ମୁଖ୍ୟ ଖବର
ବାଲେଶ୍ବର: ପଶ୍ଚିମବଙ୍ଗ ଦୀଘାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ଓ ଜଗନ୍ନାଥ ଧାମ ନାମକରଣକୁ ନେଇ ବିବାଦ ତେଜିଥିବା ବେଳେ ଏବେ ସୋସିଆଲ ମିଡିଆରେ ବଏକଟ ଓଡ଼ିଆ ବୋଲି ମଧ୍ୟ କିଛି ମେସେଜ ଭାଇରାଲ ହେବାରେ ଲାଗିଛି । ମନ୍ଦିର ପ୍ରତିଷ୍ଠା ପାଖରୁ ହିଁ ଅସନ୍ତୋଷ ଘନେଇ ଥିବା ବେଳେ ପୁଣି ତାହା ଜଗନ୍ନାଥ ଧାମ କୁହାଯିବା ଓ ଲେଖାଯିବା ଓଡ଼ିଆମାନଙ୍କ ଆରାଧ୍ୟ ଦେବତାଙ୍କ ପ୍ରତି ଅପମାନ ବୋଲି ଅସନ୍ତୋଷ ତେଜିବାରେ ଲାଗିଛି । ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କର ଏମିତି କାର୍ଯ୍ୟକୁ ନିନ୍ଦା କରିଛନ୍ତି ।
ସାଂସଦ ଆହୁରି କହଛନ୍ତି, "ଲକ୍ଷ ଲକ୍ଷ ମନ୍ଦିର ହୋଇଯାଉ, ଧାମ 4ଟି ଧାମ ଅଛି । ଜଗନ୍ନାଥ ଧାମ ଗୋଟିଏ ଅଛି । ଜଗନ୍ନାଥ ଧାମରେ ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ମଠ ପ୍ରତିଷ୍ଠା କଲେ । ବଦ୍ରୀ ଧାମରେ ଜ୍ୟୋତିଷ ପୀଠ ପ୍ରତିଷ୍ଠା କଲେ, ସୃଙ୍ଗେରୀରେ ସୃଙ୍ଗେରୀ ମଠ ପ୍ରତିଷ୍ଠା ହେଲା, ଦ୍ଵାରିକାରେ ଶାରଦା ପୀଠ ପ୍ରତିଷ୍ଠା ହେଲା । ଏମିତି ଶଙ୍କରାଚାର୍ଯ୍ୟ ଭାରତର ଚାରି କୋଣରେ ଚାରି ଧାମର ପୁନରୁଦ୍ଧାର କଲେ, ସେଠି ବେଦ ପ୍ରଚାର ପାଇଁ ଚାରୋଟି ମଠ ପ୍ରତିଷ୍ଠା କଲେ । ଏହି ଧାମକୁ ଦୁନିଆ ଜାଣିଛି, ଏଠାରେ ଧାମ ପାଇଁ ଗୋଟେ ବ୍ୟାଚ ଦରକାର ନାହିଁ । ଯେହେତୁ ସେଠାରେ କେହି ଧାମ ବୋଲି ମାନୁନାହାନ୍ତି ତେଣୁ ଜଗନ୍ନାଥ ଧାମ ବୋଲି ସେ ଗୋଟିଏ ବ୍ୟାଚ ଲଗେଇଲେ । ତାକୁ ଦେଖିକି କେହି ମାନିବେ କି ?। ଯେମିତି ବୟକଟ ବିଷ୍ଣୁ ବୋଲି କରିଥିଲା ହିରଣ୍ୟ କଷିପୁ, ବୟକଟ କୃଷ୍ଣ ବୋଲି କରିଥିଲା ପୁଣ୍ଡରିକ ବାସୁଦେବ ଏମାନେ ସବୁ ଯେତେ ବୟକଟ କଲେ ପରିଣାମ କଣ ହେଲା ସେମାନଙ୍କ ସଂହାର ହେଲା । ସେହିଭଳି ମମତା ବାନର୍ଜୀଙ୍କର ପତନ ଏଥର ଅନିର୍ବାଯ୍ୟ । ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ଶାସନ ଆସିବ । ଜଗନ୍ନାଥଙ୍କର ଇଚ୍ଛା ହେଲାଣି, ସେ ଓଡ଼ିଶାରେ ଆଣି ସାରିବା ପରେ ବଙ୍ଗ ଆଡ଼କୁ ଦୃଷ୍ଟି ପକେଇଲେଣି । ଜଗନ୍ନାଥଙ୍କ କୃପା, କଟାକ୍ଷରେ ବିଜେପି ଶାସନ ଆସିବା ପୂର୍ବରୁ ଏହା ଏକ ଆଭାସ । ମମତା ବାନର୍ଜୀଙ୍କର ଅହଂକାରର ଚରମ ସୀମା ସ୍ପର୍ଶ କଲା ତେଣୁ ତାଙ୍କର ପତନ ସୁନିଶ୍ଚିତ, ବିଜେପିର ଶାସନ ଆସିବ ଏଇଟା ପୂର୍ବାଭାସ ଜଣାପଡୁଛି ।"
Comments ସମସ୍ତ ମତାମତ