ମୁଖ୍ୟ ଖବର
ପୁରୀ:ରଥଖଳା ଚଳଚଞ୍ଚଳ । ତିନିରଥର ମହାରଣା ସେବକ, ଭୋଇ ସେବକ, ଚିତ୍ରକାର ସେବକ ଲାଗି ପଡିଛନ୍ତି । ହାତରେ ଆଉ ଦିନ ମାତ୍ର କେଇଟା । ଇତି ମଧ୍ୟରେ ତିନିରଥରେ ପାର୍ଶ୍ୱ ଦେବ ଦେବୀ ସଂସ୍ଥାପନ କାର୍ଯ୍ୟ ଶେଷ ହୋଇ ଯାଇଛି । ତିନିରଥର ମହାରଣା ସେବକ ଏବଂ ଭୋଇ ସେବକମାନେ ମିଶି ତିନିରଥ ସମ୍ମୁଖ ଭାଗକୁ ଛାଡି ପ୍ରତି ପାର୍ଶ୍ୱରେ ତିନିଗୋଟି ଲେଖାଏଁ ୯ ଗୋଟି ପାର୍ଶ୍ୱ ଦେବ ଦେବୀଙ୍କୁ ଜଳଜନ୍ତ୍ର ଖାପରେ ଲଗାଇବା କାମ ସଂପନ୍ନ କରିଛନ୍ତି । ଶିଖର ଡମ୍ବରୁ ( ଦେବଦେବୀଙ୍କ ଆସ୍ଥାନ) ଆସ୍ଥାନ ସଂସ୍ଥାପନ କାର୍ଯ୍ୟ ମଧ୍ୟ ଶେଷ କରିଛନ୍ତି।ଚିତ୍ରକାର ସେବକମାନଙ୍କୁ ମଧ୍ୟ ଫୁରସତ ନାହିଁ । ତିନି ରଥର ବାହ୍ୟ ଅଂଶ ଗୁଡିକରେ ରଙ୍ଗ କାର୍ଯ୍ୟ ସହ ତିନିରଥର ଘୋଡ଼ା, ସାରଥୀଙ୍କ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି ।ରଥ ଦରଜୀ ସେବାଦରଜୀ ସେବକମାନେ ତିନିରଥର ବତା କନାରେ ଲେସ୍ ଫିଟିଙ୍ଗ କାର୍ଯ୍ୟ ଶେଷ କରି ସାରିଲେଣି । ତିନିରଥର ୧୨ ଗୋଟି ଦୁଆର ବେଢ଼ା ଏବଂ ୧୨ ଗୋଟି ଚନ୍ଦ୍ରଶାଳୀରେ ଚିକଣ ଜରୀ ଲେସ୍, ଫୁଲ,ଡାଳି ଲତା ପକା କାର୍ଯ୍ୟ ସହ ଶ୍ରୀବିଗ୍ରହଙ୍କ ବିଜେ ଚକା ପାଇଁ ବାନାରସି ଜରୀ କନାଖୋଳ ଏବଂ ଠାକୁରଙ୍କ ପିଠି ଏବଂ ମସ୍ତକ ପଶ୍ଚାତ ଭାଗ ପାଇଁ ଅପସର୍ ତକିଆ ପ୍ରସ୍ତୁତ କରୁଛନ୍ତି । ଏଥି ସହ ସାରଥୀଙ୍କ ପୋଷାକ ସିଲାଇ କାର୍ଯ୍ୟ ମଧ୍ୟ ଜାରି ରଖିଛନ୍ତି।
Comments ସମସ୍ତ ମତାମତ