ମୁଖ୍ୟ ଖବର
ପୁରୀ : ଗୁରୁବାର ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ। ଚଳିତ ବର୍ଷ ପାଇଁ ଭକ୍ତମାନେ ଗୁଣ୍ଡିଚା ଘରେ ଠାକୁରଙ୍କ ଶେଷ ଆଡ଼ପ ଦର୍ଶନ ପାଇବେ । ସନ୍ଧ୍ୟା ଦର୍ଶନର ମହତ୍ୱ ରହିଥିବାରୁ ଗୁଣ୍ଡିଚା ମନ୍ଦିରରେ ଲାଗିବ ଭକ୍ତଙ୍କ ପ୍ରବଳ ଭିଡ଼ । ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଶେଷ ନୀତି ନିର୍ଘଣ୍ଟ ଧାର୍ଯ୍ୟ କରାଯାଇଛି । ଠାକୁରଙ୍କ ଦର୍ଶନ ସନ୍ଧ୍ୟା ୬ଟାରୁ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । ଶୁକ୍ରବାର ତଥା ୨୪ ତାରିଖ ଠାକୁରଙ୍କ ବାହୁଡ଼ା ଯାତ୍ରାର ପୂର୍ବ ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ଶ୍ରଦ୍ଧାଳୁମାନେ ମହାପ୍ରସାଦ ଆଣିବା ପାଇଁ ନାକଚଣା ଦ୍ୱାର ପଟେ ପ୍ରବେଶ କରିପାରିବେ ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି ।
ଆଜି ଗୁଣ୍ଡିଚାଘର ଆଡ଼ପମଣ୍ଡପରେ ଠାକୁରଙ୍କ ଶେଷ ଦର୍ଶନ। ଉକ୍ତ ଦିନରେ ଠାକୁରଙ୍କ ଦର୍ଶନ କରିବାରେ ଭକ୍ତର ଅଶେଷ ପୂଣ୍ୟ ହୋଇଥାଏ ବିଶ୍ୱାସ ରହିଛି । ଏଥିପାଇଁ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୁଏ । ପରଦିନ ବାହୁଡ଼ା ଯାତ୍ରା ଥିବାରୁ ଠାକୁରଙ୍କ ନୀତି ମଧ୍ୟ ତ୍ୱରାନ୍ୱିତ କରିବାକୁ ହୋଇଥାଏ । ଏଣୁ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇ ଗୁଣ୍ଡିଚାଘରକୁ ଶୋଧ କରାଯିବ । ପ୍ରାତଃ ୪ଟାରେ ଠାକୁରଙ୍କ ଦ୍ୱାର ଫିଟି ୪ଟା୩୦ରେ ମଙ୍ଗଳ ଆଳତି ହେବ । ପରେ ମଇଲମ, ତଡ଼ପଲାଗି, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ ହୋଇ ଗୋପାଳବଲ୍ଲଭ ନୀତି ହୋଇ ସକାଳଧୂପ ହେବ ସକାଳ ୮ଟାରୁ ୯ଟା୩୦ମଧ୍ୟରେ । ଭୋଗମଣ୍ଡପ ନୀତି ସମୟ ପୂର୍ବାହ୍ଣ ସାଢ଼େ ୧୦ଟା । ମଧ୍ୟାହ୍ନ ଧୂପ ଅପରାହ୍ଣ ୩ଟା, ଦ୍ୱିତୀୟ ଭୋଗମଣ୍ଡପ ସାଢ଼େ ୩ଟା, ମଇଲମ, ବେଶ, ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ୭ଟା ଓ ୩ୟ ଭୋଗମଣ୍ଡପ ସାଢ଼େ ୭ଟାରେ ସରିବ । ରାହାସକୁ ଦିଅଁବିଜେ ହେବେ ରାତି ୮ଟାରେ । ପରେ ମଇଲମ ଓ ଚନ୍ଦନଲାଗି ବଢ଼ି ରାତି ୯ଟା ୩୦ସୁଦ୍ଧା ବଡ଼ସିଂହାର ବେଶ ହେବ । ପହୁଡ଼ ଆଳତି ୧୦ଟାରେ ହେବ । ପୁଷ୍ପାଳକମାନେ ଶ୍ରୀମୁଖରେ ଖଣ୍ଡୁଆ ପକାଇ ଯିବା ପରେ ଦଇତାପତିମାନେ ଠାକୁରଙ୍କ ଗୁପ୍ତନୀତି କରିବେ । ପରେ ରାତି ୧୧ଟାରୁ ୨ଟା ମଧ୍ୟରେ ସିଂହାସନଠାରେ ଚାରମାଳ ବନ୍ଧାଯାଇ ୩ଟା ୩୦ ଭିତରେ କୁସୁମିଲାଗି କରାଯିବ ବୋଲି ନୀତିନିର୍ଘଣ୍ଟ ପ୍ରସ୍ତୁତ ହୋଇଛି ।
Comments ସମସ୍ତ ମତାମତ