ମୁଖ୍ୟ ଖବର
ପୁରୀ : ସୁପି୍ରମକୋର୍ଟଙ୍କ ରଥଯାତ୍ରା ବନ୍ଦ ଆଦେଶ ନ ବଦଳିଲେ ରାଜ୍ୟ ସରକାର ବିକଳ୍ପ ରଥଯାତ୍ରା ପରିକଳ୍ପନା କରିଥିଲେ । ଜୁନ ୨୦ ତାରିଖରୁ ଏହି ବିକଳ୍ପ ଯୋଜନାକୁ ସରକାରଙ୍କ ଠାରୁ ଅଦୁମୋଦନ ଆଶା ସରିଥିଲା । ଏହି ଯୋଜନା ଉପରେ ଆବଶ୍ୟକ ସହମତି ମଧ୍ୟ ବିଭିନ୍ନ ସ୍ତରରୁ ମିଳିସାରିଥିଲା । ଏହି ବିକଳ୍ପ ପରିକଳ୍ପନା ସମ୍ପର୍କରେ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା, ମୁଖ୍ୟ ଶାସନ ସଚିବ ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାରୀ ସଭାପତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ପୁରୀ ଜିଲ୍ଲାପାଳଙ୍କ ମଧ୍ୟରେ ସୀମିତ ରଖାଯାଇଥିଲା ।
ଏହି ଗୋପନ ପରିକଳ୍ପନା ପଛରେ ୧୯୯୨ ରେ ମହାପ୍ରଭୁଙ୍କ ଅସ୍ଥାୟୀ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ଏକ ଅସ୍ଥାୟୀ ଯୋଜନା ଆଧାର ଥିଲା । ତଦନୁସାରେ ଗୋପନ ପରିକଳ୍ପନା ହୋଇଥିଲା । ୧୯୯୨ ରେ ଗର୍ଭଗୃହ ମରାମତି ବେଳେ ଭିତର କାଠ ପାଖରେ ନିର୍ମାଣ ହୋଇଥିଲା ଏକ ଅସ୍ଥାୟୀ ମଣ୍ଡପ । ବଡ଼ ବଡ଼ ସାଇଜ କାଠକୁ ଅଠାରେ ଯୋଡ଼ି ଏହି ମଣ୍ଡପ ନିର୍ମାଣ ହୋଇଥିଲା । ଏହି ସିଂହାସନରେ ଶ୍ରୀବିଗ୍ରହ ଅସ୍ଥାୟୀ ଭାବେ ଅଧିଷ୍ଠିତ ହୋଇଥିଲେ । ଶ୍ରୀମନ୍ଦିର ଭିତରେ ରଥଯାତ୍ରା ବିଧି ପାଳନ ପାଇଁ ଗୋପନ ଭାବେ ପ୍ରସ୍ତୁତି ହୋଇଥିଲା ଦୁଇଟି ସିଂହାସନ ନକ୍ସା । ଜଗମୋହନ ରତ୍ନଭଣ୍ଡାର ପାଖ ଭିତର କାଠ ନିକଟରେ ବିକଳ୍ପ ସିଂହାସନ ଏବଂ ଆନନ୍ଦ ବଜାର ଭିତରେ ଆଡପ ମଣ୍ଡପ ପ୍ରତିରୂପରେ ନିର୍ମାଣ ପ୍ରସ୍ତାବର ମୁଖ୍ୟ ଅଂଶ ରହିଥିଲା । ଏହି ଦୁଇ ଆସନର ନକ୍ସା ବି ପ୍ରସ୍ତୁତ ହୋଇ ଅନୁମୋଦନ ବି ମିଳିଥିଲା । ଗ୍ରାନାଇଟ ପଥରରେ ରତ୍ନସିଂହାସନ ଏବଂ ଆଡ଼ପ ମଣ୍ଡପ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିଲା । ରତ୍ନ ସିଂହାସନ ମାପର ଅସ୍ଥାୟୀ ସିଂହାସନ ନିର୍ମାଣ ପାଇଁ ଯୋଜନା ହୋଇଥିଲା । ଜୁନ ୨୨ ତାରିଖ ଅପରାହ୍ନ ସାଢେ଼ ୨ଟା ପର୍ଯ୍ୟନ୍ତ ଏହି ପରିକଳ୍ପନାକୁ ସଫଳ ରୂପାୟନ କରିବାକୁ ପ୍ରସ୍ତୁତି ଚାଲିଥିଲା ।
ଜୟ ବିଜୟ ଦ୍ୱାରକୁ ମୁହଁ କରି ରତ୍ନ ସିଂହାସନ ନିର୍ମାଣ ହୋଇଥାନ୍ତା । ସେହିଭଳି ରଥ ନିର୍ମାଣ ଅନୁକୁଳ ହୋଇଥିବା ସ୍ଥାନରେ ଆଡ଼ପ ମଣ୍ଡପ ପ୍ରତିରୂପ ନିର୍ମାଣ ପାଇଁ ପ୍ରସ୍ତାବ ଥିଲା । ଚାହାଣି ଆଡ଼ପ ମଣ୍ଡପ ପାଖ (ଆନନ୍ଦ ବଜାର ହାତ ଧୁଆ ଜଳ ପାଖ) ଆଡ଼ପ ମଣ୍ଡପର ପ୍ରତିରୂପ ନିର୍ମାଣ ପ୍ରସ୍ତା ଥିଲ । ଶ୍ରୀଗୁଣ୍ଡିଚା ଦିନ ମହାପ୍ରଭୁ ପହଣ୍ଡି ବିଜେ କରି ଅସ୍ଥାୟୀ ଆଡ଼ପ ମଣ୍ଡପରେ ବିଜେ ହୋଇଥାନ୍ତେ । ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ନବଦିନ ଯାତ୍ରା ପର୍ଯ୍ୟନ୍ତ ଅଧିଷ୍ଠିତ ହେବାର ପରିକଳ୍ପନା ରହିଥିଲା । ସନ୍ଧ୍ୟା ଦର୍ଶନ ବି ଏହି ଅସ୍ଥାୟୀ ମଣ୍ଡପରେ ହୋଇଥାନ୍ତା ।
ବାହୁଡ଼ା ଦିନ ମହାପ୍ରଭୁ ଅସ୍ଥାୟୀ ଆଡ଼ପ ମଣ୍ଡପଠାରୁ ବାହୁଡ଼ା ପହଣ୍ଡିରେ ଆସି ଭିତର କାଠ ଠାରେ ନିର୍ମିତ ଅସ୍ଥାୟୀ ସିଂହାସନରେ ଅଧିଷ୍ଠିତ ହୋଇଥାନ୍ତେ । ଏହି ସିଂହାସନ ସୁନାବେଶ, ଅଧର ପଣା, ନୀଳାଦି୍ର ବିଜେ ନୀତି ସମାପନ କରି ଚତୁର୍ଦ୍ଧା ମୂର୍ତ୍ତି ଗର୍ଭଗୃହସ୍ଥ ରତ୍ନ ସିଂହାସନକୁ ଫେରିବାର ଯୋଜନା ଥିଲା । ଜୁନ ୨୨ ତାରିଖ ଅପରାହ୍ନ ଅଢେ଼ଇଟା ପର୍ଯ୍ୟନ୍ତ ଏହି ଗୋପନ ଯୋଜନାକୁ ଭରସି ପ୍ରଶାସନ ରହିଥିଲା ।
ଏହି ଯୋଜନା ସମ୍ପର୍କରେ କିଛି ଛାମୁଆ ସେବାୟତଙ୍କ ସହ ପ୍ରଶାସନ ପରୋକ୍ଷରେ ଆଲୋଚନା ମଧ୍ୟ କରିଥିଲା । ଏହି ବିଷୟ ଜାଣିବା ପରେ ପରେ ସେବାୟତମାନେ ମଧ୍ୟ ବଡ଼ ଦେଉଳ ଭିତରେ ଏକ ବିକଳ୍ପ ପରିକଳ୍ପନାକୁ ପ୍ରଶାସନ ଆଗରେ ରଖିଥିଲେ । ସେବାୟତଙ୍କ ପରିକଳ୍ପନାରେ ପ୍ରସ୍ତାବ ଥିଲା ଭିତର କାଠ ନିକଟରେ ଅସ୍ଥାୟୀ ସିଂହାସନ ନିର୍ମାଣ ହେବ । ଅଣସର ବେଦିରୁ ସିଧା ଚତୁର୍ଦ୍ଧାମୂର୍ତ୍ତ ପହଣ୍ଡି ବିଜେରେ ବାହାରିବେ । ସାତପାହାଚ ଠାରେ ଟାହିଆ ଲାଗି ହେବ । ଠାକୁରମାନେ କୀର୍ତ୍ତନ ଚକଡ଼ାରେ ପରିକ୍ରମା କରି ଭିତର କାଠ ସିଂହାସନକୁ ଫେରିବେ । ଏହି ସିଂହାସନରେ ପ୍ରଭୁ ସୁନାବେଶ, ଅଧରପଣା କିମ୍ବା ନିଳାଦ୍ରୀ ବିଜେ ନୀତି ହେବ ନାହିଁ । ନୀଳାଦି୍ର ବିଜେ ତିଥିରେ ଚତୁର୍ଦ୍ଧାମୂର୍ତ୍ତି ଗର୍ଭଗୃହ ରତ୍ନସିଂହାସନରେ ଅଧିଷ୍ଠିତ ହେବେ ବୋଲି ସେବାୟତଙ୍କ ପ୍ରସ୍ତାବ ରହିଥିଲା ବୋଲି ସୂଚନା ଦେଇଛନ୍ତି ଜଣେ ବରିଷ୍ଠ ଛାମୁଆ ଦଇତାପତି ସେବକ । ସେ କହିଛନ୍ତି ଆମକୁ ପ୍ରଶାସନର ବିକଳ୍ପ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା । କିନ୍ତୁ ଆମେ ବିକଳ୍ପ ରଥଯାତ୍ରା ପାଇଁ ପ୍ରଶାସନକୁ ପ୍ରସ୍ତାବ ଦେଇଥିଲୁ ।
Comments ସମସ୍ତ ମତାମତ