ମୁଖ୍ୟ ଖବର
ନୂଆଦିଲ୍ଲୀ: ପୁଣିଥରେ ସୁପ୍ରିମକୋର୍ଟରେ ବୃଦ୍ଧି ହେବ ବିଚାରପତିଙ୍କ ସଂଖ୍ୟା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଚାରପତିଙ୍କ ସଂଖ୍ୟା ୩୪ ରୁ ୩୮କୁ ବୃଦ୍ଧି କରିବା ପାଇଁ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି । ବର୍ତ୍ତମାନର ଅଧ୍ୟାଦେଶକୁ ସରକାର ବଦଳାଇ ସଂସଦର ମୌସୁମୀ ଅଧିବେଶନରେ ଏକ ବିଲ୍ ଆଗତ କରିବେ। ଏବେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ମୋଟ ୩୮ ଜଣ ବିଚାରପତି ରହିବେ ।ଏନେଇ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ 'ଏକ୍ସ'ରେ ଏକ ପୋଷ୍ଟରେ କହିଛନ୍ତି, "ରାଷ୍ଟ୍ରପତି ସୁପ୍ରିମକୋର୍ଟ ସଂଶୋଧନ ଅଧ୍ୟାଦେଶ, ୨୦୨୬ ପ୍ରଣୟନ କରି ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା ୩୮କୁ ବୃଦ୍ଧି କରୁଛନ୍ତି ।"
ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ମେ' ୫ ତାରିଖରେ ଭାରତୀୟ ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା ୩୪ରୁ ୩୮କୁ ବୃଦ୍ଧି କରିବା ପାଇଁ ସୁପ୍ରିମକୋର୍ଟ ସଂଶୋଧନ ବିଲ୍, ୨୦୨୬ ଆଗତ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲା । ସରକାରଙ୍କ ଅନୁଯାୟୀ, ସୁପ୍ରିମକୋର୍ଟର ବର୍ଦ୍ଧିତ କାର୍ୟ୍ୟଭାର ଏବଂ ବିଚାରାଧୀନ ମାମଲା ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ନ୍ୟାୟିକ ଶକ୍ତି ବୃଦ୍ଧି ଦ୍ୱାରା ମାମଲାର ସମାଧାନରେ ଦକ୍ଷତା ବୃଦ୍ଧି ପାଇବା ଏବଂ ଶୁଣାଣିରେ ବିଳମ୍ବ ହ୍ରାସ ପାଇବା ଆଶା କରାଯାଉଛି ।
ଭାରତର ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଁ ଏକ ଆଇନ ପ୍ରଥମେ ୧୯୫୬ ମସିହାରେ ପ୍ରଣୟନ କରାଯାଇଥିଲା । ସେବେ ଠାରୁ, ନ୍ୟାୟପାଳିକାର ବର୍ଦ୍ଧିତ ଚାହିଦା ଅନୁଯାୟୀ ବିଚାରପତିଙ୍କ ଅନୁମୋଦିତ ସଂଖ୍ୟାକୁ ଅନେକ ଥର ସଂଶୋଧନ କରାଯାଇଛି । ପ୍ରକାଶ ଥାଉକି,ଶେଷ ଥର ପାଇଁ ୨୦୧୯ ରେ ସୁପ୍ରିମକୋର୍ଟର କ୍ଷମତା ବୃଦ୍ଧି କରାଯାଇଥିଲା, ଯେତେବେଳେ ସଂସଦ ସୁପ୍ରିମକୋର୍ଟ ସଂଶୋଧନ ଆଇନ, ୨୦୧୯ ମାଧ୍ୟମରେ ଭାରତର ମୁଖ୍ୟ ବିଚାରପତିଙ୍କୁ ବାଦ ଦେଇ ବିଚାରପତିଙ୍କ ସଂଖ୍ୟା ୩୩ କୁ ବୃଦ୍ଧି କରିବା ପାଇଁ ଆଇନ ସଂଶୋଧନ କରିଥିଲା ।ସଦ୍ୟତମ ସଂଶୋଧନ ଅଧ୍ୟାଦେଶ ସହିତ, ସୁପ୍ରିମକୋର୍ଟର ମୋଟ ମଞ୍ଜୁରୀପ୍ରାପ୍ତ ବିଚାରପତିଙ୍କ ସଂଖ୍ୟା ଏବେ ୩୮କୁ ବୃଦ୍ଧି ପାଇବ, ଯେଉଁଥିରେ ଭାରତର ମୁଖ୍ୟ ବିଚାରପତି ମଧ୍ୟ ସାମିଲ ଅଛନ୍ତି ।
Comments ସମସ୍ତ ମତାମତ