଥିତ ନ ରହିଲେ ସମ୍ପୃକ୍ତ ଚାଷୀଙ୍କର ଧାନ ସରକାର କ୍ରୟ କରିବେ ନାହିଁ।
ସରକାରଙ୍କ କହିବା ଅନୁଯାୟୀ ଏଭଳି ବ୍ୟବସ୍ଥା ଦ୍ୱାରା ଚାଷୀଙ୍କ ଟୋକନ୍ ଅନ୍ୟ କେହି ବ୍ୟବହାର କରିବେ ନାହିଁ। ସରକାର ସୁନିଶ୍ଚିତ କରିବେ ଯେ ଯେଉଁ ଚାଷୀ ଟୋକନ୍ ପାଇଛନ୍ତି, ସେ ହିଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟର ଲାଭ ପାଉଛନ୍ତି। ତେବେ ସରକାରଙ୍କର ଏଭଳି ବ୍ୟବସ୍ଥାକୁ ଅନେକ ଚାଷୀ ବିରୋଧ କରୁଛନ୍ତି। ଚାଷୀ କହିଛନ୍ତି ଯେ ଅନେକ ବୃଦ୍ଧ ଚାଷୀ କିମ୍ବା ଅସୁସ୍ଥ ବ୍ୟକ୍ତିମାନେ ଧାନ ବିକ୍ରି କରିବାକୁ ନିଜେ ଆସି ପାରିବେ ନାହିଁ। ତାଙ୍କର ପ୍ରମାଣପତ୍ର ନେଇ ତାଙ୍କ ନୋମିନୀ କାହିଁକି ଧାନ ମଣ୍ଡିରେ ଧାନ ବିକ୍ରି କରିପାରିବେ ନାହିଁ।
ସେହିଭଳି ଧାନ ବିକ୍ରି ଟଙ୍କା ସିଧାସଳଖ ଚାଷୀ ଆକାଉଣ୍ଟକୁ ଯାଇଥାଏ। ଏଭଳି ସ୍ଥଳେ ଅନିୟମିତତାର ପ୍ରଶ୍ନ ଉଠୁନାହିଁ। ମୁଖ୍ୟତଃ ସରକାର କମ୍ ଧାନ ଉଠାଇବା ପାଇଁ ଏଭଳି ଅଜବ ନିୟମ କରୁଛନ୍ତି। ଏସମ୍ପର୍କରେ ବିଭିନ୍ନ ଜିଲ୍ଲାରର ଯୋଗାଣ ଅଧିକାରୀଙ୍କୁ ପଚାରିବାରେ କୁହାଯାଇଛି ଯେ ଯୋଗାଣ ବିଭାଗ ଚାଷୀଙ୍କ ଉପସ୍ଥିତିରେ ଧାନ ବିକିବାକୁ ବାଧ୍ୟତାମୂଳକ କରିଥିବା କଥା ସତ୍ୟ। ତେବେ ଜରୁରୀକାଳୀନ ସ୍ଥିତିରେ ଚାଷୀମାନେ କଣ କରିବେ ସେନେଇ ରାଜ୍ୟ ଯୋଗାଣ ବିଭାଗକୁ ପ୍ରଶ୍ନ ପଚରାଯିବ। ଓଡ଼ିଶା ରାଜ୍ୟ ସାଧାରଣ ବଣ୍ଟନ ନିଗମର ଜନୈକ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ କେହି ଅସୁସ୍ଥତା କିମ୍ବା ବାର୍ଦ୍ଧକ୍ୟ କାରଣରୁ ମଣ୍ଡିରେ ପହଞ୍ଚି ନ ପାରିଲେ ମଧ୍ୟ ସେମାନଙ୍କର ଧାନ ଗ୍ରହଣ କରାଯିବ।
ସରକାର ଚାଷୀର ଅସୁବିଧାକୁ ବୁଝି ଧାନ ବିକିବାକୁ ଅନୁମତି ଦେବେ। ମାତ୍ର ସାମଗ୍ରିକ ଭାବେ ସମସ୍ତ ଚାଷୀ ଧାନ ବିକ୍ରି ସମୟରେ ମଣ୍ଡିରେ ଉପସ୍ଥିତ ରହିବେ। ଚାଷୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଏଭଳି ନିଷ୍ପତ୍ତି ନିଆଯାଇଛି। ଧାନ ଯିଏ ବିକୁଛନ୍ତି ସେ ଉପସ୍ଥିତ ରହିଲେ ଅନିୟମିତତାର ସବୁ ରାସ୍ତା ବନ୍ଦ ହେବ ବୋଲି ଯୋଗାଣ ବିଭାଗ ଅନୁଭବ କରୁଛି। ସେହିଭଳି ସର୍ବନିମ୍ନ ସହାୟକ ମୂଲ୍ୟଠାରୁ କମ୍ ମୂଲ୍ୟରେ ଧାନ ବିକ୍ରି କରିବାକୁ ମିଲର କିମ୍ବା ଅଧିକାରୀମାନେ ବାଧ୍ୟ କଲେ ଚାଷୀମାନେ ସିଧାସଳଖ ଭାବେ ଯୋଗାଣ ବିଭାଗ ସହ ଯୋଗାଯୋଗ କରିପାରିବେ ବୋଲି କୁହାଯାଇଛି।
Comments ସମସ୍ତ ମତାମତ