ମୁଖ୍ୟ ଖବର
ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍ କୁମାରଙ୍କ ସମେତ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପିର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଏହି ପ୍ରାର୍ଥୀପତ୍ର ଦାଖଲ ହୋଇଛି। ଆଜି ନାମାଙ୍କନ ପତ୍ର ଦାଖଲର ଶେଷଦିନରେ ବିଜେଡିର ସନ୍ତୃପ୍ତ ମିଶ୍ର ଓ ବିଜେଡି-କଂଗ୍ରେସ ସମର୍ଥିତ ଦତ୍ତେଶ୍ୱର ହୋତା ମଧ୍ୟ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
ସୂଚନା ଅନୁସାରେ, ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ପ୍ରାର୍ଥୀ ମନମୋହନ ସାମଲ ଓ ସାଂସଦ ସୁଜିତ୍ କୁମାର ଉଭୟ ଦଳୀୟ କାର୍ୟ୍ୟାଳୟରୁ ଏକ ଶୋଭାଯାତ୍ରାରେ ଆସି ରାମମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ସେଠାରୁ ବିଧାନସଭାକୁ ଆସି ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ମଧ୍ୟ ତାଙ୍କ ପତ୍ନୀ ଓ ସମର୍ଥକଙ୍କ ସହ ଆସି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ନାମାଙ୍କନ ପତ୍ର ଦାଖଲବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଓ ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର ଓ ଦଳୀୟ ବିଧାୟକ-ନେତାମାନେ ଉପସ୍ଥିତ ଥିଲେ।
ବିଧାନସଭାରେ ସଂଖ୍ୟା ଗଣିତ ଦୃଷ୍ଟିରୁ ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍ କୁମାର ନିଦ୍ୱନ୍ଦ୍ୱରେ ଜିତିବା ଏକପ୍ରକାର ନିଶ୍ଚିତ ଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ପାଇଁ ଚତୁର୍ଥ ଆସନ ନିମନ୍ତେ ନିର୍ବାଚନ ହେବ। ୪ଟି ବିଧାନସଭା ଆସନ ପାଇଁ ୫ଜଣ ପ୍ରାର୍ଥୀ ରହିଛନ୍ତି। ସେଥିରେ ଦିଲ୍ଲୀପଙ୍କ ସମେତ ବିଜେଡି ଓ କଂଗ୍ରେସ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଡାକ୍ତର ହୋତା ଅଛନ୍ତି।
ଏହି ନାମାଙ୍କନ ପତ୍ର ଦାଖଲ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ରାୟ ନିଜର ଜିତିବାକୁ ନେଇ ସମ୍ପୂର୍ଣ୍ଣ ଆଶାବାଦୀ ଥିବା କହିଛନ୍ତି। ତାଙ୍କୁ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକମାନଙ୍କର ସମର୍ଥନ ମିଳିବ ବୋଲି ସେ ଦୃଢ଼ ଦାବି କରିଛନ୍ତି।
Comments ସମସ୍ତ ମତାମତ