Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କେନ୍ଦ୍ର ପ୍ରାକ-ବଜେଟ ପରାମର୍ଶ ବୈଠକରେ ପ୍ରଭାତୀ ପରିଡା

    Share on :
    ajab-Image
    Date: Jan 11, 2026    Views: 3418

    ଭୁବନେଶ୍ୱର, ୧୦।୧ : ୨୦୨୬–୨୭ କେନ୍ଦ୍ରୀୟ ବଜେଟ ପାଇଁ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରାମନ ଅଧ୍ୟକ୍ଷତା କରିଥିଲେ। ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ ଓଡିଶାର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ମୁଖ୍ୟତଃ ୯ ଟି ଦାବି ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ।
    “ପୂର୍ବୋଦୟ” ଭିଜନ ଅଧୀନରେ ’ବିକଶିତ ଓଡ଼ିଶା ପାଇଁ ବିକଶିତ ଭାରତ’ ଲକ୍ଷ୍ୟ ପୂରଣ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶ ନିମନ୍ତେ କେନ୍ଦ୍ର ସରକାରଙ୍କ ସମର୍ଥନ ଉପରେ ଉପମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ। ସେହିପରି ଆର୍ଥିକ ଶୃଙ୍ଖଳା ପାଳନ କରୁଥିବା ରାଜ୍ୟମାନଙ୍କୁ ପ୍ରୋତ୍ସାହନ ଏବଂ ରାଜ୍ୟମାନଙ୍କ ପାଇଁ ପୁଞ୍ଜି ନିବେଶ ସ୍ୱତନ୍ତ୍ର ସହାୟତା ଯୋଜନା (SASCI) ୨୦୨୬–୨୭ ଅଧୀନରେ ଅଧିକ ଅନୁଦାନ ଦେବାକୁ କହିଥିଲେ। ପୂରକ ପୋଷଣ କାର୍ଯ୍ୟକ୍ରମ (SNP) ଓ କିଶୋରୀ ଯୋଜନା (SAG) ଅଧୀନରେ ରେସନ୍ ମୂଲ୍ୟ ମାନଦଣ୍ଡର ସଂଶୋଧନ , ଯାହା ମାଧ୍ୟମରେ ହିତାଧିକାରୀମାନଙ୍କୁ ପୋଷକ ଓ ଉତ୍ତମ ଗୁଣମାନର ଖାଦ୍ୟ ନିରନ୍ତର ଯୋଗାଣ ସୁନିଶ୍ଚିତ ହୋଇପାରିବ।
    ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ଅଧୀନରେ କେନ୍ଦ୍ରୀୟ ଅଂଶ ବୃଦ୍ଧି ଏବଂ ସାମାଜିକ ପେନସନ ଯୋଜନାରେ ଅଧିକ ଲାଭାନ୍ୱିତଙ୍କୁ ଅନ୍ତର୍ଭୁକ୍ତ କରିବା କୁ ପ୍ରସ୍ତାବ ଦେଇଥିଲେ। ଏହା ରାଜ୍ୟର ଆର୍ଥିକ ଚାପ ମଧ୍ୟ ହ୍ରାସ କରିବ ବୋଲି କହିଥିଲେ। ଧାନ କ୍ରୟ କାର୍ଯ୍ୟକ୍ରମ ପାଇଁ ସମର୍ଥନ ଏବଂ ଧାନ ଉତ୍ପାଦନ ବୃଦ୍ଧି ପ୍ରସଙ୍ଗରେ ସଞ୍ଚୟ ଢାଞ୍ଚାର ବିସ୍ତାର ଉପରେ ଆଲୋଚନା କରିଥିଲେ।

    ଜଳ ଜୀବନ ମିଶନ୍ (JJM) ଅଧୀନରେ ଚାଲୁଥିବା ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ କରିବା ପାଇଁ ପର୍ଯ୍ୟାପ୍ତ ଅନୁଦାନ ଦେବାକୁ କହିଥିଲେ। ଓଡ଼ିଶାରେ ୪୧,୫୮୦ କୋଟି ଟଙ୍କା ମୂଲ୍ୟର ସଡ଼କ ଓ ଜାତୀୟ ରାଜପଥ ପ୍ରକଳ୍ପ ଉନ୍ନୟନ ପାଇଁ କେନ୍ଦ୍ର ସରକାରଙ୍କ ସମର୍ଥନ ଏବଂ ଓଡ଼ିଶାର ନଗରୀକରଣ ପାଇଁ ଆବଶ୍ୟକ ଭାରି ପୁଞ୍ଜି ନିବେଶ ପ୍ରତି କେନ୍ଦ୍ର ସରକାରଙ୍କ ସହଯୋଗ ଉପରେ ପ୍ରସ୍ତାବ ଦେଇଥିଲେ।
    ସେହିପରି ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ରାଜ୍ୟର ଅର୍ଥନୀତିର ଏକ ମୁଖ୍ୟ ସ୍ତମ୍ଭ।, ଯାହା ବହୁ ପରିମାଣରେ ରୋଜଗାର ସୃଷ୍ଟି କରେ ଓ ସମାବେଶୀ ବିକାଶକୁ ପ୍ରୋତ୍ସାହନ ଦିଏ। ପୁରୀ, ବିଶ୍ୱପ୍ରସିଦ୍ଧ ଜନଜାତିୟ ପରମ୍ପରା, ନିର୍ମଳ ସମୁଦ୍ରତଟ ଏବଂ ବିବିଧ ପରିବେଶ ପର୍ଯ୍ୟଟନ କେନ୍ଦ୍ର ସହିତ ଓଡ଼ିଶା ଏକ ସମୃଦ୍ଧ ସାଂସ୍କୃତିକ ଓ ଧାର୍ମିକ ଐତିହ୍ୟରେ ପରିପୂର୍ଣ୍ଣ। କେନ୍ଦ୍ର ସରକାରଙ୍କ ସହଯୋଗ, ଯୋଜନାବଦ୍ଧ ଉନ୍ନୟନ ଓ ପୂର୍ବାଧାର ବିକାଶ ମାଧ୍ୟମରେ ଏହି ସ୍ଥାନଗୁଡ଼ିକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ମୁଖ୍ୟ ପର୍ଯ୍ୟଟନ କେନ୍ଦ୍ର ଭାବେ ଉନ୍ନତ କରାଯାଇପାରିବ।ଏହା ଦ୍ୱାରା ଓଡ଼ିଶାକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଏକ ପ୍ରମୁଖ ପର୍ଯ୍ୟଟନ ଗନ୍ତବ୍ୟ ଭାବେ ପରିଚିତ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ। ଓଡ଼ିଶା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ସମ୍ମିଳିତ ଏକ ସ୍ମାରକପତ୍ର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରାମନଙ୍କୁ ପ୍ରଦାନ କରିଥିଲେ। କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରାମନ ଆଲୋଚନା ହୋଇଥିବା ବିଷୟବସ୍ତୁ ଉପରେ ବିଚାର କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି। ଏହି ବୈଠକରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର ମଧ୍ୟ ଉପସ୍ଥିତ ଥିଲେ । 

    Maximum 500 characters

    ତାଜା ଖବର View all

    Find Us on Facebook