ମୁଖ୍ୟ ଖବର
ପୁରୀ: ସୋମବାର ଶ୍ରୀମନ୍ଦିରରେ ଅଗ୍ନି ଉତ୍ସବ ତଥା ମେଣ୍ଢା ପୋଡ଼ି ନୀତି । ସନ୍ଧ୍ୟାରେ ଦୋଳୋତ୍ସବର ବିଶେଷ ପର୍ବ ମେଣ୍ଢାପୋଡ଼ି ନୀତି ହେବ । ଠାକୁରେ ଦୋଳବେଦିକୁ ବିଜେ ହେବା ପରେ ଏହି ବିଶେଷ ନୀତି ପାଳନ ହେବ । ମଧ୍ୟାହ୍ନ ଧୂପ ଶେଷ ପରେ ଠାକୁରଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ଦୋଳବେଦିସ୍ଥିତ ଅଗ୍ନି ଉତ୍ସବ ଗୃହକୁ ବିଜେ ହେବେ । ଅଗ୍ନି ସଂଯୋଗ ପରେ ଅଗ୍ନି ଗୃହକୁ ପ୍ରଦକ୍ଷଣ କରିବେ ଠାକୁର ଠାକୁରାଣୀ । ପ୍ରସାଦ ଲାଗି, ଶୀତଳ ଭୋଗ ଆଦି ବିଧି ମୁତାବକ ନୀତି ସରି ଚଳନ୍ତି ପ୍ରତିମା ଶ୍ରୀମନ୍ଦିରକୁ ବାହୁଡ଼ିବେ ।ଦୋଳପୂର୍ଣ୍ଣମୀରେ ଗ୍ରହଣ ନୀତି ଥିବାରେ ରାତି ଅଧରୁ ଶ୍ରୀମନ୍ଦିର ଦ୍ୱାର ଖୋଲି ନୀତି ଆରମ୍ଭ ହେବ । ଦୋଳବେଦିକୁ ଦିଅଁ ବିଜେ ସମୟ ରହିଛି ଅପରାହ୍ଣ ୫ଟା ୧୫ରେ । ସେଥିପାଇଁ ଦୋଳବେଦି ପରିସରରେ ପ୍ରସ୍ତୁତି ସରିଛି । ଠାକୁରଙ୍କ ଦ୍ୱିତୀୟ ଭୋଗମଣ୍ଡପ ସରି ମଇଲମ, ମେକାପ ସର୍ବାଙ୍ଗ ନୀତି ହୋଇ ଅପରାହ୍ଣରେ ଭୂଦେବୀ ଓ ଶ୍ରୀଦେବୀ ବିଜେ ହେବେ । ଠାକୁରଙ୍କ ଚାଚେରୀ ବେଶ ହେବ । ଚାଚେରୀ ଭୋଗ ଓ ଦକ୍ଷିଣୀଘର ଭୋଗ ସରିବ । ଅପରାହ୍ଣରେ ଘଣ୍ଟ, ଛତା, ଫଗୁ ସର୍ବାଙ୍ଗ ନୀତିହୋଇ ବନ୍ଦାପନା ଓ ରାଜନୀତି ହେବ । ସନ୍ଧ୍ୟାରେ ମହାଲକ୍ଷ୍ମୀଙ୍କ ମନ୍ଦିରକୁ ଦିଁଅ ବିଜେ ହୋଇ ଓ ସନ୍ଧ୍ୟା ଆଳତି ହେବ । ପରେ ଠାକୁରମାନେ ଦୋଳବେଦିକୁ ବିଜେ ହେବେ । ସନ୍ଧ୍ୟା ୭ଟା ୨୦ରେ ଠାକୁରେ ସେଠାରୁ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବାର ସମୟ ଧାର୍ଯ୍ୟ ହୋଇଛି ।
ଏହି ଅବସରକୁ ହିନ୍ଦୀବାସୀ ଭକ୍ତ ପ୍ରସ୍ତୁତିର ସହ ଅପେକ୍ଷା କରିଛନ୍ତି । ଶ୍ରଦ୍ଧା ପଟୁଆରୀ କୁହନ୍ତି, ଶ୍ରୀମନ୍ଦିରର ଅଗ୍ନି ଉତ୍ସବ ତଥା ମେଣ୍ଢାପୋଡ଼ି ନୀତିକୁ ହିନ୍ଦୀ ଭାଷୀ ଶ୍ରଦ୍ଧାଳୁ କୁହନ୍ତି ହୋଲିକା ଦହନ ଉତ୍ସବ । ସେଦିନ ଉପବାସ ସହ ନିଷ୍ଠାରେ ରହିବାକୁ ହୁଏ । ଦୋଳବେଦି ପରିସରରେ ମାରୱାଡ଼ି ସମ୍ପ୍ରଦାୟର ଶ୍ରଦ୍ଧାଳୁମାନେ ହୋଲିକା ରାକ୍ଷସୀର ପ୍ରତିମୂର୍ତ୍ତି ତିଆରନ୍ତି । ଘସି (ଶୁଖିଲା ଗୋବର)କୁ ସୁତାରେ ଗୁଡ଼ାଇ ଛୋଟ ଛୋଟ କାଠରେ ସଜାଇ ହୋଲିକା ରାକ୍ଷସୀର ପ୍ରତିମୂର୍ତ୍ତି ଗଢ଼ିବା ପରେ ସେଥିରେ ଅଗ୍ନି ସଂଯୋଗ କରାଯାଏ । ସେହିଠାରୁ ପାଉଁଶ ନିଜ ନିଜ ଘରକୁ ନିଅନ୍ତି । ସେହି ପାଉଁଶରେ ବନମାଟି ମିଶାଇ ଶିବ ପାବର୍ତୀଙ୍କୁ ସ୍ଥାପନା କରି ପୁଣି ୧୬ ଦିନ ପର୍ଯ୍ୟନ୍ତ ନବବିବାହିତା ଝିଅମାନେ ପୂଜାର୍ଚ୍ଚନା କରିବେ । ଏହି ଉତ୍ସବ ହେଉଛି ଅଧର୍ମ ଉପରେ ଧର୍ମର ବିଜୟ । ଏହାଦ୍ୱାରା ଦୁଷ୍ଟ ଶକ୍ତିର ଅନ୍ତ ହେଉଥିବା ବିଶ୍ୱାସ ରହିଛି । ଏହି ପରମ୍ପରା ଅତି ପ୍ରାଚୀନ । ଜାଗରଠାରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇ ଅଗ୍ନିଉତ୍ସବକୁ ଉତ୍କଣ୍ଠାର ସହ ସଭିଏଁ ଚାହିଁଥାନ୍ତି ବୋଲି ଶ୍ରଦ୍ଧା କହିଛନ୍ତି ।
Comments ସମସ୍ତ ମତାମତ