Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କ୍ରସ ଭୋଟିଂ କଲେ 8 ବିଧାୟକ, କାର୍ଯ୍ୟାନୁଷ୍ଠାନ ନେବେ କି ନବୀନ ?

    Share on :
    ajab-Image
    Date: Mar 17, 2026    Views: 3199

    ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ବଦଳୁଛି ସମିକରଣ । ବିଜେଡିରେ ହୋଇଛି ବଡ଼ ବିସ୍ଫୋରଣ । ଯାହା ପୂର୍ବରୁ ବିଜେଡିରେ କେବେ ହୋଇନଥିଲା ତାହା ଆଜି ହୋଇଛି । ତାହା ପୁଣି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ହୋଇଛି । ଜଣଙ୍କ ପରେ ଜଣେ ବିଧାୟକ ରାଜ୍ୟସଭା ନିର୍ବାଚନରେ କରିଛନ୍ତି କ୍ରସ ଭୋଟିଂ । ବିଜେଡିର 6 ଜଣ ଓ ବିଜେଡିର ସସପେଣ୍ଡ ହୋଇଥିବା 2 ବିଧାୟକ କରିଛନ୍ତି କ୍ରସ ଭୋଟିଂ । ଏମିତିକି ନବୀନ ନିବାସରେ ରାତ୍ରୀ ଯାପନ କରି ସୋମବାର ଭୋଟ୍ ଦେବାକୁ ଆସି କରିଛନ୍ତି କ୍ରସ ଭୋଟିଂ ।
    ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକ ହେଉଛନ୍ତି- ବାଲିଗୁଡ଼ା ବିଧାୟକ ଚକ୍ରମଣି କଅଁର, ବସ୍ତା ବିଧାୟିକା ସୁବାସିନୀ ଜେନା, କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, ଜୟଦେବ ବିଧାୟକ ନବକିଶୋର ମଲ୍ଲିକ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ । ସେହିପରି ବିଜେଡିରୁ ସସପେଣ୍ଡ ହୋଇଥିବା ଦୁଇ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ମଧ୍ୟ କ୍ରସ ଭୋଟିଂ କରିଛନ୍ତି । ସମସ୍ତେ ଦିଲୀପ ରାୟଙ୍କୁ ଭୋଟ ଦେଇଛନ୍ତି । ଗତକାଲି ପର୍ଯ୍ୟନ୍ତ ଲଗାତାର ଭାବେ 3 ଦିନ ଧରି ନବୀନ ନିବାସରେ ହୋଇଥିବା ବୈଠକରେ ଉପସ୍ଥିତ ବସ୍ତା ବିଧାୟିକା ସୁବାସିନୀ ଜେନା ଓ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇଙ୍କ ସମର୍ଥନ ଦିଲୀପଙ୍କୁ ଯାଇଛି । ଏମିତିକି ରବିବାର ରାତିରେ ଲୁଙ୍ଗି ପନ୍ଧି ନବୀନ ନିବାସରେ ରାତ୍ରିଯାପନ କରି ସୋମବାର ମତ ବଦଳେଇଛନ୍ତି ରମାକାନ୍ତ ।
    କ୍ରସ ଭୋଟିଂ ପରେ ବିଜେଡିରେ ହୋଇଛି ବିସ୍ଫୋରଣ । ତେଣୁ ଏକା ସାଙ୍ଗରେ 8 ବିଧାୟକ କ୍ରସ ଭୋଟିଂ କରିଥିବାରୁ କଠୋର ହୋଇପାରନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । କ୍ଷମତାରୁ ଯିବା ପରେ ନବୀନଙ୍କ ଶାସନ ଢିଲା ହୋଇଥିବା ବାର୍ତ୍ତା ଯାଉଛି । ବିଧାୟକଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଯୋଜନା କରୁଛି ଦଳ । ଆଗକୁ ପଞ୍ଚାୟତ ନିର୍ବାଚନ ଓ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଦଳ ହାତେ ମାପି ଚାଖଣ୍ଡେ ଚାଲୁଛି । ରାଜ୍ୟସଭା ନିର୍ବାଚନରେ ଏଭଳି ପରିସ୍ଥିତି ପରେ ଦଳରୁ ବିଦା ହୋଇଥିବା ନେତା ଜଣକ ପରେ ଜଣେ ମୁହଁ ଖୋଲିବାରେ ଲାଗିଛନ୍ତି । ଆଗାମୀ ଦିନରେ ଦଳରେ କଣଠେସା ଓ ଅସନ୍ତୁଷ୍ଟ ଥିବା ମଧ୍ୟ ମୁହଁ ଖୋଲିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । ଯାହା ବିଜେଡି ଥିଙ୍କ ଟ୍ୟାଙ୍କରଙ୍କ ନିଦ ହଜେଇ ଦେଇଛି ।
    ବିଜେଡି ବିଧାୟକ ତଥା ନିର୍ବାଚନ ଏଜେଣ୍ଟ ପ୍ରତାପ କେଶରୀ ଦେବ କହିଛନ୍ତି, "4ଟି ପଦ ପାଇଁ 5 ଜଣ ପ୍ରାର୍ଥୀ ଛିଡା ହୋଇଥିଲେ । ବିଜେଡି ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଥିଲା । ଦତ୍ତେଶ୍ୱର ହୋତାଙ୍କୁ ବିଜେଡି ଓ କଂଗ୍ରେସ ମିଳିତ ପ୍ରାର୍ଥୀ କରିଥିଲା । ଶାସକ ଦଳ ପକ୍ଷରୁ କ୍ରସ ଭୋଟିଂ ବା ହର୍ସ ଟ୍ରେଡିଂ ବା ଘୋଡା ବେପାର ପାଇଁ ପ୍ରୟାସ ହେଉଥିବା ନେଇ ବିଜେଡି ସଭାପତି ବାରମ୍ବାର କହିଛନ୍ତି । ତାହା ସମସ୍ତେ ଦେଖିଲେ । ସେଇଟା ଲୁଚାଛପା କିଛି ନାହିଁ । କ୍ରସ ଭୋଟିଂ କରିଥିବା ବିଧାୟକଙ୍କ ବିରୋଧରେ ଠିକ ସମୟରେ ନିଷ୍ପତ୍ତି ନେବ ଦଳ ।"
    କ୍ରସ ଭୋଟିଂ କଥା ସାମ୍ନାକୁ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି, ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, "ମୁଁ କିଛି ଦିନ ହେଲା କହି ଆସୁଛି ଯେ ବିଜେପି ଓ ତାଙ୍କ ସାଥୀମାନେ ଘୋଡ଼ା ବେପାର କରିବେ । ଯେଉଁମାନେ ତାଙ୍କ ପାଇଁ ଭୋଟ ଦେଇଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଅପରାଧିକ ରେକର୍ଡ ରହିଛି । ସେମାନଙ୍କ ମଧ୍ୟରୁ କେତେ ଜଣଙ୍କ ବାପା ଜେଲକୁ ଯାଇଥିଲେ । କେତେ ଜଣ ନିଜେ ଜେଲ ଯାଇଥିଲେ । ଆପଣମାନେ ତା’ର ଯାଞ୍ଚ କରିପାରିବେ ।"
    ବିଜେଡିରୁ ସସପେଣ୍ଡ ହୋଇଥିବା ବିଧାୟକ ଅରବିନ୍ଦ ମହାପାତ୍ର କହିଛନ୍ତି, "ବିଜେଡି ଯେବେ ପ୍ରାର୍ଥୀ ଚୟନ କଲା ମୋ ସହିତ ଯୋଗାଯୋଗ କରିନଥିଲେ । ଦଳର କୌଣସି ବୈଠକକୁ ଡାକି ନଥିଲେ । ବିଜେଡି ପ୍ରାର୍ଥୀ କିମ୍ବା ସମର୍ଥିତ ପ୍ରାର୍ଥୀ ମୋ ସହିତ ଆଲୋଚନା କରିନଥିଲେ । ଦତ୍ତେଶ୍ୱର ହୋତାଙ୍କ ସହିତ ଦୁଇ ଥର ସାକ୍ଷାତ ହୋଇଛି । ବୈଠକରେ ରାଜନୈତିକ ଆଲୋଚନା ହୋଇନଥିଲା । କାହାକୁ ଭୋଟ ଦେବି ବୋଲି ଦଳ ତରଫରୁ ମୋତେ କେହି କହିନଥିଲେ । ସସପେଣ୍ଡ ହୋଇ ଦଳ ସହିତ ନାହିଁ, କେମିତି କହିବେ ମୁଁ କ୍ରସ ଭୋଟିଂ କରିଛି । ଦଳ ମୋ ସହିତ ଯୋଗାଯୋଗ କରିନାହିଁ । ତେଣୁ ମୁଁ ମୋ ସ୍ୱାଧୀନ ମତ ଦେଇଛି ।"

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook