Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

Ratha yatra

ମୁଖ୍ୟ ଖବର

    ମହାପ୍ରଭୁଙ୍କ ଘଣ୍ଟସେବାର ରୋଚକ କଥା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

    Share on :
    ajab-Image
    Date: Jun 7, 2023    Views: 2856

    ଭୁବନେଶ୍ୱର: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମହାପ୍ରସାଦ ଭକ୍ଷଣ ଓ ଘଣ୍ଟଘୋଷର ଶ୍ରବଣରେ ପାପନାଶ ହେବାର ସୂଚନା ଦେଇଛନ୍ତି । ଘଣ୍ଟ,ଘଣ୍ଟା ଓ ଘଣ୍ଟି ସଙ୍ଗୀତ ଶାସ୍ତ୍ରରେ ଘନବାଦ୍ୟର ଅନ୍ତର୍ଗତ ଅଟେ । ଏହାର ପାଞ୍ଚଟି ଭେଦ ରହିଛି ଯଥା- କାଂସ୍ୟତଳ, ତାଳ, ଘଟିକା, ଜୟ ଘଣ୍ଟିକା, କ୍ଷୁଦ୍ର ଘଣ୍ଟ ଏବଂ କ୍ରମ । ପୂଜାଘଣ୍ଟିର ଧାତୁମୟ ଦଣ୍ଡକୁ ବାମହସ୍ତ ମୁଷ୍ଟିରେ ଧାରଣ କରି ବଜାଇବାକୁ ହୁଏ । ଦଣ୍ଡର ଅଗ୍ରଭାଗରେ ଚକ୍ର, ଗରୁଡ଼, ହନୁମାନ, ପଞ୍ଚମୁଖୀ ସର୍ପର ପ୍ରତିକୃତି ରହିଥାଏ । କେତେକ ବାସ୍ତୁଶାସ୍ତ୍ର, ତନ୍ତ୍ରଶାସ୍ତ୍ରରେ ବାସଗୃହରେ ଘଣ୍ଟା ଝୁଲାଇ ତା’ର ଧ୍ୱନି ଶୁଣିବାର ବ୍ୟବସ୍ଥା ରହିଛି । ଚିକିତ୍ସା ଶାସ୍ତ୍ରରେ କେତେକ ରୋଗର ଆରୋଗ୍ୟ ପାଇଁ ଘଣ୍ଟିର ଅନୁରଣନ ଧ୍ୱନି ଉପାଦେୟତା ସମ୍ପର୍କରେ ଉଲ୍ଲେଖ ଅଛି । ଘଣ୍ଟଧ୍ୱନି ଦୈତ୍ୟମାନଙ୍କର ତେଜକୁ ବିନଷ୍ଟ କରି ପ୍ରତ୍ୟେକ ପ୍ରକାର ଭୟ ଓ ପାପରୁ ରକ୍ଷା କରିଥାଏ ।

    ଶ୍ରୀମନ୍ଦିରରେ ଶାଢ଼ୀ ବନ୍ଧା ଶୁଦ୍ର ସେବକ ବଂଶାନୁକ୍ରମିକ ଘଣ୍ଟ ସେବା କରନ୍ତି । ଘଣ୍ଟସେବକ ଶ୍ରୀମନ୍ଦିରରେ ପ୍ରତ୍ୟେକ ଧୂପରେ ଘଣ୍ଟ ବାଦନ କରନ୍ତି । ପ୍ରତ୍ୟେକ ପର୍ବପର୍ବାଣି ଯାତ୍ରା ଓ ବେଢ଼ାରେ ଘଣ୍ଟ ବାଦନ ସହ ବିମଳାଙ୍କ ଷୋଳପୂଜା, ତ୍ରିକାଳ ପୂଜା, ପ୍ରତି ଗୁରୁବାର ମାଜଣା, ଏକାନ୍ତ, ପାଶ୍ୱର୍ଦେବତାଙ୍କ ପର୍ବପର୍ବାଣି, ଆଜ୍ଞାମାଳ ବିଜେ, ହାତୀବେଶ, ପ୍ରତ୍ୟେକ ବେତ, ଗଳିଖଡ଼ି ବିଜେ, ଚାପ, ଚନ୍ଦନ ଓ ଦୋଳ ଆଦି ସମୟରେ କାହାଳୀ ବାଜିବା ସହିତ ଘଣ୍ଟ ମଧ୍ୟ ବାଜିଥାଏ । ଶ୍ରୀମନ୍ଦିରର ଏହି ଘଣ୍ଟ ବାଦନ ସେବା ମାସକରେ ଛଅଟି ପରିବାର ମଧ୍ୟରେ ଆବଣ୍ଟିତ ହୋଇଛି । 

    ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରସିଦ୍ଧ ଘୋଷଯାତ୍ରା କାଳୀନ ଅପୂର୍ବ ଦୃଶ୍ୟରାଜି ମଧ୍ୟରେ ଘଣ୍ଟୁଆଙ୍କ ଘଣ୍ଟବାଦ୍ୟ ପରିବେଷଣ ଅନନ୍ୟ । ରତ୍ନବେଦୀରୁ ବାଇଶି ପାହାଚ ଦେଇ ସେବକମାନେ ତିନି ଦିଅଁଙ୍କୁ ପହଣ୍ଡି ବିଜେ କରିବାବେଳେ ଶ୍ରୀଜୀଉଙ୍କ ମଥାରେ ସଦୃଶ ଟାହିଆ ଦୋଳିୟମାନ ହେଉଥାଏ । ଘଣ୍ଟୁଆଙ୍କ ଘଣ୍ଟନାଦ ସହ ସମନ୍ୱୟ ରକ୍ଷା କରି ଘଣ୍ଟୁଆଙ୍କ ବିଭିନ୍ନ ତାଳ ଓ ଲୟରେ ସମାବିଷ୍ଟ ଭକ୍ତ ଉଲ୍ଲସିତ ହୋଇଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ସହିତ ଘଣ୍ଟୁଆ ସେବାୟତମାନଙ୍କର ସମ୍ପର୍କ ରହିଆସିଛି କେଉଁ ଆବାହନ କାଳରୁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିବିଧ ସେବାପୂଜାରେ ନିଯୁକ୍ତ ଥିବା ସେବାୟତମାନଙ୍କୁ ଦୁଇଭାଗରେ ବିଭକ୍ତ କରାଯାଇଥାଏ- ଦୈନନ୍ଦିନ ସେବାପୂଜା ସେବାୟତ ଓ ନିର୍ଦ୍ଦିଷ୍ଟ କାଳର ସେବାୟତ । ଘଣ୍ଟୁଆମାନେ ହେଉଛନ୍ତି ନିର୍ଦ୍ଦିଷ୍ଟ କାଳର ସେବାୟତ । ରଥଯାତ୍ରା ଅବସରରେ ଘଣ୍ଟର ବୃନ୍ଦବାଦନ ପ୍ରସ୍ତୁତ କରନ୍ତି । ଘଣ୍ଟୁଆ ସେବକ ମାନେ ସ୍ନାନ ପୂର୍ଣ୍ଣିମା ଦିନ ଘଣ୍ଟ ବଜାନ୍ତି । ଶ୍ରୀଗୁଣ୍ଡିଚା ଓ ଶ୍ରୀବାହୁଡ଼ା ବିଜେ, ଗୁଣ୍ଡିଚା ଘରକୁ ବିଜେ, ନୀଳାଦ୍ରି ବିଜେ, ରଥତ୍ରୟର ଦକ୍ଷିଣୀ ମୋଡ଼ରେ ରଥଟଣା, ବିଜେ ରାମକୃଷ୍ଣ ଓ ମଦନମୋହନଙ୍କ ବିଜେ ସମୟରେ ଘଣ୍ଟ ବଜାନ୍ତି । ଘଣ୍ଟସେବା ଏକ ପ୍ରାଚୀନ ସେବା ପରମ୍ପରା । ପୁରୀ ଘଣ୍ଟୁଆ ନିଯୋଗ ନାମରେ ମଧ୍ୟ ଏହା ବିଶେଷ ଜଣାଶୁଣା ।

    ଏହି ଗୋପୀନାଥ ମନ୍ଦିର ଘଣ୍ଟୁଆ ନିଯୋଗ ଦ୍ୱାରା ପରିଚାଳିତ । ନିଯୋଗ ପକ୍ଷରୁ ପ୍ରତିବର୍ଷ ଘଣ୍ଟୁଆମାନଙ୍କୁ ପଟେ ନୂଆ ଘଣ୍ଟ ଓ ଗୋଟିଏ ଗାମୁଛା ଯୋଗାଇ ଦିଆଯାଏ । ରଥଯାତ୍ରା ପରେ ଘଣ୍ଟୁଆ ସେବକମାନେ ଏହି ଘଣ୍ଟ ଫେରାଇ ଦିଅନ୍ତି । ପହଣ୍ଡି ଓ ରଥଟଣା ବେଳେ ଘଣ୍ଟୁଆ ସେବକମାନେ ନୂତନ ଧୋତି ଓ ଗାମୁଛା ପରିଧାନ କରି ଘଣ୍ଟ ବଜାନ୍ତି । ଏ ସମୟରେ କୌଣସି ଘଣ୍ଟୁଆ ସେବକ ଆମିଷ ଭକ୍ଷଣ କରନ୍ତି ନାହିଁ । ବର୍ତ୍ତମାନ ତାଳଧ୍ୱଜ ରଥରେ ୨୮ଜଣ, ଦର୍ପଦଳନ ରଥରେ ୨୪ଜଣ ଓ ନନ୍ଦିଘୋଷ ରଥରେ ୩୨ଜଣ ଘଣ୍ଟୁଆ ସେବକ ଘଣ୍ଟ ବାଦନ କରୁଛନ୍ତି । 

    Maximum 500 characters

    Ratha yatra View all

    Find Us on Facebook