ମୁଖ୍ୟ ଖବର
ବ୍ରହ୍ମପୁର: ରାଜ୍ୟସଭା ନିର୍ବାଚନ କ୍ରସ୍ ଭୋଟିଂ ପରଠୁ ରାଜ୍ୟ ରାଜନୀତି ଉଠୁଛି ପଡୁଛି । ଗଞ୍ଜାମ ଜିଲ୍ଲାରେ ଦଳକୁ ବଞ୍ଚାଇ ରଖିଥିବା ଏକ ମାତ୍ର ବିଧାୟକ ରମେଶ ଜେନାଙ୍କୁ ଦଳରୁ ନିଲମ୍ବନ କରିଛି ପ୍ରଦେଶ କଂଗ୍ରେସ କମିଟି । ଦଳରୁ ବିଦା ହେବା ପରେ ରମେଶ ଏବେ ପିସିସି ସଭାପତିଙ୍କ ବିରୋଧରେ ବିଷ ଓଗାଳୁଥିବା ସତ୍ତେ୍ୱ ତାଙ୍କ ପ୍ରତି ଦଳ କୋହଳ ହୋଇଥିବା ଚର୍ଚ୍ଚା ।କ୍ରସ୍ ଭୋଟିଂ କରିଥିବା ବିଧାୟିକା ସୋଫିଆ ପିର୍ଦ୍ଦୋସ, ବିଧାୟକ ଦାଶରଥି ଗମାଙ୍ଗ ଓ ରମେଶ ଜେନାଙ୍କୁ ଦଳରୁ ନିଳମ୍ବନ କରାଯାଇଛି । ପରେ ସୋଫିଆ ଓ ଦାଶରଥି ଗମାଙ୍ଗଙ୍କ ବିଧାୟକ ପଦ ରଦ୍ଦ କରିବାକୁ କଂଗ୍ରେସ ବାଚସ୍ପତିଙ୍କୁ ଚିଠି କରିଛି । କିନ୍ତୁ ଚିଠିରେ ନାହିଁ ରମେଶଙ୍କ ନାମ । ରମେଶଙ୍କ ସଭ୍ୟପଦ ରଦ୍ଦ ଦିଗରେ କୌଣସି ଚିଠି ନହେବା ତାଙ୍କ ପ୍ରତି ରାଜ୍ୟନେତୃତ୍ୱ କୋହଳ ମନୋଭାବ ରଖୁଥିବା ଚର୍ଚ୍ଚା ହୋଇଛି । କ୍ରସ୍ ଭୋଟିଂ ପରେ ସୋସିଆଲ ମିଡିଆରେ ରମେଶଙ୍କୁ ବିରୋଧ କରି ଅନେକ କମେଣ୍ଟ ଆସୁଛି । ଭଞ୍ଜନଗରରେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ରମେଶଙ୍କୁ ସମାଲୋଚନା କରାଯାଇଥିଲା । ପିସିସି ସଭାପତି କଡ଼ା ଭାଷାରେ ରମେଶଙ୍କୁ ସମାଲୋଚନା କରି ଗଣମାଧ୍ୟମରେ ବୟାନ ଦେଉଛନ୍ତି । କିନ୍ତୁ ବ୍ରହ୍ମପୁରରେ ତାଙ୍କୁ ବିରୋଧ କଲା ଭଳି କୌଣସି କାର୍ୟ୍ୟକ୍ରମ ଦେଖିବାକୁ ମିଳିନାହିଁ । ୨୦୦୭ରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ରମେଶ ଜେନା କେବଳ ଗଞ୍ଜାମ ନୁହେଁ, ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ନାମ । ରମେଶଙ୍କୁ ଯଦିଓ ବ୍ରହ୍ମପୁର ପ୍ରବେଶ ମନା, କିନ୍ତୁ ସହର ଭିତରେ ତାଙ୍କର ଭଲ ସଂଗଠନ ରହିଛି । ଜିଲ୍ଲା ରାଜନୀତିରେ ତ ତାଙ୍କର ଦବ୍ଦବା ରହିଛି, ବ୍ରହ୍ମପୁର ବିଧାନସଭା କ୍ଷେତ୍ର ବା ମହାନଗର ନିଗମ ରାଜନୀତିରେ ବି ରମେଶଙ୍କ ପତିଆରା ଅନୁଭବ ହୁଏ । ଏସବୁକୁ ଦୃଷ୍ଟିରେ ରଖି ହୁଏତ ରାଜ୍ୟ ନେତୃତ୍ୱ ବାଚସ୍ପତିଙ୍କୁ ଅନ୍ୟ ଦୁଇ ବିଧାୟକ/ ବିଧାୟିକାଙ୍କ ପଦ ରଦ୍ଦ କରିବାକୁ ଚିଠି ଲେଥିବାବେଳେ ରମେଶଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ କେବଳ ନିଲମ୍ବନରେ ସୀମିତ ରଖିଥିବା ଚର୍ଚ୍ଚା ହେଉଛି ।
ସଭ୍ୟପଦ୍ଦ ରଦ୍ଦ ସୁପାରିସ ନକଲେ ମଧ୍ୟ ଜିଲ୍ଲାରେ ରମେଶଙ୍କ ବିକଳ୍ପ ଖୋଜା ଆରମ୍ଭ ହୋଇଛି । ଜିଲ୍ଲା (ପଶ୍ଚିମ) ସଭାପତି ପଦ ପାଇଁ ୩ ଜଣ ନେତାଙ୍କ ନାମ ସୁପାରିସ ହୋଇଥିବା ସୂଚନା ମିଳିଛି । ପିସିସି ସଦସ୍ୟ ପି.ଦଣ୍ଡପାଣି ପାତ୍ର, ପିସିସି ସଦସ୍ୟ ତଥା ବିଧାୟକ ପ୍ରାର୍ଥୀ ଇଂ ସଂଗ୍ରାମ କେଶରୀ ମହାନ୍ତି ଓ ବିଧାୟକ ପ୍ରାର୍ଥୀ ବିଜୟ ସାହୁଙ୍କ ନାମ ସଭାପତି ପାଇଁ ସୁପାରିସ ହୋଇଥିବା ଚର୍ଚ୍ଚା ହେଉଛି । ଗୁରୁବାର ଭୁବନେଶ୍ୱର ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ସଭାପତିତ୍ୱରେ ବୈଠକ ହୋଇଛି । ଏଥିରେ ଗଞ୍ଜାମର ବହୁ କଂଗ୍ରେସ ନେତା ଯୋଗ ଦେଇଥିଲେ । କିଛି ନେତା ରମେଶଙ୍କୁ ସମାଲୋଚନା କରିଥିବାବେଳେ ଆଉ କିଛି ନିରବ ଥିବା ଶୁଣାଯାଉଛି । ପ୍ରଥମଥର ପାଇଁ ପଶ୍ଚିମର ସମସ୍ତ ନେତାଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ସମସ୍ତଙ୍କ ମତ ଥିଲା, ପୂର୍ବପେକ୍ଷା ଦଳ ଏବେ ସୁଦୃଢ଼ ହେବ । ଗଞ୍ଜାମରେ କଂଗ୍ରେସ ବୁଝାମଣାରେ ଚାଲିଥିବା ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ଗଣମାଧ୍ୟମରେ ଯେଉଁ ବୟାନ ରଖିଥିଲେ, ତା’ରି ସପକ୍ଷରେ ସବୁ ନେତା କହିଥିଲେ । ଏବେ କଂଗ୍ରେସ ସବୁ ବନ୍ଧନରୁ ମୁକ୍ତ ହୋଇଛି । ଏକ କୈନ୍ଦ୍ରୀକ ବ୍ୟବସ୍ଥାକୁ କେହି ପସନ୍ଦ କରୁନଥିବାବେଳେ ଏବେ କଂଗ୍ରେସ ଆହୁରି ବଢ଼ିବ ଏବଂ ଶକ୍ତିଶାଳୀ ହେବ ବୋଲି କିଛି ନେତା ମତ ରଖିଥିଲେ ।
Comments ସମସ୍ତ ମତାମତ