ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ହେଉଛନ୍ତି ବିଜେପି ନେତା ଦିଲ୍ଲୀପ ରାୟ । ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୪୩୭କୋଟି ଟଙ୍କା ଓ ତାଙ୍କ ପତ୍ନୀ ପୂଜା ରାୟଙ୍କ ପାଖରେ ପ୍ରାୟ ୨୦କୋଟି ଟଙ୍କାର ସମ୍ପତ୍ତି ରହିଛି।
ସତ୍ୟପାଠ ଅନୁସାରେ ୭୪ବର୍ଷୀୟ ଶ୍ରୀ ରାୟଙ୍କ ପାଖରେ ପ୍ରାୟ ୩୯୧.୬୨କୋଟି ଟଙ୍କାର ଅସ୍ଥାବର ଓ ପ୍ରାୟ ୪୫.୫୦ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ଶ୍ରୀ ରାୟଙ୍କର ଭୁବନେଶ୍ୱର, ରାଉରକେଲା, ନୂଆଦିଲ୍ଲୀ ଓ ପଶ୍ଚିମବଙ୍ଗର ଜଳପାଇଗୁଡ଼ି ଭଳି ସ୍ଥାନରେ ତାଙ୍କର ଏକାଧିକ ଆବାସିକ ଗୃହ ଓ ଆପାର୍ଟମେଂଟ ରହିଛି, ଯାହାର ବଜାର ମୂଲ୍ୟ ପ୍ରାୟ ୪୫ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ସେ ଦର୍ଶାଇଛନ୍ତି। ତାଙ୍କ ପତ୍ନୀଙ୍କ ନାମରେ ମଧ୍ୟ ପଶ୍ଚିମବଙ୍ଗର ଦାର୍ଜିଲିଂ ଏବଂ ଉତ୍ତର ୨୪ ପ୍ରଗଣାରେ ପ୍ରାୟ ୮ କୋଟି ଟଙ୍କାର ସମ୍ପତ୍ତି ରହିଛି। ଏହାବ୍ୟତୀତ ତାଙ୍କ ପତ୍ନୀ ପୂଜାଙ୍କ ପାଖରେ ପ୍ରାୟ ୧୧.୧୭ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତିି ରହିଛି।
ଶ୍ରୀ ରାୟଙ୍କ ପାଖରେ ପ୍ରାୟ ୨୧୦୩ ଗ୍ରାମ୍ ସୁନା ଓ ୫୨.୮୪ କ୍ୟାରେଟ୍ ହୀରା ଥିବାବେଳେ ତାଙ୍କ ପତ୍ନୀଙ୍କ ପାଖରେ ୨୯୦୬ ଗ୍ରାମ୍ ସୁନା ଓ ୨୭୮.୩୯ କ୍ୟାରେଟ୍ ହୀରା ରହିଛି । ଶ୍ରୀ ରାୟ ଜଣେ ଆଇନ ଡିଗ୍ରୀଧାରୀ ଓ ସେ ୧୯୭୬ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ ନିଜର ଶିକ୍ଷା ସମାପ୍ତ କରିଛନ୍ତି।
ତାଙ୍କ ବିରୁଦ୍ଧରେ ସମ୍ବଲପୁର ଭିଜିଲାନ୍ସ ଓ କଟକ ଭିଜିଲାନ୍ସରେ ଦୁଇଟି ମାମଲା ଥିବାବେଳେ କୋଇଲା ବ୍ଲକ ଆବଂଟନ ଦୁର୍ନୀତିରେ ୨୦୨୦ ମସିହାରେ ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ୩ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା କିନ୍ତୁ ଦିଲ୍ଲୀ ହାଇକୋର୍ଟ ଏହି ଦଣ୍ଡ ଉପରେ ରହିତାଦେଶ ଜାରି କରିଛନ୍ତି।
Comments ସମସ୍ତ ମତାମତ