ମୁଖ୍ୟ ଖବର
ପୁରୀ: ଶୁକ୍ରବାର ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା। ଶନିବାର ସୁନାବେଶ। ଏହି ଦୁଇ ଦିନ ଲାଗି ପୁରୀ ପୁଲିସ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । ବାହୁଡ଼ାଯାତ୍ରା ପୂର୍ବ ଦିନ ଅର୍ଥାତ ୨୩ ତାରିଖ ରାତି ୧୨ ଟାରୁ ୨୬ ତାରିଖ ସକାଳ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ପରବର୍ତ୍ତୀ ସମୟରେ ଭିଡ଼ ଦେଖି ଟ୍ରାଫିକ କଟକଣା ପରିବର୍ତ୍ତନ ହୋଇପାରିବ । ସମସ୍ତ ଅନ୍ତଃରାଜ୍ୟ ଟୁରିଷ୍ଟ ବସ୍: ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଆସୁଥିବା ସମସ୍ତ ଅନ୍ତଃରାଜ୍ୟ ଟୁରିଷ୍ଟ ବସ୍ଗୁଡିକ ମାଳତିପାଟପୁରଠାରେ ପାର୍କିଂ କରିବେ । ସେଠାରୁ ସେମାନେ ଭୁବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ ।
ନିୟମିତ ଯାତ୍ରୀବାହୀ ବସ୍: ଭୁବନେଶ୍ୱର ଓ କଟକ ପଟୁ ଆସୁଥିବା ସମସ୍ତ ନିୟମିତ ଯାତ୍ରୀବାହୀ ବସ୍ଗୁଡିକ ମାଳତିପାଟପୁର ଓଭରବ୍ରିଜ୍ ଦେଇ ବାଇପାସ୍ରେ ଆସି ବାଇଦାସନଗର ଛକରୁ ଗ୍ରୀଡ୍ଷ୍ଟେସନ ଛକ ଦେଇ ତାଳବଣିଆ ଅସ୍ଥାୟୀ ବସ୍ଷ୍ଟାଣ୍ଡ ପାର୍କିଂରେ ରହିବେ । ଫେରିବା ସମୟରେ ସେଣ୍ଟ୍ରାଲ ସ୍କୁଲ ଛକ, ଭୂଦାନଛକ, ଗ୍ରୀଡ ଷ୍ଟେସନ, ବାଇଦାସନଗର-ରାମଚଣ୍ଡୀ -କୋଣାର୍କ -ଗୋପ- ନିମାପଡା-ପିପିଲି ଓଭରବ୍ରିଜ୍ ଦେଇ ଭୁବନେଶ୍ୱର ଅଭିମୁଖେ ଯିବେ । ତାଳବଣିଆ ବସ୍ଷ୍ଟାଣ୍ଡ ପୂର୍ଣ୍ଣ ହୋଇଗଲେ ଭୂଦାନ ଛକରେ ଯାତ୍ରୀଙ୍କୁ ଓହ୍ଲାଇ ସ୍ୱାମୀନାରାୟଣ ମନ୍ଦିର ନିକଟରେ ପାର୍କିଂ କରିବେ । ଫେରିବା ସମୟରେ ସ୍ୱାମୀ ନାରାୟଣ ମନ୍ଦିରଭୂଦାନଛକ-ଗ୍ରୀଡ୍ ଷ୍ଟେସନ-ବାଇଦାସନଗର ରାମଚଣ୍ଡୀ-କୋଣାର୍କ-ଗୋପ-ନିମାପଡା- ପିପିଲି ଓଭରବ୍ରିଜ୍ ଦେଇ ନିଜ ଗନ୍ତବ୍ୟସ୍ଥଳକୁ ଯିବେ । ବ୍ରହ୍ମଗିରି ପାର୍ଶ୍ୱରୁ ଆସୁଥିବା ନିୟମିତ ଯାତ୍ରୀବାହୀ ବସ୍ ଗୁଡିକ ଗିରଳ ଛକ ଦେଇ ମଙ୍ଗଳାଘାଟ ବ୍ରିଜ୍ରୁ ଯାଇ ସମଙ୍ଗ ପାର୍କିଂରେ ପାର୍କିଂ କରିବ । ସେଠାରୁ ବ୍ରହ୍ମଗିରି ଅଭିମୁଖେ ଫେରିବ । କୋଣାର୍କ ପାର୍ଶ୍ୱରୁ ଆସୁଥିବା ବସଗୁଡିକ ଚନ୍ଦ୍ରଭାଗା-ରାମଚଣ୍ଡୀ-ବାଲିଘାଇ-ବାଇଦାସନଗର ଗ୍ରୀଡଷ୍ଟେସନ, ଭୂଦାନ ଛକ, ଇନ୍ଡୋର ଷ୍ଟାଡିୟମ ଛକ ଦେଇ ତାଳବଣିଆରେ ପାର୍କିଂ କରିବ । ଫେରିବା ସମୟରେ ସେଣ୍ଟ୍ରାଲ ସ୍କୁଲ -ଭୂଦାନଛକ-ଗ୍ରୀଡ ଷ୍ଟେସନ ଦେଇ ବାଲିଘାଇ ଦେଇ ନିଜ ଗନ୍ତବ୍ୟସ୍ଥଳରେ ଯିବେ । ତାଳବଣିଆ ପାର୍କିଂ ପୂର୍ଣ୍ଣ ହୋଇଗଲେ ଭୂଦାନଛକରେ ଯାତ୍ରୀଙ୍କୁ ଓହ୍ଲାଇ ସ୍ୱାମୀନାରାୟଣ ମନ୍ଦିରରେ ପାର୍କିଂ କରିବ ।
୪ଚକିଆ ହାଲୁକା ଯାନ: ଭୁବନେଶ୍ୱର ପଟୁ ଆସୁଥିବା ହାଲୁକା ଯାନଗୁଡ଼ିକ ମାଳତିପାଟପୁର ଓଭରବ୍ରିଜ୍ ଦେଇ ତାଳବଣିଆର ବିଧାନସଭା ଅତିଥି ଭବନ, ଶିଳ୍ପ ତାଲିମ କେନ୍ଦ୍ର, ହେଲିପ୍ୟାଡ, ଇନଡୋର ଷ୍ଟାଡିୟମ, ଉଦ୍ୟାନ କୃଷିପଡ଼ିଆ, ସ୍ୱଚ୍ଛ ମାଛବଜାରରେ ଯାନଗୁଡିକ ପାର୍କିଂ କରିବେ । ସେଠାରୁ ଫେରିବାବେଳେ ପିକେଆରଟି ଛକଦେଇ କେନ୍ଦ୍ରୀୟ ବିଦ୍ୟାଳୟ, ଭୂଦାନ ଛକ, ଗ୍ରୀଡ ଷ୍ଟେସନ ଛକ, ବାଲିଘାଟ ଓ ସମଙ୍ଗରା ଦେଇ ହରେକୃଷ୍ଣପୁର ଛକରେ ବାହାରି ଭୁବନେଶ୍ୱର ଫେରିବେ । ତାଳବଣିଆ ପାର୍ଶ୍ୱରେ ପାର୍କିଂ ପୂର୍ଣ୍ଣ ହୋଇଗଲା ପରେ ମାଳତିପାଟପୁର ଓଭରବ୍ରିଜ୍ ଦେଇ ବାଟଗାଁ ଛକ ଦେଇ ଶ୍ରୀସେତୁ ନିକଟରେ ପାର୍କିଂ କରିବେ । ଶ୍ରୀସେତୁ ପାର୍କିଂସ୍ଥଳ ପୂର୍ଣ୍ଣ ପରେ ମଙ୍ଗଳା ଘାଟ ଛକ-ଓଁକାରେଶ୍ୱେର ମନ୍ଦିର ଦେଇ ଷ୍ଟର୍ଲିଂ ଛକ ନିକଟରେ ପାର୍କିଂ କରିବେ । ଫେରିବାବେଳେ ସେହି ରାସ୍ତା ଦେଇ ଫେରିବେ । ସେହିଭଳି ବ୍ରହ୍ମଗିରିପଟୁ ଆସୁଥିବା ସମସ୍ତ ହାଲୁକାଯାନଗୁଡିକ ଅସ୍ଥାୟୀ ସମଙ୍ଗ ପାର୍କିଂରେ ପାର୍କିଂ କରିବେ । ସେଠାରୁ ସେହି ସମାନ ରାସ୍ତାଦେଇ ଫେରିବେ ।
ଦୁଇ ଚକିଆ ଯାନ : ଭୁବନେଶ୍ୱର ଓ ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ଦୁଇ ଚକିଆ ଯାନଗୁଡିକ ମାଳତୀପାଟପୁର - ବାଟଗାଁ - ମଙ୍ଗଳାଘାଟ ଛକ ଦେଇ ପୁରୁଣା ଜଗନ୍ନାଥବଲ୍ଲଭରେ ଓ ମାଟିତୋଟା ଖେଳପଡ଼ିଆରେ ପାର୍କିଂ କରିବେ । ଜଗନ୍ନାଥବଲ୍ଲଭରେ ରହିଥିବା ଗାଡିଗୁଡିକ ଫେରିବାବେଳେ ନରେନ୍ଦ୍ରକୋଣ, ଜଟିଆ ବାବାଜି ଛକ, କୁମ୍ଭାରପଡା ଥାନା, ଅଠରନଳା ଦେଇ ବାଟଗାଁ ଛକରୁ ଭୁବନେଶ୍ୱର ଅଭିମୁଖେ ଫେରିପାରିବେ । ମାଟିତୋଟା ଖେଳ ପଡ଼ିଆ ପାର୍କିଂରୁ ଶ୍ରୀସେତୁ ସର୍ଭିସ ରୋଡ ,ମଙ୍ଗଳାଘାଟରେ ୟୁଟର୍ଣ୍ଣ କରି ବାଟଗାଁ ଦେଇ ମାଳତୀପୁର ଅଭିମୁଖେ ଫେରିବେ । ଦୁଇ ପାର୍କିଂସ୍ଥଳ ପୂର୍ଣ୍ଣ ହୋଇଗଲେ ମାଟିତୋଟା ହେଲିପ୍ୟାଡରେ ପାର୍କିଂ କରିବେ । ସେହିପରି କୋଣାର୍କ ପଟୁ ଆସୁଥିବା ଗାଡ଼ିଗୁଡିକ ତାଳବଣିଆ ଦେଇ ବ୍ଲୁଫ୍ଲାଗ୍ ବିଚ୍ ଓ ହୋଟେଲ ନୀଳାଚଳ ଅଶୋକରେ ପାର୍କିଂ କରିବେ । ସେଠାରୁ ଆସି ଥିବା ରାସ୍ତାରେ ପ୍ରତ୍ୟାବର୍ତ୍ତନ କରିବେ । ବ୍ରହ୍ମଗିରି ପାର୍ଶ୍ୱରୁ ଆସୁଥିବା ସମସ୍ତ ଦୁଇଚକିଆଗାଡି ଗୁଡିକ ଜଗନ୍ନାଥବଲ୍ଲଭ ଓ ମାଟିତୋଟା ଖେଳପଡିଆ ପାର୍କିଂସ୍ଥଳରେ ପାର୍କିଂ କରିବେ । ଫେରିବା ସମୟରେ ଯେଉଁ ରାସ୍ତାରେ ଆସିଥିଲେ ସେହି ରାସ୍ତାରେ ପ୍ରତ୍ୟାବର୍ତ୍ତନ କରିବେ ।
ମାଗଣାରେ ସଟଲ୍ ସେବା : ତାଳବଣିଆ ପଟୁ ମାଗଣା ଅଟୋ ଓ ସଟଲ୍ ସେବା ୱାଟରୱାର୍କ୍ସ ରୋଡ, ଓଡ଼ିଶା ବେକାରୀ ଓ ରାମମନ୍ଦିର ଦେଇ ଘୋଡ଼ାବଜାର ପର୍ଯ୍ୟନ୍ତ ଚାଲିବ । ଫେରିବା ବେଳେ ମାଗଣା ସଟଲ ସେବା ରାମମନ୍ଦିର ଛକଠାରୁ ମିଳିବ । ଶ୍ରୀକ୍ଷେତ୍ର କଲୋନୀ ଓ ମଙ୍ଗଳା ମନ୍ଦିର ଛକ ଦେଇ ତାଳବଣିଆକୁ ପ୍ରସ୍ଥାନ କରିବେ । ସମଙ୍ଗ ପାର୍କିଂରୁ ମାଗଣା ସଟଲ ସେବା ଶ୍ରୀସେତୁ ଓଭରବ୍ରିଜ୍ ପର୍ଯ୍ୟନ୍ତ ଚାଲିବ । ସେହିପରି ସମଙ୍ଗ ପାର୍କିଂରୁ ସଟଲ୍ ସେବା ମଙ୍ଗଳାଘାଟ ଛକ ଦେଇ ଷ୍ଟର୍ଲିଂ ଛକ ପର୍ଯ୍ୟନ୍ତ ଚାଲିବ । ଷ୍ଟର୍ଲିଂ ଛକରୁ ସଟଲ୍ ସେବା ଲାଇଟ୍ ହାଉସ ପର୍ଯ୍ୟନ୍ତ ଚଳାଚଳ କରିବ ।
Comments ସମସ୍ତ ମତାମତ