ମୁଖ୍ୟ ଖବର
ଭୁବନେଶ୍ୱର: ପୋଡ଼ ପିଠାର ମହକରେ କମ୍ପୁଛି ଗାଁଠୁ ସହର। ଦୋଳିର ଆସରରେ ଝୁଲୁଛନ୍ତି ସମସ୍ତେ। ନା ବୟସର ପ୍ରତିବନ୍ଧକ ନା କାର୍ୟ୍ୟର ବ୍ୟସ୍ତତା। ସଜବାଜ, ଖିଆପିଆ, ବୁଲାବୁଲି ଓ ମଜାମସ୍ତିରେ ସମୟ ବିତାଇବାର ମୁହୂର୍ତ୍ତ। ପିଲାଠୁ ବୟସ୍କ, ସମସ୍ତେ ରଜ ମଉଜରେ ସାମିଲ ହେବାକୁ ଏକାଠି ହୋଇଛନ୍ତି। କୁମାରୀମାନେ ସକାଳୁ ସକାଳୁ ଗାଧୁଆପାଧୁଆ ସାରି ସଜେଇ ହୋଇଛନ୍ତି।
ଆଜି ପହିଲି ରଜ। ଓଡ଼ିଶାର ଅନନ୍ୟ ସଂସ୍କୃତି ଓ ପରମ୍ପରାର ଅବିଚ୍ଛେଦ୍ୟ ପର୍ବ। ଗାଁ ମୁଣ୍ଡରେ ଲାଗିଛି ଦୋଳି, ଚାଲିଛି ପାନ ଭଙ୍ଗା ଆଉ ତାସହ ତାସ ଓ ଲୁଡ଼ୁ ଖେଳରେ ମସଗୁଲ ଲୋକେ। ଏ ସମୟ ହିଁ ନିଆରା, ଏ ପର୍ବ ହିଁ ଅଲଗା। ପାଦରେ ଅଲତା ପିନ୍ଧି ନୂଆ ଡ୍ରେସ ପିନ୍ଧି ଖୁସିରେ ଘର ସାରା ବୁଲୁଛି କୁନି ଝିଅ। ଗାଁର ରଜ ସବୁଠୁ ଅଭୁଲା କିନ୍ତୁ ସହର ବି ଏଇ ସେଲିବ୍ରେସନ୍ ରେ ପଛରେ ପଡ଼ିନି। ଭୁବନେଶ୍ବର, କଟକ, ବାଲେଶ୍ବର, ବ୍ରହ୍ମପୁର ସମେତ ଅନେକ ଅଞ୍ଚଳରେ ଭିନ୍ନ ଭିନ୍ନ ଅନ୍ଦାଜରେ ରଜ ଆରମ୍ଭ ହୋଇଛି।
ଓଡ଼ିଆ ମାସ ଆଷାଢ଼ର ଆରମ୍ଭରେ ମୌସୁମୀ ବର୍ଷାର ଆଗମନକୁ ସ୍ୱାଗତ କରି ଏହି ପର୍ବ ତିନିରୁ ଚାରି ଦିନ ଧରି ଧୁମଧାମରେ ପାଳିତ ହୁଏ। ଝିଅମାନେ ଦୋଳି ଖେଳି ରଜ ଗୀତ ଗାଇ ଉତ୍ସବ ପାଳନ କରନ୍ତି। ପୁଅମାନେ ଏହି ଦିନଗୁଡ଼ିକରେ ତାସ, ବାଗୁଡ଼ି ଏବଂ ଲୁଡୁ ଭଳି ବିଭିନ୍ନ ପ୍ରକାର ଖେଳ ଖେଳି ସମୟ କାଟନ୍ତି। ରଜ ଆସିଲେ ପୋଡ଼ ପିଠା କଥା ମନକୁ ଆସେ। ଏହା ସହିତ ଚକୁଳି, ମଣ୍ଡା, ଆରିସା ପିଠା ଏବଂ ମିଠା ମସଲାଯୁକ୍ତ ସ୍ୱତନ୍ତ୍ର ରଜ ପାନ ଖାଇବାର ପରମ୍ପରା ରହିଛି।
Comments ସମସ୍ତ ମତାମତ