Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନବୀନ କୋଟିଆ ପ୍ରସଙ୍ଗରେ ୨୪ ବର୍ଷ ଧରି କାହିଁକି ନୀରବ ରହିଥିଲେ: ପ୍ରଭାତୀ ପରିଡ଼ା

    Share on :
    ajab-Image
    Date: Nov 5, 2026    Views: 2996

    ଭୁବନେଶ୍ୱର:  କୋଟିଆ ସୀମା ବିବାଦକୁ ନେଇ ରାଜ୍ୟ ରାଜନୀତିରେ ତେଜିଲା ବାକ୍‌ଯୁଦ୍ଧ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବଢ଼ୁଥିବା ବିବାଦକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ । ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ରକ୍ଷା ସହ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ର ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ସର୍ବୋଚ୍ଚ ସ୍ତରରେ ଆଲୋଚନା କରିବାକୁ ନବୀନ ଆହ୍ୱାନ ଦେଇଥିଲେ । ଏବେ ନବୀନଙ୍କୁ କଡ଼ା କାଉଣ୍ଟର କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୨୪ ବର୍ଷ ଧରି ଓଡ଼ିଶାର ଶାସନ ଦାୟିତ୍ୱରେ ରହିଥିବା ନବୀନ କୋଟିଆ ପ୍ରସଙ୍ଗରେ କାହିଁକି ନୀରବ ରହିଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ସେ ।

    ପ୍ରଭାତୀ କହିଛନ୍ତି, ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ଧରି ରାଜ୍ୟର ଶାସନ ଭାର ସମ୍ଭାଳିଥିଲେ । ଏହି ସମୟ ମଧ୍ୟରୁ ୯ ବର୍ଷ ସେ ଏନ୍‌ଡିଏର ସହଯୋଗୀ ଭାବେ ମଧ୍ୟ ରହିଥିଲେ । ତେବେ ଏତେ ଦୀର୍ଘ ସମୟ ଶାସନରେ ରହିବା ସତ୍ତ୍ୱେ କୋଟିଆରେ ଓଡ଼ିଶାର ସ୍ୱାର୍ଥ ଏବଂ ଭୌଗୋଳିକ ସୀମାର ସୁରକ୍ଷା ପ୍ରସଙ୍ଗରେ ସେ କାହିଁକି ନିରବ ରହିଥିଲେ, ତାହାର ଜବାବ ଦେବାକୁ ପ୍ରଭାତୀ ଆହ୍ୱାନ ଦେଇଛନ୍ତି ।

    ଏହା ସହ ଦୀର୍ଘ ବର୍ଷର ନିଷ୍କ୍ରିୟତା ପରେ ଏବେ ହଠାତ୍ ଚିଠି ଲେଖିବାକୁ ନବୀନଙ୍କୁ ସାହସ କେଉଁଠୁ ଆସିଲା ବୋଲି କଟାକ୍ଷ କରିଛନ୍ତି ସେ । ନା ଏବେ କେହି ତାଙ୍କୁ କୋଟିଆ ପ୍ରସଙ୍ଗର ଗମ୍ଭୀରତା ବୁଝାଇଛନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଢ଼ ନେତୃତ୍ୱରେ କୋରାପୁଟ ଜିଲ୍ଲା ପ୍ରଶାସନ ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ଓ ସୀମା ସୁରକ୍ଷା ପାଇଁ ଦୃଢ଼ତାର ସହ ଲଢ଼େଇ କରୁଥିବା ପ୍ରଭାତୀ କହିଛନ୍ତି ।

    ସେହିପରି ୨୦୨୪ ନିର୍ବାଚନୀ ଇସ୍ତାହାରକୁ ନେଇ ବିଜେପିକୁ ପରାମର୍ଶ ଦେବା ପୂର୍ବରୁ ନବୀନ ନିଜ ଶାସନ କାଳରେ କୋଟିଆ ପ୍ରସଙ୍ଗରେ ନୀରବତାର କାରଣ ସ୍ପଷ୍ଟ କରନ୍ତୁ ବୋଲି ଆହ୍ୱାନ କରିଛନ୍ତି ପ୍ରଭାତୀ । ଏହି ବୟାନ ପରେ କୋଟିଆ ପ୍ରସଙ୍ଗକୁ ନେଇ ବିଜେପି-ବିଜେଡି ମଧ୍ୟରେ ରାଜନୈତିକ ବୟାନବାଜି ଆହୁରି ତୀବ୍ର ହେବା ସମ୍ଭାବନା ରହିଛି ।

    Maximum 500 characters

    ରାଜନୀତି View all

    Find Us on Facebook