Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଶେଷ

    Share on :
    ajab-Image
    Date: Dec 24, 2025    Views: 2791

    କଟକ : ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଶେଷ ହୋଇଛି । ମରାମତି କାମ ସରିବା ପରେ ରତ୍ନଭଣ୍ଡାରକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି ବୋଲି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେକ୍ଷଣ ସଂସ୍ଥା (ଏଏସ୍ଆଇ) ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ଅପରପକ୍ଷରେ ରତ୍ନଭଣ୍ଡାରରୁ ଅଳଙ୍କାର କଢ଼ାଯାଇଛି କିନ୍ତୁ ଏହାର ଗଣତିମଣତି ଏ ପର୍ୟ୍ୟନ୍ତ ହୋଇନଥିବା ମଧ୍ୟ ରାଜ୍ୟ ସରକାର ଜବାବ ରଖିଥିଲେ । ଗଣତିମଣତି ପାଇଁ ରାଜ୍ୟ ସରକାର ଏକ ଏସ୍ଓପି ପ୍ରସ୍ତୁତ କରୁଛନ୍ତି । ଏହି ଏସ୍ଓପି ସଂକ୍ରାନ୍ତରେ ପରବର୍ତ୍ତୀ ଶୁଣାଣି ସୁଦ୍ଧା ଅଦାଲତଙ୍କୁ ଅବଗତ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କୁ କୁହାଯାଇଥିଲା ।
    ଏହି ଜବାବ ପରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ଶୀତ ଅବକାଶ ପରକୁ ଧାର୍ୟ୍ୟ କରିଛନ୍ତି । ପୁରୀ ସର୍କଲ ଏଏସ୍ଆଇର ପ୍ରତ୍ନତତ୍ତ୍ୱ ଅଧୀକ୍ଷକ ଡି.ବି.ଗଡ଼ନାୟକ ସତ୍ୟପାଠ ଦାଖଲ କରି ଦର୍ଶାଇଥିଲେ ଯେ, ମରାମତି ପାଇଁ ଏଏସ୍ଆଇକୁ ୨୦୨୪ ଡିସେମ୍ବର ୧୭ରେ ରତ୍ନଭଣ୍ଡାର ହସ୍ତାନ୍ତର କରାଯାଇଥିଲା । ପ୍ରଥମ ପର୍ୟ୍ୟାୟରେ ରତ୍ନଭଣ୍ଡାର ମରାମତି କାମ ୨୦୨୪ ଡିସେମ୍ବର ୧୭ ତାରିଖରୁ ୨୦୨୫ ଏପ୍ରିଲ ୨୮ତାରିଖ ପର୍ୟ୍ୟନ୍ତ ଚାଲିଥିଲା । ପୁଣି ଚଳିତବର୍ଷ ରଥଯାତ୍ରା ସମୟରେ ଅର୍ଥାତ ୨୦୨୫ ଜୁନ୍ ୨୮ତାରିଖରୁ ରତ୍ନଭଣ୍ଡାରକୁ ଖୋଲାଯାଇ ତାହାର ମରାମତି କରାଯାଇଥିଲା । ଏହି ସମୟରେ ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ମରାମତି ଶେଷ ହୋଇଛି ।

    ଗତ ଜୁଲାଇ ୬ ତାରିଖରେ ରତ୍ନଭଣ୍ଡାରକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି ବୋଲି ଏଏସ୍ଆଇ ପକ୍ଷରୁ ଅଦାଲତଙ୍କୁ ଅବଗତ କରାଯାଇଥିଲା । ଏହାପରେ ରତ୍ନଭଣ୍ଡାରରୁ କଢ଼ା ଯାଇଥିବା ଅଳଙ୍କାରର ଏ ପର୍ୟ୍ୟନ୍ତ ଗଣତିମଣତି ହୋଇନଥିବାରୁ ଆବେଦନକାରୀ ଦିଲୀପ କୁମାର ବରାଳ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟ ସରକାର ଜବାବ ରଖିଥିଲେ ଯେ, ଏସ୍ଓପି ପ୍ରସ୍ତୁତ ପରେ ଗଣତିମଣତି କାର୍ୟ୍ୟ କିପରି କରାଯିବ ତାହା ସ୍ଥିର ହେବ । ପରବର୍ତ୍ତୀ ଶୁଣାଣିରେ ଅଦାଲତଙ୍କୁ ଏସଂପର୍କରେ ଅବଗତ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଆବେଦନକାରୀଙ୍କ ପକ୍ଷରୁ ମାମଲାକୁ ଆଇନଜୀବୀ ଅନୁପ କୁମାର ମହାପାତ୍ର ପରିଚାଳନା କରୁଛନ୍ତି । ଅନ୍ୟପକ୍ଷରେ ଡିସେମ୍ବର ୨୭ ତାରିଖରେ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟିର ବୈଠକ ବସି ଚିଠା ଏସ୍ଓପି ବିଷୟରେ ଆଲୋଚନା କରିବାକୁ ଧାର୍ୟ୍ୟ ହୋଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook