Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ଓଡ଼ିଶା ପରମ୍ପରାରେ ରଜପର୍ବ: ଜାଣନ୍ତୁ କିପରି ପାଳନ କରାଯାଏ ?

    Share on :
    ajab-Image
    Date: Jun 8, 2023    Views: 2991

    ଭୁବନେଶ୍ୱର: ଓଡିଶାର ଗଣପର୍ବ ରଜ । ଗାଁ ଗହଳି ଠାରୁ ଆରମ୍ଭ କରି ସହର ଯାଏଁ ଚାରି ଦିନ ଧରି ପାଳନ ହୋଇଥାଏ ଏହି ପର୍ବ । ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି, ତୃତୀୟ ଦିନକୁ ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିନକୁ ବସୁମତୀ ସ୍ନାନ ଭାବରେ ପାଳନ କରାଯାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ  । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜା କରିବା ସହ ଚାଷ କାମରୁ ତିନି ଦିନ ଅପସରି ଯାଇଥାନ୍ତି  । ରଜରେ ପୋଡପିଠା ଓ ପାନ ଖାଇବା ସହ ଝିଅ ମାନେ ଦୋଳି ଖେଳିଥାନ୍ତି । ପୁଅମାନେ ଏହି ଦିନଟିରେ କବାଡି, ବାଗୁଡି ଖେଳ ଖେଳି ରଜ ପାଳନ କରିଥାନ୍ତି ।

    ରଜରେ ମାଟି ମା’କୁ ତିନିଦିନ ବିଶ୍ରାମ ଦିଆଯାଏ ବୋଲି ବିଶ୍ୱାସ ଅଛି  । ପହିଲି ରଜରେ ଆରମ୍ଭ ହୁଏ ପ୍ରସ୍ତୁତି ପର୍ବ  । କୁମାରୀମାନଙ୍କ ପାଇଁ ରଜପର୍ବ ହେଉଛି ତାଲିମ ପ୍ରଦାନକାରୀ ପର୍ବ  । ଜଣେ ନାରୀଭାବେ ଆଗାମୀ ଦିନରେ କିଛି କର୍ତ୍ତବ୍ୟ ସମ୍ପାଦନ କରିବାକୁ ହେବ, ତାହା କୁମାରୀମାନଙ୍କୁ ଏହି ରଜ ପର୍ବ ଅବସରରେ ଶିଖିବାକୁ ପଡ଼ିଥାଏ । ରଜ ତିନିଦିନ ଧରି ରଜସ୍ୱଳା ନାରୀଭାବେ ଧରଣୀମାତାକୁ କଷ୍ଟ ନ ଦେଇ ବିଶ୍ରାମ ଦେଲାଭଳି କଟା, ବଟା ଆଦି ଗୃହକର୍ମ ନ କରି କୁମାରୀମାନେ ବିଶ୍ରାମ କରନ୍ତି  । ଧରଣୀ ମାତା ଶସ୍ୟଶ୍ୟାମଳାପୂର୍ଣ୍ଣ ହେବା ପାଇଁ ପ୍ରାଥମିକ ପ୍ରସ୍ତୁତି ଭାବେ ରଜ ତିନିଦିନ ବିଶ୍ରାମ ମିଳିଥାଏ  ।

    ରଜ ପର୍ବ ପାଳନ ବେଳେ ଘରର ଘରଣୀମାନେ କୌଣସି କାମ କରି ନ ଥାନ୍ତି । ଝିଅମାନେ ବିଭିନ୍ନ ପ୍ରକାର ପୋଷାକ ଯଥା ଶାଢ଼ି ଓ ଅନ୍ୟାନ୍ୟ ପୋଷାକ ପିନ୍ଧି ବିଭିନ୍ନ ପ୍ରକରର ଖେଳ ଯଥା ପୋଚି, ନାଚ, ଗୀତ ଓ ଦୋଳିରେ ସମୟ ଅତିବାହିତ କରିଥାନ୍ତି । ଏହିଦିନ ସାଧାରଣତଃ ଝିଅମାନେ ଖାଲି ପାଦରେ ଚାଲିବାକୁ ବାରଣ କରାଯାଇଥିବା ବେଳେ କଦଳୀ ପଟୁଆ ପିନ୍ଧି ଚାଲିଥାନ୍ତି  । ଘରେ ଘରେ ବିଭିନ୍ନ ପ୍ରକାର ପିଠାର ଆସର ଜମିଥାଏ । ପୋଡ ପିଠା, ଏଣ୍ଡୁରି ପିଠା ଓ ବିଭିନ୍ନ ପ୍ରକାର ପିଠାରେ ଘର ଭର୍ତ୍ତି ହୋଇଥାଏ । ଝିଅମାନେ ଏହି ପର୍ବରେ ରଜ ଗୀତ ଗାଇ ଦୋଳିରେ ଝୁଲିଥାନ୍ତି । ବସୁମତୀ ସ୍ନାନ ହେଉଛି ରଜ ପର୍ବର ଅନ୍ତିମ ଦିନ । ଏହି ଦିନ ଆମ ଧରଣୀ ମାତାଙ୍କୁ ସ୍ନାନ କରାଯାଇଥାଏ । ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥା’ନ୍ତି  । ଏହି ବସୁମତୀ ସ୍ନାନ ଦିନ ଧରଣୀ ମାତା ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥାଏ  । ବସୁଧାମାତା ରଜସ୍ୱଳା ହୋଇ ଶୁଦ୍ଧସ୍ନାନ ପରେ ଶସ୍ୟ ବୀଜ ଧାରଣକାରିଣୀ ହୋଇପାରିଥାନ୍ତି  ।  

    Maximum 500 characters

    ଅଜବ View all

    Find Us on Facebook