ମୁଖ୍ୟ ଖବର
ଭୁବନେଶ୍ୱର: ସହିଦ୍ନଗର ଥାନା ଅଞ୍ଚଳରେ ଏକ ସରକାରୀ କ୍ୱାର୍ଟର୍ସରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଛି । ଯୁବତୀଙ୍କ ଅଶ୍ଳୀଳ ଭିଡିଓ ରେକର୍ଡିଂ ବି କରାଯାଇଛି । ଏଭଳି ଜଘନ୍ୟ କାମ ଜଣେ ଆଇଆର୍ଏସ୍ ଅଫିସର କରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଏତଲା ପରେ ରାଜଧାନୀରେ ଚହଳ ପଡିଛି । ପୁଲିସ୍ ମାମଲା (୧୦୪/୨୬) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଯୁବତୀଙ୍କ ବୟାନ ରେକର୍ଡ କରିଛି ।ଆଇଆରଏସ୍ ଅଫିସର ଜଣଙ୍କ ସତସଙ୍ଗ ବିହାର ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟର୍ସରେ ପରିବାର ସହ ରହନ୍ତି । କିଛିଦିନ ତଳେ ଆଇଆର୍ଏସ୍ ଅଫିସରଙ୍କ ଭଉଣୀ ତାଙ୍କ ଘରକୁ ଆସିଥିଲେ । ତାଙ୍କ ସହ ଆସିଥିଲେ କୁଜଙ୍ଗ ଅଞ୍ଚଳର ମିଲି (ଛଦ୍ମନାମ) ନାମ୍ନୀ ଜଣେ ଯୁବତୀ । ୧୫ ତାରିଖ ଦିନ ଆଇଆରଏସ୍ଙ୍କ ଭଉଣୀ ଓ ପତ୍ନୀ କୌଣସି କାମରେ ବାହାରକୁ ଯାଇଥିଲେ । ଏହି ସମୟରେ ମିଲି ଘରେ ଥିଲେ । ଟିଭି ଦେଖୁଥିଲେ । ଅଫିସର୍ ଜଣଙ୍କ ତାଙ୍କୁ ଲାପଟପରେ ଏକ ସିନେମା ଦେଖିବାକୁ ବେଡରୁମକୁ ଡାକି ଅଶ୍ଳୀଳ ଭିଡିଓ ଦେଖାଇଥିଲେ । ତା’ପରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ । ମିଲି ପ୍ରତିବାଦ କରିବା ସହ ଥାନାକୁ ଯିବାକୁ ଧମକ ଦେଇଥିଲେ । ହେଲେ ଅଫିସର୍ ଜଣଙ୍କ ଫୋନ୍ରେ ମିଲିଙ୍କ ଡ୍ରେସ ବଦଳାଉ ଥିବାବେଳର ଉଲଗ୍ନ ଫଟୋ ରେକର୍ଡିଂ ରଖିଥିବା କହି ବ୍ଲାକମେଲ କରିଥିଲେ । ଥାନାରେ ଏତଲା ଦେଲେ କିମ୍ବା ଘଟଣା ସଂପର୍କରେ କାହାକୁ କିଛି କହିଲେ ଉକ୍ତ ଫଟୋକୁ ଭାଇରାଲ କରିଦେବାକୁ ଧମକ ଦେଇଥିଲେ । ଏଥିରେ ମିଲି ଡରି ଯାଇଥିଲେ । ତେବେ ମଉକା ଦେଖି ସେହିଦିନ ଉକ୍ତ କ୍ୱାର୍ଟର୍ସ ଛାଡି ମିଲି ଖସି ପଳାଇଥିଲେ । ୪ ଘଣ୍ଟା ପରେ ତାଙ୍କ ପତ୍ନୀ ଓ ଭଉଣୀ ପହଞ୍ଚିଥିଲେ ଘରେ । ମିଲିଙ୍କୁ ଖୋଜିଥିଲେ । ହେଲେ ଆଇଆରଏସ୍ ଅଫିସ୍ର ଜଣଙ୍କ କହିଥିଲେ ଯେ ମିଲି ଗାଁରୁ ଜରୁରି ଫୋନ୍ ଆସିଥିଲା । ତେଣୁ ସେ ହଠାତ ଗାଁକୁ ଯିବାକୁ ବାହାରିବାରୁ ମୁଁ ତାକୁ ବସ୍ରେ ବସାଇ ଦେଇଛି । ସେ ଗାଁକୁ ପଳାଇ ଯାଇଛି । ମିଲି ଗାଁକୁ ଯିବା ପରେ ଘଟଣା ସଂପର୍କରେ କାହାକୁ କିଛି କହିପାରିନଥିଲେ । ତେବେ ଗତ ୧୮ ତାରିଖ ଦିନ ମିଲି ଜାଣିବାକୁ ପାଇଥିଲେ ଯେ ଆଇଆରଏସ୍ ଅଫିସ୍ର ରଖିଥିବା ତାଙ୍କ ଅଶ୍ଳୀଳ ଫଟୋକୁ ଭାଇରାଲ୍ କରିଦେଇଛନ୍ତି । ଘଟଣା ସଂପର୍କରେ ପଚାରିବାକୁ ମିଲି ତାଙ୍କୁ ଯୋଗାଯୋଗ କରିଥିଲେ । ହେଲେ ଆଇଆରଏସ୍ ଅଫିସର ଜଣଙ୍କ ତାଙ୍କୁ ପୁଣି ପୁରୀର ଏକ ହୋଟେଲ୍କୁ ଡାକିଥିଲେ । ହୋଟେଲ୍ ନ ଗଲେ ଘର ଲୋକଙ୍କୁ ଭିଡିଓ ପଠାଇଦେବେ ବୋଲି ଧମକ ଦେଇଥିଲେ ।
କିଛି ଉପାୟ ନ ପାଇ ମିଲି ସହିଦ୍ ନଗର ଥାନାରେ ଏତଲା ଦେଇଥିଲେ । ପୁଲିସ୍ ମାମଲା ରୁଜୁ କରିବା ସହ ଆଇଆରଏସ୍ଙ୍କ ବିରୋଧରେ ୬୪ (୧) ଦଫା ଲଗାଇଛି । ଗତକାଲି ପୁଲିସ୍ ପୀଡିତାଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀମାଇନା କରିଛି । ଏନେଇ ସହିଦ୍ ନଗର ଥାନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯୁବତୀଙ୍କ ଅଭିଯୋଗ ପରେ ମାମଲା ରୁଜୁ ହୋଇଛି । ଜଣେ ମହିଳା ଅଧିକାରୀଙ୍କୁ ତଦନ୍ତ ଭାର ଦିଆଯାଇଛି । ଶନିବାର ସହିଦ ନଗର ଥାନା ଅଧିକାରୀ ୨ ଜଣ ମହିଳା ଅଫିସରଙ୍କୁ ନେଇ ଜଗତସିଂହପୁର ଯାଇ ପୁଣି ଥରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛନ୍ତି ।
Comments ସମସ୍ତ ମତାମତ