ମୁଖ୍ୟ ଖବର
ନୂଆଦିଲ୍ଲୀ: ୨୦୦୭ରେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ-୩’ର ବିଜେତା ହୋଇ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିଣିଥିବା ପ୍ରସିଦ୍ଧ ଗାୟକ ପ୍ରଶାନ୍ତ ତମାଙ୍ଗ ଆଉ ନାହାନ୍ତି । ରବିବାର ନୂଆଦିଲ୍ଲୀର ଜନକପୁରୀସ୍ଥିତ ବାସଭବନରେ ତାଙ୍କର ଅକାଳ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ହୋଇଥିଲା । ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ନିକଟରେ ପ୍ରଶାନ୍ତ ଅରୁଣାଚଳ ପ୍ରଦେଶରେ ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗଦେବା ପରେ ରାଜଧାନୀକୁ ଫେରିଥିଲେ । ସେ କୌଣସି ବଡ଼ ରୋଗରେ ପୀଡ଼ିତ ନ ଥିଲେ । ତାଙ୍କର ପତ୍ନୀ ଓ ଝିଅ ଅଛନ୍ତି । ପ୍ରଶାନ୍ତ କୋଲକାତା ପୁଲିସରେ ଜଣେ କନଷ୍ଟେବଳ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ପରେ ସଙ୍ଗୀତ ଦୁନିଆରେ ଚମତ୍କାର ପ୍ରଦର୍ଶନ କରି ସମଗ୍ର ଦକ୍ଷିଣ ଏସିଆରେ ନାଁ କମାଇଥିଲେ । ତାଙ୍କ ଜୀବନ ଯାତ୍ରା ଅନେକଙ୍କ ପାଇଁ ପ୍ରେରଣା ସାଜିଥିଲା ।
ପ୍ରଶାନ୍ତ ସଙ୍ଗୀତଧର୍ମୀ ଟିଭି କାର୍ଯ୍ୟକ୍ରମ ‘ଇଣ୍ଡିଆନ୍ ଆଇଡଲ୍ ସିଜନ-୩’ରେ ବିଜେତା ହୋଇ ଖ୍ୟାତି ଅର୍ଜନ କରିଥିଲେ । ୱେବସିରିଜ ‘ପାତାଲଲୋକ’ ଦ୍ୱିତୀୟ ଭାଗରେ ତାଙ୍କୁ ଦେଖିବାକୁ ମିଳିଥିଲା । ଏହାଛଡ଼ା ସଲମାନ ଖାନ୍ଙ୍କ ଫିଲ୍ମ ‘ବ୍ୟାଟଲ୍ ଅଫ୍ ଗଲୱାନ’ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ । ଏପ୍ରିଲ ୧୭ରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି । ସେ ୨୦୧୦ରେ ନେପାଳୀ ଫିଲ୍ମ ଗୋରଖା ପଲଟନରୁ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ‘ଅଙ୍ଗାଲୋ ୟୋ ମାୟା କୋ, କିନ ମାୟା ମା, ନିଶାନୀ ଭଳି ଅନେକ ଫିଲ୍ମରେ ଅଭିନୟ କରିଥିଲେ । ପ୍ରଶାନ୍ତ ୨୦୧୧ ଫେବ୍ରୁଆରୀ ୧୬ରେ ଗୀତା ଥାପାଙ୍କୁ ବିବାହ କରିଥିଲେ । ଅରିଆ ନାମରେ ସେମାନଙ୍କର ଏକ କନ୍ୟା ସନ୍ତାନ ରହିଛି ।
Comments ସମସ୍ତ ମତାମତ