ମୁଖ୍ୟ ଖବର
ନୂଆଦିଲ୍ଲୀ : ମହାରାଷ୍ଟ୍ରର ‘ଗୋକୁଲ ଡାଏରି’ ନିର୍ବାଚନକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପିକୁ ସମାଲୋଚନା କରିଛନ୍ତି। ନିର୍ବାଚନ ପରେ ନିୟମ ବଦଳାଇ ବିଜେପି ବହୁମତ ଛଡ଼ାଇ ନେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ସେ ଏହାକୁ ଦୁଗ୍ଧ ଉତ୍ପାଦକଙ୍କ ଭୋଟ ଚୋରି ବୋଲି କହିଛନ୍ତି। ରାହୁଲ କହିଥିଲେ, ଦୁଗ୍ଧ ଡାଏରି ଚଳାଉଥିବା ଲୋକେ ବିଜେପିକୁ ପରାସ୍ତ କରିଥିଲେ। ତେଣୁ ବିଜେପି ନିର୍ବାଚନ ପରେ ନିୟମ ବଦଳାଇ ଦେଲା। ୪ ଜଣ ନିର୍ଦେଶକଙ୍କୁ ଜବରଦସ୍ତି ସାମିଲ କରି ୧୨କୁ ୧୬ କରି ଦେଇଥିଲା ଏବଂ ପରେ ବହୁମତ ଛଡ଼ାଇ ନେଇଥିଲା। ସୂଚନା ଅନୁଯାୟୀ, ଗତ ୧୯ ତାରିଖରେ ଗୋକୁଲ ଦୁଗ୍ଧ ଡାଏରିର ୨୫ ନିର୍ଦେଶକ ପଦ ପାଇଁ ନିର୍ବାଚନ ହୋଇଥିଲା। ଏଥିରେ କଂଗ୍ରେସ ସମର୍ଥିତ କମିଟି ୧୩ଟି ଆସନ ଜିତିଥିବା ବେଳେ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ ୧୨ଟି ଆସନ ପାଇଥିଲା। ମାତ୍ର ଏବେ ସରକାର ୪ ସରକାରୀ ନିର୍ଦେଶକଙ୍କୁ ଭୋଟିଂ ଅଧିକାର ସହ ମନୋନୀତ କରିବାକୁ ମଞ୍ଜୁରୀ ଦେଇଛନ୍ତି। ଏହା ଦ୍ବାରା ବହୁମତ ବଦଳି ଯିବ ବୋଲି କଂଗ୍ରେସ ଭାବୁଛି। ଏହାକୁ ନେଇ କଂଗ୍ରେସ ନେତା ପବନ ଖେଡ଼ା କହିଛନ୍ତି ଯେ ନିର୍ବାଚନରେ ବିଜୟ ପରେ ମହାୟୁତି ସମର୍ଥିତ ନିର୍ଦେଶକମାନେ ବୈଠକରେ ଅନୁପସ୍ଥିତ ରହିଥିଲେ। ଫଳରେ ଅଧ୍ୟକ୍ଷ ନିର୍ବାଚନ ହୋଇପାରିନଥିଲା। ଏହାପରେ ବମ୍ବେ ହାଇକୋର୍ଟ ନଭେମ୍ବର ୧୦ରେ ପୁନର୍ବାର ନିର୍ବାଚନ କରାଇବାକୁ ନିର୍ଦେଶ ଦେଇଥିଲେ। ମାତ୍ର ଏବେ ସରକାର ନେଇଥିବା ନିଷ୍ପତ୍ତି ବିରୋଧରେ କଂଗ୍ରେସ ସୁପ୍ରିମକୋର୍ଟ ଯିବ ବୋଲି ଖେଡ଼ା କହିଛନ୍ତି।
Comments ସମସ୍ତ ମତାମତ