Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଯିଏ ଅଙ୍କ କଷିକି ସଂଖ୍ୟା ବଢ଼ାଇବ ସେ ହିଁ ଚତୁର୍ଥ ଆସନରେ ବିଜୟୀ ହେବ:ବିଶ୍ୱେଶ୍ୱର ଟୁଡୁ

    Share on :
    ajab-Image
    Date: Jan 29, 2026    Views: 2473

    ଭୁବନେଶ୍ୱର: ପୁଣି ଜୋର୍ ଧରିଲା ରାଜ୍ୟସଭା ନିର୍ବାଚନ ଚର୍ଚ୍ଚା । ଏପ୍ରିଲରେ ଖାଲି ହେବାକୁ ଥିବା ୪ଟି ରାଜ୍ୟସଭା ସିଟକୁ ନେଇ ଏବେଠୁ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି । ଖାସ୍ କରି ଚତୁର୍ଥ ସିଟରେ କିଏ ବିଜୟୀ ହେବ, ତାକୁ ନେଇ ଏବେଠୁ ଅଙ୍କକଷା ଆରମ୍ଭ ହୋଇଛି । ସଂଖ୍ୟା ଦୃଷ୍ଟିରୁ ଯେହେତୁ ବିଜେପି ଖାତାକୁ ୨ଟି ଏବଂ ବିଜେଡି ଖାତାକୁ ଗୋଟିଏ ସିଟ୍ ଯିବାର ଅଛି । ତେଣୁ ତାକୁ ଦେଖି ଚତୁର୍ଥ ସିଟ୍ ପାଇଁ କେଉଁ କେଉଁ ଦଳ ଭିତରେ ବୁଝାମଣା ହେବ, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ।

    ଏହାରି ଭିତରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଦେଇଛନ୍ତି ବଡ଼ ବୟାନ । କଂଗ୍ରେସ ରାଜ୍ୟସଭା ନିର୍ବାଚନରେ ବିଜେଡ଼ିକୁ ସମର୍ଥନ ମାଗିବା ପ୍ରସଙ୍ଗରେ ସେ କହିଛନ୍ତି, ଚତୁର୍ଥ ସିଟ ପାଇଁ ଯେହେତୁ କେଉଁ ଦଳ ପାଖରେ ସଂଖ୍ୟା ନାହିଁ, ତେଣୁ ଯିଏ ଅଙ୍କ କଷିକି ସଂଖ୍ୟା ବଢ଼ାଇବ ସେ ହିଁ ଚତୁର୍ଥ ଆସନରେ ବିଜୟୀ ହେବ । ଏଥିପାଇଁ ସବୁ ଦଳ ଚିନ୍ତା କରୁଛନ୍ତି । ବିଜେପିର ଶୀର୍ଷ ନେତୃତ୍ୱ ମଧ୍ୟ ଏ ନେଇ ଚିନ୍ତା କରୁଛନ୍ତି। ଚତୁର୍ଥ ସିଟ୍ ବିଜେପି ନେବା ଅସମ୍ଭବ ନୁହେଁ। ତେବେ ଏନେଇ ରାଜ୍ୟ ଓ କେନ୍ଦ୍ରର ଶୀର୍ଷ ନେତୃତ୍ୱ ନିଷ୍ପତ୍ତି ନେବେ ବୋଲି କହି କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗିଛନ୍ତି ବିଶ୍ୱେଶ୍ୱର ।

    ଏହାସହ ରାଜ୍ୟସଭା ରେସରେ ସେ ନିଜେ ଅଛନ୍ତି କି ନାହିଁ ବୋଲି ପ୍ରଶ୍ନରେ ସେ ଉତ୍ତର ଦେଇଛନ୍ତି ଯେ, ଚର୍ଚ୍ଚାରେ ହେବାରେ ଅସୁବିଧା କଣ ଅଛି? ରାଜ୍ୟସଭା ଯିବା ପାଇଁ ଦଳରେ ଅନେକ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି। ଦଳ ଯାହାକୁ ଯୋଗ୍ୟ ଭାବିବ ସେ ଯିବେ।

    ସୂଚନାଯୋଗ୍ୟ ଯେ, ରାଜ୍ୟସଭା ନିର୍ବାଚନ ପାଇଁ ସମୟ ଯେତିକି ପାଖଉଛି, ରାଜନୈତିକ ଉଷ୍ମତା ସେତେ ଅଧିକ ବଢୁଛି । ଚତୁର୍ଥ ଆସନ ଅକ୍ତିଆର ପାଇଁ ଅଙ୍କ କଷିଲେଣି ଶାସକ ଓ ବିରୋଧୀ । ଆବଶ୍ୟକ ସଂଖ୍ୟା କମ ଥାଇ ମଧ୍ୟ ବିଜେପିର ଜଣେ ପରେ ଜଣେ ନେତା ଚତୁର୍ଥ ଆସନ ହାତେଇବାକୁ ଦମ୍ଭୋକ୍ତି ଦେଖାଉଛନ୍ତି । ଆଉ ଏପଟେ ଚତୁର୍ଥ ଆସନକୁ କଳେ ବଳେ କୌଶଳେ ହାତେଇବାକୁ ନୀତି ଆଦର୍ଶକୁ ଜଳାଞ୍ଜଳି ଦେବାକୁ ପଛାଇ ନାହାନ୍ତି ଉଭୟ ବିଜେପି ଓ କଂଗ୍ରେସ । ୨୪ ବର୍ଷ ଧରି ନବୀନଙ୍କୁ ବିରୋଧ କରି ଆସୁଥିବା କଂଗ୍ରେସ ଏବେ ବିଜେଡି ସୁପ୍ରିମୋଙ୍କ ସହଯୋଗ ଚାହୁଁଛି ।

    ତେଣୁ ଚତୁର୍ଥ ଆସନ ପାଇଁ ଭକ୍ତଙ୍କ ଗୁଗଲି ରାଜ୍ୟସଭା ନିର୍ବାଚନ ଗଣିତକୁ ଆହୁରି ରୋଚକ କରିଛି । ନବୀନଙ୍କ ସହଯୋଗ ପାଇଲେ ରାଜ୍ୟସଭାରେ ଖାତା ଖୋଲିବାକୁ ଅଙ୍କ କଷୁଛି ଦଳ । ଏଥିପାଇଁ ବିଜେଡି ସୁପ୍ରିମୋଙ୍କୁ ଭେଟି ସମର୍ଥନ ଲୋଡିବେ ବୋଲି କହିଛନ୍ତି ଭକ୍ତ ।  

    ରାଜ୍ୟସଭା ଅଙ୍କ ଅନୁସାରେ, ୨ଟି ଆସନ ଅନାୟସରେ ହାତେଇବ ବିଜେପି । ହେଲେ ଶାସକ ଦଳକୁ ଚତୁର୍ଥ ଆସନର ଲୋଭ ଛାଡ଼ିନି । ରାଜନୈତିକ ଶତ୍ରୁ ଥିବା ବିଜେଡି ସହ ଏବେ ମିତ ବସିବାକୁ କସରତ କରୁଛି ବିଜେପି । ଏମିତି କି, ଆବଶ୍ୟକ ପଡିଲେ ନବୀନଙ୍କ ସହଯୋଗରେ ଚତୁର୍ଥ ଆସନ ଦଖଲ ଅଭିଯାନ ପାଇଁ ଅଣ୍ଟା ଭିଡ଼ିବ ବିଜେପି । ଏନେଇ ସଂକେତ ଦେଇଛନ୍ତି ମୋହନଙ୍କ ଦୁଇ ମନ୍ତ୍ରୀ ସୁରେଶ ପୂଜାରୀ ଓ କୃଷ୍ଣଚନ୍ଦ୍ର ପାତ୍ର । ଆଉ ତାହାରି ଭିତରେ ଆଜି ଏନେଇ ଆଉ ଏକ ବଡ଼ ବୟାନ ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । 

    Maximum 500 characters

    ରାଜନୀତି View all

    Find Us on Facebook