ମୁଖ୍ୟ ଖବର
ନୂଆଦିଲ୍ଲୀ: ଚଳିତବର୍ଷ ଦେଶରେ ମୌସୁମୀ ବର୍ଷା ସ୍ବାଭାବିକ ଠାରୁ ପ୍ରାୟ ୧୫ ପ୍ରତିଶତ କମ୍ ରହିଛି । ଏହି ତଥ୍ୟ ଗତ ୧୭ ବର୍ଷ ଭିତରେ ସବୁଠାରୁ କମ୍ । ଏହା ପୂର୍ବରୁ ୨୦୦୯ରେ ୧୮.୩ ପ୍ରତିଶତ କମ୍ ବର୍ଷାର ରେକର୍ଡ କରାଯାଇଥିଲା ।
ଚଳିତବର୍ଷ ବର୍ଷା ହ୍ରାସର ମୁଖ୍ୟ କାରଣ ଏଲନିନୋ ବୋଲି କୁହାଯାଉଛି । ଜୁନ ୧ରୁ ସେପ୍ଟେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଦେଶରେ ୮୨୭.୨ ମିଲିମିଟର ବର୍ଷା ହେବା କଥା । ଯାହାକୁ ସ୍ବାଭାବିକ ବର୍ଷା କୁହାଯାଏ । କିନ୍ତୁ ଏପର୍ଯ୍ୟନ୍ତ ୭୦୩.୭ ମିଲିମିଟର ବର୍ଷା ହୋଇଛି । ଅର୍ଥାତ ୧୨୩.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବର୍ଷା ଋତୁ ଶେଷ ହେବା ବେଳକୁ ଅର୍ଥାତ ସେପ୍ଟମ୍ବର ୩୦ ସୁଦ୍ଧା ସ୍ବଭାବିକ ଭାବେ ୮୬୮.୬ ମିଲିମିଟର ବର୍ଷା ହେବା କଥା କିନ୍ତୁ ବର୍ଷା ଋତୁ ଶେଷ ହେବାକୁ ଆଉ ମାତ୍ର ୯ ଦିନ ବାକି ରହିଛି । କିନ୍ତୁ ୧୫ ପ୍ରତିଶତ ନିଅଣ୍ଟିଆ ବର୍ଷା ଭରଣା କରିବାକୁ ଆଉ ଏତେ ବର୍ଷା ହେବା ସମ୍ଭାବନା ନାହିଁ । କାରଣ ଦେଶର ଉତ୍ତର-ପଶ୍ଚିମ ଅଞ୍ଚଳରୁ ମୌସୁମୀ ବିଦାୟ ନେବା ଆରମ୍ଭ କଲାଣି ।
ଗତ ୧୯ ତାରିଖରୁ ପଶ୍ଚିମ ରାଜସ୍ଥାନରୁ ମୌସୁମୀ ବିଦାୟ ନେବା ଆରମ୍ଭ କରିଛି । ସୋମବାର ପଞ୍ଜାବ,ହରିୟାଣାରୁ ଅଧା ଅଞ୍ଚଳ ଏବଂ ରାଜସ୍ଥାନର ଆଉ କିଛି ଅଞ୍ଚଳରୁ ମୌସୁମୀ ବିଦାୟ ନେଇସାରିଛି । ଆଗାମୀ ୪୮ ଘଣ୍ଟା ଭିତରେ ହରିୟାଣାର ଅବଶିଷ୍ଟ ଅଞ୍ଚଳ,ଦିଲ୍ଲୀ,ପଶ୍ଟିମ ଉତ୍ତରପ୍ରଦେଶ,ଜମ୍ମୁ-କାଶ୍ମୀର,ଲଦାଖ,ହିମାଚଳ ପ୍ରଦେଶ,ଉତ୍ତରାଖଣ୍ଡରୁ ମୌସୁମୀ ବିଦା ହେବାର ପରିବେଶ ସୃଷ୍ଟି ହୋଇଛି । ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି । ଫଳରେ ଦେଶରେ ପୂର୍ବ,ମଧ୍ୟ ଓ ଦକ୍ଷିଣ ରାଜ୍ୟରେ କିଛି ଅଞ୍ଚଳରେ ଆଗାମୀ ୩-୪ ଦିନ ପର୍ଯ୍ୟନ୍ତ ବର୍ଷା ହୋଇପାରେ ।
ଆନ୍ଧ୍ରପ୍ରଦେଶରେ ସବୁଠାରୁ ୪୦ %କମ୍ ବର୍ଷା ହୋଇଥିବା ବେଳେ ପଞ୍ଜାବରେ ୩୯,ବିହାରରେ ୩୭,କର୍ଣ୍ଣାଟକରେ ୩୧,କେରଳରୋ ୨୮,ହରିୟାଣାରେ ୨୩ ଓ ରାଜସ୍ଥାନରେ ୨୧ %କମ୍ ବର୍ଷା ହୋଇଛି । ମହାରାଷ୍ଟ୍ରରେ ୧୭ %କମ୍ ବର୍ଷା ହୋଇଥିବା ବେଳେ ଉତ୍ତର ପ୍ରଦେଶ ଓ ଛତିଶଗଡ଼ରେ ୫ ଲେଖାଏଁ କମ୍ ବର୍ଷା ରେକର୍ଡ କରାଯାଇଛି । ଗତ ୧୨୫ ବର୍ଷରେ ଚଳିତବର୍ଷ ୨୦୨୬ ସପ୍ତମ ଶୁଷ୍କ ବର୍ଷ ।୧୯୭୨ରେ ୨୨.୩% କମ୍ ବର୍ଷା ହୋଇଥିଲା ବେଳେ ୨୦୦୨ରେ ୨୦.୯,୧୯୬୫ରେ ୧୮.୬ ୨୦୦୯ରେ ୧୮.୩ ,୧୯୦୫ରେ ୧୬.୮, ୧୯୭୯ରେ ୧୬.୭ ଏବଂ ୨୦୨୬ରେ ୧୪.୯ % କମ୍ ବର୍ଷା ହୋଇଥିବାର ରେକର୍ଡ କରା ଯାଇଛି ।
Comments ସମସ୍ତ ମତାମତ