ମୁଖ୍ୟ ଖବର
ନୂଆଦିଲ୍ଲୀ :୨ ଦିନିକିଆ ଭାରତ ଗସ୍ତରେ ଅଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ । ଗତକାଲି (ଗୁରୁବାର) ଦିଲ୍ଲୀର ପାଲମ ବିମାନବନ୍ଦରରେ ରୁଷ୍ ରାଷ୍ଟ୍ରପତି ପୁଟିନ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରିଥିଲେ । ଉଭୟ ଗୋଟିଏ କାର୍ରେ ଯାଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀଙ୍କ ୭ ଲୋକ କଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଉଭୟଙ୍କୁ ସ୍ୱାଗତ କରାଯାଇଥିଲା । ସେଠାରେ ଉଭୟ ନେତା ଏକାଠି ଡିନର କରିଥିଲେ । ଏହାପରେ ପୁଟିନ୍ଙ୍କୁ ମୋଦି କିଛି ଉପହାର ଦେଇଥିଲେ । ଏଥିରେ ରୁଷୀ ଭାଷାରେ ଲିଖିତ 'ଗୀତା'ର କପି ସାମିଲ ଥିଲା । ପୁଟିନ୍ଙ୍କୁ ଗୀତା ଭେଟି ଦେଇ ଏହାର ଶିକ୍ଷା ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଇଥାଏ ବୋଲି କହିଛନ୍ତି ।
ୟୁକ୍ରେନ୍ ଯୁଦ୍ଧ ପରେ ପ୍ରଥମ ଥର ଲାଗି ଭାରତ ଆସିଛନ୍ତି ପୁଟିନ୍ । ଭାରତ ଗସ୍ତର ଦ୍ୱିତୀୟ ଦିନ ଅର୍ଥାତ ଆଜି ଶୁକ୍ରବାର ପୁଟିନ୍ ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ଭବନ ଅଭିମୁଖେ ବାହାରିବେ । ସେଠାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ପୂର୍ବାହ୍ନ ସାଢ଼େ ୧୧ଟାରେ ସେ ରାଜଘାଟକୁ ଯିବେ । ସେଠାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ । ୧୧ଟା ୫୦ରେ ହାଇଦ୍ରାବାଦ ହାଉସ୍ରେ ମୋଦିଙ୍କୁ ଭେଟିବେ । ସେଠାରେ ଦୁଇ ନେତାଙ୍କ ମଧ୍ୟରେ ଏକ ବୈଠକ ଆୟୋଜନ ହେବ । ଏହି ଅବସରରେ ପ୍ରତିନିଧି ସ୍ତରୀୟ ଆଲୋଚନା ମଧ୍ୟ ସାମିଲ ଅଛି । ବୈଠକରେ କେତେଜଣ ପ୍ରମୁଖ ଉଦ୍ୟୋଗପତି ମଧ୍ୟ ଭାଗ ନେଇପାରନ୍ତି । ଅପରାହ୍ନ ୧ଟା ୫୦ ମିନିଟ୍ରେ ପୁଟିନ୍ ହାଇଦ୍ରାବାଦ ହାଉସ୍ରେ ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ଭାଗନେବେ ।
ଆଜି ଭାରତ-ରୁଷ୍ ମଧ୍ୟରେ ୨୩ତମ ଦ୍ୱିପାକ୍ଷିକ ସମ୍ମିଳନୀ ଆୟୋଜିତ ହେବ । ଏଥିରେ ସାମିଲ ହେବେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ । ଉଭୟ ଭାରତ ଓ ରୁଷ ମଧ୍ୟରେ ଆନୁଷ୍ଠାନିକ ଦ୍ୱିପାକ୍ଷିକ ବୈଠକ ସହ ଅନେକ ପ୍ରମୁଖ ଚୁକ୍ତିନାମା ସ୍ୱାକ୍ଷରିତ ହେବ। ବିଶେଷ୍ କରି ପ୍ରତିରକ୍ଷା ଦିଗ ଫୋକସ୍ରେ ରହିଛି । ପ୍ରମୁଖ ଆଲୋଚନାରେ ରୁଷ୍ର ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମ୍ ସ୍ଥାନ ପାଇବା ନେଇ ଆଶା କରାଯାଉଛି । ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନକୁ ଯାଇ ପୁଟିନ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଆଲୋଚନା କରିବେ । ରାତି ପ୍ରାୟ ୯ଟାରେ ପୁଟିନ୍ ଭାରତ ଗସ୍ତ ଶେଷ କରି ମସ୍କୋ ଅଭିମୁଖେ ବାହାରିବାର କାର୍ୟ୍ୟକ୍ରମ ରହିଛି ।
Comments ସମସ୍ତ ମତାମତ