Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଅପରାହ୍ଣ ୨ଟା ଯାଏ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

    Share on :
    ajab-Image
    Date: Jun 3, 2023    Views: 3703

    ପୁରୀ: ଆଉ ମାତ୍ର ଦିନକ ପରେ ଶ୍ରୀବିଗ୍ରହଙ୍କ ସ୍ନାନ ଯାତ୍ରା । ଏଥିପାଇଁ ଚାରମାଳ ବନ୍ଧା ସହ ଠାକୁରଙ୍କ ସେନାପଟା ଲାଗି ନୀତି ହେବ । ଏହି ସ୍ୱତନ୍ତ୍ର ନୀତି ପାଇଁ ଶୁକ୍ରବାର ରାତି ୧୦ଟାରୁ ଶନିବାର ଅପରାହ୍ଣ ୨ଟା ପର୍ୟ୍ୟନ୍ତ ଠାକୁରଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରଦ୍ଧାଳୁମାନେ କିନ୍ତୁ ଶ୍ରୀମନ୍ଦିରକୁ ଯାଇ ପାଶ୍ୱର୍ଦେବଦେବୀଙ୍କୁ ଦର୍ଶନ କରିପାରିବେ ।
    ରବିବାର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନବେଦିରେ ଉଭା ହେବେ ଶ୍ରୀଜିଉ । ଠାକୁରଙ୍କୁ ଜଳଲାଗି ସହ ଗଜାନନ ବେଶରେ ଦର୍ଶନ ଦେବେ ଦାରୁଦିଅଁ । ଏଣୁ ଶୁକ୍ରବାର ରାତିରୁ ଆରମ୍ଭ ହୋଇଥିଲା ବିଶେଷ ନୀତି । ଠାକୁରଙ୍କ ଠାରେ ଠିଆ ପହୁଡ଼ ଖଣ୍ଡୁଆ ପଡ଼ିବାପରେ ରାତିରେ ବାହୁଟ କଣ୍ଟ ଅର୍ଥାତ୍‌ ମାପ ହୋଇଥିଲା । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ବାହୁଟ କଣ୍ଟ କରାଯାଏ । ଦଇତାପତିମାନେ ସିଂହାସନରେ ଏହି କାର୍ୟ୍ୟ କରିଛନ୍ତି । ଏହି ଅବସରରେ କୋଠସୁଆଁସିଆ ସେବକମାନେ ମହାପ୍ରଭୁଙ୍କ କାର୍ୟ୍ୟରେ ନିୟୋଜିତ ହୋଇଛନ୍ତି । ସାମୂହିକ ଭାବେ ଏମାନେ ତଳୁ ରତ୍ନସିଂହାସନ ପର୍ୟ୍ୟନ୍ତ ଚାରମାଳ (ସିଡ଼ି) ବାନ୍ଧିଛନ୍ତି । ଚତୁର୍ଦ୍ଦଶୀ ସକାଳେ କୋଠ ସୁଆଁସିଆ ସେବକ ବାହାରିବା ପରେ ଦଇତାପତିମାନେ ସେନାପଟା ଲାଗି କରିବେ । ଠାକୁରଙ୍କ ନୀତି ତ୍ୱରାନ୍ୱିତ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ଜିଲ୍ଲାପାଳ ସମର୍ଥ ବର୍ମା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ବଡ଼ଦେଉଳରେ ଉପସ୍ଥିତ ଥିଲେ ।

    ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଅନୁସାରେ ସାଢ଼େ ୬ଟାରୁ ଆରମ୍ଭ ହେବ ଏହି ସ୍ୱତନ୍ତ୍ର ନୀତି । ପ୍ରାୟ ସାଢ଼େ ୧୧ଟାରେ ସରିବ ସେନାପଟା ଲାଗି । ଏହା ପରେ ଶ୍ରୀବିଗ୍ରହଙ୍କ ମଙ୍ଗଳଆଳତି ହେଲା ବେଳକୁ ୧୨ଟା ହେବ । ପରେ ମଇଲମ, ତଡ଼ପ ଲାଗି ଓ ଅବକାଶ ରୋଷହୋମ, ସୂର୍ୟ୍ୟପୂଜା ଓ ଦ୍ୱାରପାଳ ପୂଜା ହୋଇ ବେଶ ଶେଷ ହେବା ସହ ଠାକୁରଙ୍କ ନୀତି ଆଗେଇବ । ଅନ୍ୟାନ୍ୟ ନୀତି ସହ ଆଲଟଲାଗି ଓ ଚନ୍ଦନଲାଗି ଶେଷ ହୋଇ ୧୦ଟା ୪୦ରେ ସନ୍ଧ୍ୟାଧୂପ ସରିବା ପରେ ଚଉଠି କର୍ମ ରହିଛି । ଦେବସ୍ନାନ ପୂର୍ଣ୍ଣିମା ପୂର୍ବ ଦିନ ଶନିବାର ବିଳମ୍ବିତ ରାତିରେ ଠାକୁରଙ୍କ ମଙ୍ଗଳାର୍ପଣ, ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇ ରବିବାର ପ୍ରାତଃ ୪ଟାରେ ପହଣ୍ଡି ଆରମ୍ଭ ହେବ । ୬ଟା ସୁଦ୍ଧା ପହଣ୍ଡି ସାରି ସ୍ନାନମଣ୍ଡପରେ ଠାକୁରଙ୍କ ମଙ୍ଗଳଆଳତି ହେବ ବୋଲି ସମୟ ଧାର୍ୟ୍ୟ ହୋଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook