ମୁଖ୍ୟ ଖବର
କୋଣାର୍କ: ମାନସିକ ବିକୃତ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ । କୋଣାର୍କ-ପୁରୀ ବେଳାମାର୍ଗ ରାମଚଣ୍ଡୀ ଥାନା ବାଙ୍ଗର ଗ୍ରାମସ୍ଥିତ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ଵାରା ପରିଚାଳିତ ପୁନର୍ବାସ କେନ୍ଦ୍ର ଶ୍ରଦ୍ଧାଳୟ ପରିସରରେ ଏଭଳି ଘଟଣା ଘଟିଛି । ବାଙ୍ଗର-ବରପଦା ଗ୍ରାମର ଜଣେ ଯୁବକ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ ହୋଇଛି । ଏନେଇ ରାମଚଣ୍ଡୀ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ସୂଚନାନୁସାରେ, ବାଙ୍ଗର-ବରପଦା ଗ୍ରାମର ହରି ନାରାୟଣ ମହାନ୍ତି ନାମକ ଯୁବକ ଶନିବାର ସକାଳେ ବାଙ୍ଗରସ୍ଥିତ ପୁନର୍ବାସ କେନ୍ଦ୍ର ଶ୍ରଦ୍ଧାଳୟ ପରିସରରେ ଢିଲା ସୁରକ୍ଷା ବ୍ୟବସ୍ଥା ଓ ପରିଚାଳନା ଗତ ଅପାରଗତା କାରଣରୁ ପ୍ରାଚୀର ଡେଇଁ ପରିସରରେ ଧସେଇ ପଶି ଯାଇଥିଲା ।
ଏହି ପୁନର୍ବାସ କେନ୍ଦ୍ର ଶ୍ରଦ୍ଧାଳୟ ପରିସରରେ ଥିବା ମମି ସେଣ୍ଟରରେ ଦୀର୍ଘ ୩ ବର୍ଷ ଧରି ମାନସିକ ବିଭାଗରେ ଝାଡ଼ଖଣ୍ଡ ଅଞ୍ଚଳର ମୋନିକା ତୀର୍କୀ ନାମ୍ନୀ ଜଣେ ମାନସିକ ବିକୃତ ମହିଳା ଚିକିତ୍ସିତ ହେଉଥିଲେ । ତାଙ୍କୁ ଜୋର୍ ଜବରଦସ୍ତ ନେଇ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ମହିଳା ଜଣଙ୍କ ଚିତ୍କାର କରିବାରୁ ଅନ୍ୟ କର୍ମଚାରୀମାନେ ଯାଇ ମହିଳାଙ୍କୁ ଉଦ୍ଧାର କରିଥିଲେ । ଶ୍ରଦ୍ଧାଳୟ ପରିଚାଳକ ତାମ୍ବାଲି ନାୟକ ଘଟଣା ଘଟିବାର ଦୀର୍ଘ ୧୦ ଘଣ୍ଟା ପରେ ରାମଚଣ୍ଡୀ ଥାନାରେ ଏତଲା ଦେଇଥିଲେ । ଖବର ପାଇ ଅଧିକାରୀ ବିଚିତ୍ରାନନ୍ଦ ପରିଡ଼ା ସଦଳବଳେ ଉକ୍ତ ଗ୍ରାମରେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିଥିଲେ । ଶ୍ରଦ୍ଧାଳୟ ଅନ୍ତେବାସୀ କେତେ ଅସୁରକ୍ଷିତ ଦୃଷ୍ଟି ଗୋଚର ହେଉଥିବା ବେଳେ ଏହାର ଢିଲା ସୁରକ୍ଷା ବ୍ୟବସ୍ଥା ଓ କେନ୍ଦ୍ର ଅଧିକ୍ଷକଙ୍କ ପରିଚାଳନାଗତ ତ୍ରୁଟି ଓ ଦିଶାହୀନ କାର୍ୟ୍ୟର ପରିଚାୟକ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।
Comments ସମସ୍ତ ମତାମତ