Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ରଜର ବିଶେଷ ଖାଦ୍ୟ

    Share on :
    ajab-Image
    Date: Jun 8, 2023    Views: 2809

    ଭୁବନେଶ୍ୱର: ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ । 

    ଏହି ପର୍ବ ପାଳନ ବେଳରେ ଘରର ଘରଣୀମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳରେ ମାତନ୍ତି । ଅଭିଆଡ଼ି ଝିଅମାନେ ଶାଢ଼ୀ ଆଦି ପିନ୍ଧି ରଜ ଦୋଳି ଖେଳ, ପୁଚି ଖେଳ ଆଦିରେ ସମୟ ଅତିବାହିତ କରିଥାନ୍ତି । ଏହି ଦିନ ଧରିତ୍ରୀ ମାଆକୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ଚାଲିନଥାନ୍ତି  ।  ପତ୍ର/ଖୋଳପାରେ ତିଆରି କଠଉରେ ଭୂଇଁ ଉପରେ ଚାଲିବାର ବିଧି ରହିଛି । ଏହି ଦିନ ପୋଡ଼ ପିଠା, ଚକୁଳି ପିଠା ଆଦି ଖିଆଯାଇ ଥାଏ  ।

    ପାନ: ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା । ପ୍ରୀତିର ବନ୍ଧନ ହେଉଛି ପାନ । ପ୍ରୀତି, ପ୍ରେମ, ବନ୍ଧୁତାର ଛ'ଲକ୍ଷଣ ଏ ଦେଶରେ ନିର୍ଦ୍ଧାରିତ କରାଯାଇଛି  । ଦିଏ, ନିଏ, ଖାଏ, ଖୁଆଏ, ଗୋପନ କଥା କହେ ଓ ପଚାରେ, ଏ ଛ'ଟି ଆନ୍ତରିକତା ଓ ନିବିଡ଼ତାର କଥା  । ଭୋଜନ ଶେଷରେ ତାମ୍ବୁଳ ସେବା ଏକ ପ୍ରାଣମୟ ବ୍ୟବସ୍ଥା  । ଓଡ଼ିଆଙ୍କ ଠାକୁର ବଡ଼ଠାକୁର ଜଗନ୍ନାଥ ପ୍ରତିଦିନ ଭୋଜନାନ୍ତେ ତାମ୍ବୁଳ ସେବା କରି ନିଦ୍ରା ଯାଆନ୍ତି  । ପାନ ହେଉଛି ମୁଖବାସ, ପରିତୋଷ  । ରଜ ସହିତ ପାନ ଯୋଡ଼ିହେବା ପଛରେ କଥା ଅଛି, ଏଡା ବନ୍ଧୁତାର ଡେ଼ାରିକୁ ସୁଦୃଢ କରିବ  । ରଜରେ ଝିଅମାନେ ସମସ୍ତଙ୍କୁ ପାନ ଦବାନବା କରିଥାନ୍ତି  । ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପାନ ଜୀର୍ଣ୍ଣକାରକ ଏବଂ କୃମିନାଶକ  । ପାନରେ ଦିଆଯାଉଥିବା ଚୂନ ଲୌହଶକ୍ତି ପୂର୍ଣ୍ଣ (କ୍ୟାଲସିଅମ) ଓ ଖଇର ଦାନ୍ତକୁ ମଜଭୁତ କରିଥାଏ  । ପାନ ଖାଇଲା ବେଳେ ପତ୍ରରୁ ଶିରା ଛେଦନ କରାଯାଇଥାଏ କାରଣ ପାନଶିରା ହେଉଛି ବୁଦ୍ଧି ବିନାଶିନୀ  । ରଜପାନର ଚମକ ଓ ମହକ ସାରାବର୍ଷର ପାନକୁ ବଳିଯାଏ, ରଜ ଆଭୂଷଣକୁ ଆହୁରି ମୁଗ୍ଧକର କରିଦିଏ  । ରଜପାନରେ ଗୁଆ, ଅଳେଇଚ, ଗୁଜୁରାତି, ଭଜା ଧଣିଆ, ଚାଉଳ ଓ ନଡିଆ ଖଣ୍ଡ, ଚେରି, ଲବଙ୍ଗ, କବାବଚିନି, ଚୁଆ, ପାନ ମହୁରି, ସୁବାସିତ ଜାଫ୍ରାନ କେଶର, ଖଇର ପରି ୧୦ରୁ ୧୨ ପ୍ରକାର ମସଲା ବ୍ୟବହୃତ ହୁଏ  । ଏହାକୁ ବିଭିନ୍ନ ଢଙ୍ଗରେ ତ୍ରିଭଙ୍ଗି, ଚଉଭଙ୍ଗି ଆକୃତି ଦେଇ ଉପରେ ଲବଙ୍ଗ ଖୋସି ଅତି ସୁନ୍ଦର ଭାବେ ଥାଳିରେ ସଜାଇ ଦିଆଯାଏ  । ସାଧାରଣ ଦିନର ପାନଠାରୁ ରଜପାନର ସ୍ୱାଦ ସ୍ୱତନ୍ତ୍ର  । ରଜ ଆସିଲେ ବଜାରରେ ମଧ୍ୟ ପାନର ଦର ବଢିଯାଏ  ।

    ରଜରେ ପ୍ରସ୍ତୁତ ହୋଇଥିବା ପିଠା, ମିଠା:
    ଚୁଲି ଲଗାଇ ନିୟମିତ ରୋଷେଇ କରିବା ମହିଳାଙ୍କ କାର୍ଯ୍ୟ  । ଯେହେତୁ ରଜରେ ଧରଣୀମାତାଙ୍କୁ ବିଶ୍ରାମ ଦିଆଯାଏ; ତେଣୁ ରଜ ପୂର୍ବଦିନ ପହିଲି ରଜରେ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ ପିଠା ତିଆରି କରାଯାଇଥାଏ, ଯାହା ସହଜରେ ନଷ୍ଟ ହୁଏ ନାହିଁ ଏବଂ ଅଧିକ ଦିନ ରହିଥାଏ  । ଭାତ ବଦଳରେ ଫଳମୂଳ ଓ ବିଭିନ୍ନ ପ୍ରକାର ପିଠାପଣା ଏକାଠି ଖାଇ ସମସ୍ତେ ମଜା କରିଥାନ୍ତି  ।

    ଚକୁଳି ପିଠା: ଏହା ଏକ ଓଡ଼ିଆ ଖାଦ୍ୟ ଯାହା ଚାଉଳ ଚୂନା ଓ ବିରିରୁ ତିଆରି ବହଳିଆ ମଣ୍ଡକୁ ତାବାରେ ଭାଜି ତିଆରି କରାଯାଏ  ।
    ପୋଡ଼ ପିଠା: ଏହା ଏକ ଓଡ଼ିଆ ଖାଦ୍ୟ ଯାହା ଚାଉଳ ଚୂନା ଓ ବିରିରୁ ତିଆରି ଆଣକୁ କଦଳୀ ପତ୍ରରେ ବାନ୍ଧି ଚୁଲିରେ ରାତି ସାରା ପୋଡ଼ି ପ୍ରସ୍ତୁତ କରାଯାଏ  । ଏହି ପୋଡ଼ ପିଠାକୁ ରଜ ୩ ଦିନ ଖିଆ ଯାଏ  ।

    Maximum 500 characters

    ଅଜବ View all

    Find Us on Facebook