Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରାଜ୍ୟସଭା ପ୍ରାର୍ଥୀ: ସନ୍ତୃପ୍ତ ମିଶ୍ରଙ୍କ କେତେ ସମ୍ପତ୍ତି ଜାଣନ୍ତୁ ?

    Share on :
    ajab-Image
    Date: Mar 7, 2026    Views: 2348

    ଭୁବନେଶ୍ୱର:  ରାଜ୍ୟର ୪ଟି ରାଜ୍ୟସଭା ଆସନ ପାଇଁ ୫ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଛି। ବିଜେପି ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍ କୁମାରଙ୍କ ସମେତ ବିଜେଡିର ସନ୍ତୃପ୍ତ ମିଶ୍ର ଏବଂ ଦୁଇ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଓ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। କୌଣସି ବିଧାୟକ ପ୍ରସ୍ତାବକ ନଥିବାରୁ ହାଇଦ୍ରାବାଦର କାନ୍ତେ ସାୟାନ୍ନାଙ୍କ ନାମାଙ୍କନ ପତ୍ର ଖାରଜ ହୋଇଛି ବୋଲି ବିଧାନସଭା ସଚିବାଳୟ ସୂତ୍ରରୁ ଜଣାପଡ଼ିଛି।
    ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲବେଳେ ଦେଇଥିବା ସତ୍ୟପାଠରୁ ଜଣାପଡ଼ିଛି ଯେ, ଏହି ୫ଜଣ ପ୍ରାର୍ଥୀଙ୍କ ମଧ୍ୟରେ ସନ୍ତୃପ୍ତ ମିଶ୍ର ସର୍ବାଧିକ ଧନୀ ପ୍ରାର୍ଥୀ। ମୋଟ ପ୍ରାୟ ୫୯୫.୧୪କୋଟି ଟଙ୍କାର ସ୍ଥାବର-ଅସ୍ଥାବର ସମ୍ପତ୍ତିର ସେ ଓ ତାଙ୍କ ପତ୍ନୀ ଅଳକା ମିଶ୍ର ହେଉଛନ୍ତି ମାଲିକ । ସବୁ ଆଶାୟୀଙ୍କୁ ପଛରେ ପକାଇ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି ସନ୍ତୃପ୍ତ। ସେ ଦାଖଲ କରିଥିବା ସତ୍ୟପାଠ ଅନୁସାରେ, ମୋଟ ୫୯୫.୧୪କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଙ୍କ ପାଖରେ ଅଛି । ସେଥିରେ ପତ୍ନୀ ଅଳକାଙ୍କ ନାଁରେ ୨୦.୪୮କୋଟି ଟଙ୍କାର ଅସ୍ଥାବର ଓ ୮.୬୮କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି ।
    ୬୦ବର୍ଷୀୟ ସନ୍ତୃପ୍ତଙ୍କର ନିଜସ୍ୱ ଅସ୍ଥାବର ସମ୍ପତ୍ତି ୫୧୨.୯୦କୋଟି ଟଙ୍କା ଓ ସ୍ଥାବର ସମ୍ପତ୍ତିର ପରିମାଣ ୫୩.୦୬କୋଟି ଟଙ୍କା। ତାଙ୍କ ପାଖରେ ମର୍ସିଡିଜ୍ ବେଞ୍ଜ୍ ଓ ବିଏମଡବ୍ଲୁ ଭଳି ଅତି ଦାମୀ ବିଳାସପୂର୍ଣ୍ଣ ଗାଡ଼ି ମଧ୍ୟ ରହିଛି। ମହାରାଷ୍ଟ୍ରର ରାୟଗଡ଼ ଅଂଚଳରେ ପ୍ରାୟ ୪୦ କୋଟି ଟଙ୍କାର ବିଶାଳ କୃଷି ଜମି ରହିଛି।  
    ମୁମ୍ବାଇର ମହଲକ୍ଷ୍ମୀ ଓ ଅନ୍ଧେରୀ ଇଷ୍ଟରେ ବିଳାସପୂର୍ଣ୍ଣ ଫ୍ଲାଟ୍‌, ମୁମ୍ବାଇର ପାୱାଇ ଅଂଚଳରେ ଏକ ବଡ଼ ବାଣିଜ୍ୟିକ କୋଠା, ହାଇଦ୍ରାବାଦର ଗାଛିବୋଲିରେ ଆବାସିକ ଗୃହ ରହିଛି। ଓଡ଼ିଶାରେ ତାଙ୍କର କଟକର ତିଗିରିଆ ଓ ଖୋର୍ଦ୍ଧାର ଜଟଣୀ ଅଞ୍ଚଳରେ ଚାଷ ଜମି ରହିଥିବାବେଳେ ଭୁବନେଶ୍ୱରର ପାତ୍ରପଡ଼ାରେ ଅଣକୃଷି ଜମି ଓ କଟକ ସିଡିଏରେ ଗୋଟିଏ ବାସଗୃହ ମଧ୍ୟ ରହିଛି।ତାଙ୍କ ପତ୍ନୀ ଅଳକାଙ୍କ ନାଁରେ ମୁମ୍ବାଇ, ଥାନେ ଓ ହରିୟାଣାର ଗୁରୁଗ୍ରାମ ଭଳି ସହରରେ ସମ୍ପତ୍ତି ରହିଛି। ସନ୍ତୃପ୍ତ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡି ହାସଲ କରିବା ସହିତ ୟୁନାଇଟେଡ୍ କିଙ୍ଗଡମର ଆଷ୍ଟନ୍ ବିଶ୍ୱବିଦ୍ୟାଳୟରୁ ମଧ୍ୟ ଡକ୍ଟର ଅଫ୍ ଫିଲୋସୋଫି ଡିଗ୍ରୀ ପ୍ରାପ୍ତ କରିଛନ୍ତି। ତାଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି।ଶ୍ରୀ ମିଶ୍ର ୨୦୨୪ ସାଧାରଣ ନିର୍ବାଚନରେ ଦାଖଲ କରିଥିବା ସତ୍ୟପାଠରେ ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୪୮୨.୨୫କୋଟି ଟଙ୍କା ଦର୍ଶାଇଥିଲେ, ଯାହାକି ମାତ୍ର ଦୁଇବର୍ଷରେ ଅର୍ଥାତ୍ ୨୦୨୬ରେ ୧୧୨.୮୯କୋଟି ଟଙ୍କାକୁ ବୃଦ୍ଧି ପାଇଛି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook