ମୁଖ୍ୟ ଖବର
ଭୁବନେଶ୍ୱର: ବିଜେପି ପ୍ରାର୍ଥୀଙ୍କ ଆଖିରେ ଲୁହ । ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏକ ସାମ୍ବାଦିକ ସମ୍ମିଳନୀରେ କାନ୍ଦିଛନ୍ତି । ବିଜେଡି ଗୁଣ୍ଡାମାନେ ତାଙ୍କ ଉପରେ ଆକ୍ରମଣ ଉଦ୍ୟମ କରିଥିବା କହି ଶ୍ରୀ ପୁରୋହିତ କାନ୍ଦିଛନ୍ତି ।
ସେ କହିଛନ୍ତି ଯେ ଗତକାଲି ଏକ ଗ୍ରାମରେ କର୍ମୀ ସମ୍ମିଳନୀ ବେଳେ ଆକ୍ରମଣ ଉଦ୍ୟମ ହୋଇଥିଲେ । ବିଜେଡି ଗୁଣ୍ଡା ପହଞ୍ଚି ମାଇକ ଭାଙ୍ଗି, ଟେଣ୍ଟ ଚିରି ମାରପିଟ କରିଥିଲେ । କର୍ମୀ ସମ୍ମିଳନୀରେ ଉପସ୍ଥିତ ୨ରୁ ୩ ଜଣ ବିଜେପି କର୍ମୀଙ୍କୁ ସେମାନେ ପିଟିଲେ । ମୋତେ ଆକ୍ରମଣ କରିବାକୁ ୮/୧୦ ଜଣ ଉଦ୍ୟମ କରିଥିଲେ । ଗାଁ ଲୋକ ପ୍ରତିରୋଧ କରିବାରୁ ମୁଁ ବର୍ତ୍ତିଗଲି ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ ମୋତେ ମାରିବାକୁ ବିଜେଡି ପୁରସ୍କାର ଘୋଷଣା କରିଛି । ମୋତେ ଯିଏ ମାଡ଼ ମାରିବ ତାକୁ ଲକ୍ଷେ ଟଙ୍କା ଦେବାକୁ ବିଜେଡି ଘୋଷଣା କରିଛି । ଅନ୍ୟପଟେ ପଦ୍ମପୁରକୁ ନବ ଦାସ, ଟୁକୁନି ସାହୁ ଓ ନିରଞ୍ଜନ ପୂଜାରୀ କାହିଁକି ଆସିଛନ୍ତି ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି ।
ଅନ୍ୟପକ୍ଷରେ ଷ୍ଟାର କ୍ୟାମ୍ପେନରଙ୍କ ପ୍ରଚାରରେ ଦୁଲୁକୁଛି ପଦମପୁର । ମଇଦାନରେ ହେଭିଓ୍ବେଟଙ୍କ ରଣହୁଙ୍କାର । ଘର ଘର ବୁଲି ଲୋକଙ୍କ ଭରସା ଜିତିବାକୁ ୩ ରାଜନୈତିକ ଦଳଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ସପକ୍ଷରେ ପଦମପୁର ସମର୍ଥନ ଅଧିକ ଥିବା ଦେଖିବାକୁ ମିଳିଛି ।
ଗାଁ ଗାଁରେ ବର୍ଷାଙ୍କ ସମର୍ଥନରେ ବାହାରୁଛନ୍ତି ମାଆ ମାଉସୀ । ସଭାସ୍ଥଳୀକୁ ଆସି ଆଶୀର୍ବାଦ ଢାଳୁଛନ୍ତି ଲୋକମାନେ । ମହିଳାଙ୍କ ପାଇଁ ରାଜ୍ୟ ସରକାରଙ୍କ ଅନେକ ଯୋଜନା ରହିଛି। ଏସଏଚଜି ମାଧ୍ୟମରେ ଆତ୍ମନିର୍ଭରଶୀଳ ହେଉଛନ୍ତି ମାଆମାନେ। ସ୍ବାସ୍ଥ୍ୟରୁ ଶିକ୍ଷା ସବୁ କ୍ଷେତ୍ରରେ ସୁବିଧା ମିଳୁଛି । ଘରକୁ ଘର ବୁଲି ମହିଳାଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଲୋକଙ୍କୁ ବୁଝାଉଛନ୍ତି ବିଜେଡି କର୍ମୀ ଓ ନେତା। ସେହିପରି କଂଗ୍ରେସ ଓ ବିଜେପି ମଧ୍ୟ ସଭା ମାଧ୍ୟମରେ ଲୋକଙ୍କ ନିକଟରେ ପ୍ରତିଶ୍ରୁତି ରଖୁଛନ୍ତି । ଘର ଘର ବୁଲି ଭୋଟଙ୍କ ନିକଟରେ ପହଞ୍ଚୁଛନ୍ତି ପ୍ରାର୍ଥୀ ।
Comments ସମସ୍ତ ମତାମତ