ମୁଖ୍ୟ ଖବର
ବୀରମିତ୍ରପୁର: ରାଏବଗା ଥାନା ଅଞ୍ଚଳରେ ଜଣେ ସ୍କୁଲଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏଥିରେ ସଂପୃକ୍ତ ନାବାଳକ ଛାତ୍ରଙ୍କୁ ପୁଲିସ ଡାକ୍ତରୀମାଇନା କରି ଜୁଭେନାଇଲ୍ କୋର୍ଟରେ ହାଜର କରାଇବା ପରେ ବାଳସୁଧାର ଗୃହକୁ ପଠାଯାଇଛି।
ସୂଚନା ଅନୁଯାୟୀ, ଏହି ଛାତ୍ରୀଜଣଙ୍କ ସଂପୃକ୍ତ ଛାତ୍ର ପ୍ରେମ ସଂପର୍କ ରଖି ତାଙ୍କ ଘରକୁ ଯିବାଆସିବା କରୁଥିଲା। ଗତ ଅଗଷ୍ଟ ମାସରେ ଛାତ୍ରୀଜଣକ ଘରେ ଏକୁଟିଆ ଥିବା ସୁଯୋଗ ନେଇ ନାବାଳକଜଣକ ତାଙ୍କ ସହିତ ଦୁଷ୍କର୍ମ କରିବା ସହ ଏ ସମ୍ପର୍କରେ କାହାରିକୁ କିଛି ନକହିବା ପାଇଁ ଧମକଦେଇ ସେଠାରୁ ପଳାଇ ଯାଇଥିଲା। ଗତ ୨୨ ତାରିଖରେ ଛତ୍ରୀଜଣକ ଗର୍ଭବତୀ ହୋଇଥିବା ଜାଣି ଲୋକଲଜ୍ଜାରେ ଘରେ ଥିବା ମ୍ୟାଲେରିଆ ବଟିକା ଖାଇଦେବାରୁ ଗୁରୁତର ହୋଇପଡ଼ିଥିଲେ।
ଘରଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ରାଜଗାଙ୍ଗପୁରର ଏକ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଯାଞ୍ଚ କରିବା ପରେ ଛାତ୍ରୀଜଣକ ଗର୍ଭବତୀ ଥିବା ଜଣାପଡ଼ିଥିଲା। ପୀଡ଼ିତା ଛାତ୍ରୀଙ୍କ ପରିବାର ପକ୍ଷରୁ ଏ ସମ୍ପର୍କରେ ୨୩ ତାରିଖରେ ରାଏବଗା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।
ରାଏବଗା ଥାନାଧିକାରୀ ପ୍ରହ୍ଲାଦ ପ୍ରଧାନ ପୋକ୍ସୋ ଧାରାରେ ଏକ ମାମଲା ରୁଜୁକରିବା ସହିତ ସମ୍ପୃକ୍ତ ନାବାଳକଙ୍କୁ ଆଣି ଡାକ୍ତରୀମାଇନା କରାଇବା ସହ ଜୁଭେନାଇଲ୍ କୋର୍ଟରେ ହାଜର କରାଇଥିଲେ। ଏହାପରେ ନାବାଳକଙ୍କୁ ବାଳସୁଧାର ଗୃହ ପଠାଯାଇଥିବା ଥାନାଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।
Comments ସମସ୍ତ ମତାମତ