ମୁଖ୍ୟ ଖବର
ନୂଆଦିଲ୍ଲୀ: ଦେଶର ବିଶିଷ୍ଟ ଫଟୋ ଜର୍ଣ୍ଣାଲିଷ୍ଟ ତଥା କିମ୍ବଦନ୍ତୀ ଫଟୋଗ୍ରାଫର ରଘୁ ରାୟଙ୍କର ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ତାଙ୍କ ପରିବାର ପକ୍ଷରୁ ରଘୁ ରାୟଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ମାଧ୍ୟମରେ ଏହି ଦୁଃଖଦ ସୂଚନା ଦିଆଯାଇଛି। ଆଜି ଅପରାହ୍ନ ୪ଟାରେ ଦିଲ୍ଲୀର ଲୋଧି ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।ରଘୁ ରାୟଙ୍କୁ ଭାରତୀୟ ଫଟୋଗ୍ରାଫି ଏବଂ ଫଟୋ ସାମ୍ବାଦିକତାର ଜନକ ବୋଲି କୁହାଯାଏ। ପ୍ରାୟ ୫୦ ବର୍ଷରୁ ଅଧିକ ସମୟର କ୍ୟାରିୟର ମଧ୍ୟରେ ସେ ଦେଶ ଓ ଦୁନିଆର ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ନିଜ କ୍ୟାମେରାରେ କଏଦ କରିଥିଲେ।ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହ ଦୀର୍ଘ ସମୟ ଧରି କାମ କରିଥିଲେ ଏବଂ ତାଙ୍କ ଶାସନ କାଳର ଅନେକ ଐତିହାସିକ ମୁହୂର୍ତ୍ତକୁ ସାରା ବିଶ୍ୱ ଆଗରେ ଉପସ୍ଥାପନ କରିଥିଲେ। ମଦର ଟେରେସାଙ୍କ ଉପରେ ତାଙ୍କ ଦ୍ୱାରା କରାଯାଇଥିବା ଫଟୋଗ୍ରାଫି ଆଜି ବି ବିଶ୍ୱ ପ୍ରସିଦ୍ଧ ହୋଇ ରହିଛି।
୧୯୪୨ ମସିହାରେ ଅବିଭାଜିତ ଭାରତର ଝଙ୍ଗ (ବର୍ତ୍ତମାନ ପାକିସ୍ତାନ) ଠାରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୬୨ ମସିହାରୁ ସେ ଫଟୋଗ୍ରାଫିକୁ ନିଜର ବୃତ୍ତି ଭାବେ ଗ୍ରହଣ କରିଥିଲେ। ତାଙ୍କର ନିପୁଣ ଶୈଳୀ ଏବଂ ସାମାଜିକ ପ୍ରସଙ୍ଗକୁ ଚିତ୍ର ମାଧ୍ୟମରେ ଦର୍ଶାଇବାର କଳା ତାଙ୍କୁ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଭାବେ ଗଢ଼ି ତୋଳିଥିଲା। ତାଙ୍କ ବିୟୋଗରେ ଫଟୋଗ୍ରାଫି ଏବଂ ସାମ୍ବାଦିକତା ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି। ବିଭିନ୍ନ ମହଲରୁ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି।
Comments ସମସ୍ତ ମତାମତ