ମୁଖ୍ୟ ଖବର
ନୂଆଦିଲ୍ଲୀ : ପାକିସ୍ତାନକୁ ଝଟକା। ସିନ୍ଧୁ ନଦୀଜଳ ଚୁକ୍ତି ବାତିଲ କରିବା ପରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ। ଜମ୍ମୁକାଶ୍ମୀରର ଚେନାବ ନଦୀରେ ଏକ ବୃହତ୍ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପ୍ରକ୍ରିୟା ଆରମ୍ଭ କଲା ଭାରତ। ଏଥିପାଇଁ ୫,୧୨୯ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହି ପ୍ରକଳ୍ପ ନିର୍ମାଣ ଲାଗି ଜାତୀୟ ଜଳବିଦ୍ୟୁତ ଶକ୍ତି ନିଗମ (ଏନ୍ଏଚ୍ପିସି) ଲିମିଟେଡ ପକ୍ଷରୁ ଗତ ୫ ତାରିଖରେ ବିଭିନ୍ନ କମ୍ପାନିଙ୍କୁ ଆମନ୍ତ୍ରଣ କରାଯାଇଛି । ଜମ୍ମୁ-କାଶ୍ମୀରର ରାମବନ ଓ ଉଧମପୁର ଜିଲ୍ଲାରେ ଚେନାବ ନଦୀ ଉପରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ । ସାୱାଲକୋଟ୍ ଜଳବିଦ୍ୟୁତ ପ୍ରୋଜେକ୍ଟର ପ୍ରଥମ ପର୍ଯ୍ୟାୟରେ ୧,୪୦୬ ମେଗାୱାଟର ପ୍ରକଳ୍ପ ନିର୍ମାଣ କରାଯିବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ଉପରି ଭାଗରେ ବାଗଲିହର ପ୍ରୋଜେକ୍ଟ ଓ ତଳଭାଗରେ ସାଲାଇ ପ୍ରୋଜେକ୍ଟ ମଧ୍ୟବର୍ତ୍ତୀ ସ୍ଥାନରେ ଚେନାବ ନଦୀରେ ୪୫୦ ମେଗାୱାଟର ପ୍ରକଳ୍ପ ନିର୍ମାଣ କରାଯିବ।
ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ନିର୍ମାଣ ପଦ୍ଧତି, ଯନ୍ତ୍ରପାତି ଓ ଆବଶ୍ୟକ ଉପକରଣ ତୁରନ୍ତ ଯୋଗାଇଦେବା ଲାଗି ନିଷ୍ପତ୍ତି ନିଆଯାଇଛି । ଗତବର୍ଷ ପାକିସ୍ତାନ ସହ ସିନ୍ଧୁ ନଦୀଜଳ ଚୁକ୍ତି ବାତିଲ କରାଯିବା ପରେ ପରିବେଶ ମନ୍ତ୍ରଣାଳୟର ଏକ ବିଶେଷଜ୍ଞ କମିଟି ଗତବର୍ଷ ଅକ୍ଟୋବରରେ ୧,୮୫୬ ମେଗାୱାଟ ବିଶିଷ୍ଟ ଏହି ପ୍ରକଳ୍ପ ନିର୍ମାଣ ଲାଗି ଅନୁମତି ପ୍ରଦାନ କରିଥିଲା । ଏନ୍ଏଚ୍ପିସି ପକ୍ଷରୁ ବିଭିନ୍ନ କମ୍ପାନି ଠାରୁ ଏହି ପ୍ରକଳ୍ପ ନିର୍ମାଣ ଲାଗି ଟେଣ୍ଡର ଆହ୍ୱାନ କରାଯାଇଛି । ଟେଣ୍ଡର ମିଳିବାର ୧୨ ମାସ ଭିତରେ ସମସ୍ତ ଭୂତଳ ଓ ଭୂପୃଷ୍ଠ କାର୍ଯ୍ୟ ଶେଷ କରିବାକୁ ଟାର୍ଗେଟ ରଖାଯାଇଛି । ଅଣମୌସୁମୀ ସମୟରେ ପ୍ରକଳ୍ପର ୫୦ ପ୍ରତିଶତ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା ବେଳେ ଅବଶିଷ୍ଟ ୫୦ ପ୍ରତିଶତ କାର୍ଯ୍ୟ ମୌସୁମୀ ସମୟରେ ଶେଷ କରାଯିବ । ତେବେ ସମ୍ପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ ଶେଷ ହେବାକୁ ପ୍ରାୟ ୯ ବର୍ଷ ସମୟ ଲାଗିବ ବୋଲି ଜାରି ଦସ୍ତାବିଜରୁ ଜଣାପଡିଛି ।
ଏହା ବ୍ୟତୀତ ଚେନାବ ନଦୀ ସିଷ୍ଟମରେ ଅନ୍ୟ ୪ଟି ଛୋଟ ପ୍ରକଳ୍ପ ତୁରନ୍ତ ନିର୍ମାଣ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେଥିରେ ପକୁଲ ଡୁଲ ଓ କିରୁ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚଳିତବର୍ଷ ଶେଷ ସୁଦ୍ଧା ସାରିବାକୁ କୁହାଯାଇଥିଲା ବେଳେ କ୍ୱାର ପ୍ରକଳ୍ପର କାର୍ଯ୍ୟ ୨୦୨୮ ମାର୍ଚ୍ଚରେ ସାରିବାକୁ କୁହାଯାଇଛି । ସେହିଭଳି ରାଟେଲ ଡ୍ୟାମ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଯଥାଶୀଘ୍ର ଶେଷ କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି ।
Comments ସମସ୍ତ ମତାମତ