ମୁଖ୍ୟ ଖବର
ରାଉରକେଲା : ବେଙ୍ଗାଲୁରୁକୁ ସଂରକ୍ଷିତ ଟିକଟ କରାଇଦେବାର ପ୍ରତିଶ୍ରୁତି ଦେଇ ନୂଆପଡ଼ା ଜିଲାର ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ରେଳ କର୍ମଚାରୀ କପିଳେଶ୍ବର ସିଂ(୫୪)ଙ୍କୁ ରେଳବାଇ କର୍ତ୍ତୃପକ୍ଷ ଚାକିରିରୁ ବହିଷ୍କାର କରିଛନ୍ତି। ଭାଲ୍ଭ-ମ୍ୟାନ୍ କପିଳେଶ୍ବରକୁ ଚାକିରିରୁ ବରଖାସ୍ତ କରାଯାଇଛି ଓ ତାଙ୍କୁ େପନସନ୍ ନ ମିଳିବାର ବ୍ୟବସ୍ଥା କରାଯାଉଛି ବୋଲି ଚକ୍ରଧରପୁର ରେଳ ମଣ୍ଡଳର ବରିଷ୍ଠ ବାଣିଜ୍ୟିକ ପ୍ରବନ୍ଧକ ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି। ଅଭିଯୁକ୍ତ କପିଳେଶ୍ବରଙ୍କ ବିରୋଧରେ ରାଉରକେଲା ରେଳବାଇ ଥାନାରେ ଭାରତୀୟ ନ୍ୟାୟ ସଂହିତା ଧାରା ୬୪(୨) ଆଧାରରେ ମାମଲା ସଂଖ୍ୟା ୧୨୬/୨୦୨୬ ରୁଜୁ ହୋଇଛି। ରାଉରକେଲା ସରକାରୀ ଡାକ୍ତରଖାନାରେ ଡାକ୍ତରୀମାଇନା କରାଯିବା ପରେ ତାକୁ ଜେଲକୁ ପଠାଇ ଦିଆଯାଇଛି। ସେହିପରି, ଯୁବତୀଙ୍କ ଡାକ୍ତରୀମାଇନା କରାଯିବା ପରେ ତାଙ୍କୁ ୱାନ୍-ଷ୍ଟପ୍ ସେଣ୍ଟର୍ରେ ରଖାଯାଇଛି। ଏହି ଘଟଣାର ଅଧିକ ତଦନ୍ତ ଅବ୍ୟାହତ ଅଛି ବୋଲି ଜିଆରପି ସବ୍-ଇନ୍ସପେକ୍ଟର୍ କୈଳାସ ମୁଣ୍ଡା ସୂଚନା ଦେଇଛନ୍ତି। ଆସନ୍ତାକାଲି ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବ ବୋଲି ଶ୍ରୀ ମୁଣ୍ଡା କହିଛନ୍ତି।
ଅପରପକ୍ଷେ, ରେଳେଷ୍ଟସନ୍ ପରିସରରେ ରେଳବାଇ ସୁରକ୍ଷା ବଳ ଓ ସରକାରୀ ରେଳ ପୁଲିସ ମୁତୟନ ଥାଉଥାଉ ଦିନ ଆଲୁଅରେ ଘଟିଥିବା ଏହି ଆପରାଧିକ ଘଟଣା ରାଉରକେଲା ରେଳ ଷ୍ଟେସନ୍ରେ ମହିଳା ଯାତ୍ରୀଙ୍କ ସୁରକ୍ଷା ଉପରେ ବିରାଟ ପ୍ରଶ୍ନଚିହ୍ନ ଲଗାଇଛି।
ସୂଚନାଯୋଗ୍ୟ, ଦୁଇ ଭାଇଙ୍କ ସହ ଯୁବତୀଜଣଙ୍କ ବୁଧବାର ଦିନ ଟିଟିଲାଗଡ଼ ଷ୍ଟେସନରୁ ଭୁଲ ଟ୍ରେନ୍ରେ ହାଟିଆ ପଳାଇଥିଲେ। ଏ ସଂପର୍କରେ ଜାଣିବା ପରେ ସେମାନେ ଅନ୍ୟ ଏକ ଟ୍ରେନରେ ପୁଣି ରାଉରକେଲାକୁ ଫେରି ଆସିଥିଲେ। ସକାଳ ପ୍ରାୟ ୯ଟାରେ ଏଠାରେ ଓହ୍ଲାଇ ବେଙ୍ଗାଲୁରୁକୁ ସଂରକ୍ଷିତ ଟିକଟ କାଟିବା ପାଇଁ ଚେଷ୍ଟା କରୁଥିଲେ। ସେହି ସମୟରେ ଏହି ଲଜ୍ଜାଜନକ ଘଟଣା ଘଟିଥିଲା।
Comments ସମସ୍ତ ମତାମତ