ନୂଆଦିଲ୍ଲୀ: ଲୋକଙ୍କୁ କଲବଲ କରୁଛି ମହଙ୍ଗା ମାଡ । ଖାଦ୍ୟ ଓ ଇନ୍ଧନ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁଁ ଏପ୍ରିଲ ମାସରେ ୮ ବର୍ଷର ରେକର୍ଡ ଭାଙ୍ଗିଛି ମୁଦ୍ରାସ୍ଫୀତି । ଗତମାସରେ ଦେଶର ଉପଭୋକ୍ତା ମୂଲ୍ୟ ସୂଚୀ ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ୮ ବର୍ଷର ସର୍ବୋଚ୍ଚ ସ୍ତର ୭.୭୯ ପ୍ରତିଶତ ରହିଛି । ଏହାପୂର୍ବରୁ ୨୦୧୪ ମସିହା ମେ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୮.୩୩ ପ୍ରତିଶତ ଥିଲା । ଚଳିତ ବର୍ଷ ମାର୍ଚ୍ଚ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୬.୯୫ ପ୍ରତିଶତ ଥିଲା । ୨୦୨୧ ବର୍ଷ ଏପ୍ରିଲରେ ଏହା ୪.୨୩ ପ୍ରତିଶତ ଥିଲା । ଜାତୀୟ ପରିସଂଖ୍ୟାନ କାର୍ୟ୍ୟାଳୟ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି ।
ଖାଦ୍ୟ ସାମଗ୍ରୀ କ୍ଷେତ୍ରରେ ଖୁଚୁରା ମୁଦ୍ରାସ୍ଫୀତି ୮.୩୮ ପ୍ରତିଶତକୁ ବୃଦ୍ଧି ପାଇଛି । ଏପ୍ରିଲରେ ଖାଇବା ତେଲ କ୍ଷେତ୍ରରେ ମୁଦ୍ରାସ୍ଫୀତି ୧୭.୨୮ ପ୍ରତିଶତ ରହିଛି । ସେହିପରି ପନିପରିବା କ୍ଷେତ୍ରରେ ୧୫.୪୧ ପ୍ରତିଶତ ଏବଂ ବିଦ୍ୟୁତ କ୍ଷେତ୍ରରେ ୧୦.୮୦ ପ୍ରତିଶତ ରହିଛି । ମାର୍ଚ୍ଚ ମାସରେ ପନିପରିବା କ୍ଷେତ୍ରରେ ମୁଦ୍ରାସ୍ଫୀତି ୧୧.୬୪ ପ୍ରତିଶତ ରହିଥିଲା । ଚଳିତ ବର୍ଷ ଜାନୁଆରୀରୁ ଖୁଚୁରା ମୁଦ୍ରାସ୍ଫୀତି ୬ ପ୍ରତିଶତ ଉପରେ ରହିଛି । ମୁଦ୍ରାସ୍ଫୀତିକୁ ୪ ପ୍ରତିଶତରେ ରଖିବା ପାଇଁ ସରକାର, ରିଜର୍ଭ ବ୍ୟାଙ୍କ୍କୁ କହିଛନ୍ତି ।ମୁଦ୍ରାସ୍ଫୀତି କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଆସନ୍ତା ମାସରେ ମୁଦ୍ରାନୀତି ସମୀକ୍ଷା ବୈଠକରେ ରିଜର୍ଭ ବ୍ୟାଙ୍କ ପୁନର୍ବାର ସୁଧହାର ବଢାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି । ଗତ ସପ୍ତାହରେ ମଧ୍ୟ ରିଜର୍ଭ ବ୍ୟାଙ୍କ ରେପୋ ରେଟକୁ ୪ ପ୍ରତିଶତରୁ ୪.୪୦ ପ୍ରତିଶତକୁ ବୃଦ୍ଧି କରିଥିଲେ ।
Comments ସମସ୍ତ ମତାମତ