Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ

    Share on :
    ajab-Image
    Date: Oct 10, 2026    Views: 2360

    କଟକ: ଗତ ତିନିଦିନ ଧରି କଟକ ବକ୍ସିବଜାରସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ଚାଲିଥିବା ୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସମାରୋହରେ ରାଜ୍ୟ ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ବର୍ଣ୍ଣାଢ୍ୟ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିବା ସହ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।

    ନିଜ ଭାଷଣରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ଯେ, ଏଭଳି ବୃତ୍ତିଗତ ପ୍ରତିଯୋଗିତା ପୋଲିସ କର୍ମଚାରୀଙ୍କ ଆତ୍ମବିଶ୍ୱାସ ବଢ଼ାଇବା ସହିତ ସେମାନଙ୍କ ଦକ୍ଷତାକୁ ଶାଣିତ ଏବଂ ଭଲ କାମ କରିବାକୁ ପ୍ରେରଣା ପ୍ରଦାନ କରିଥାଏ । ପରିଶ୍ରମର ମାନ୍ୟତା ମିଳିଲେ କର୍ମଚାରୀମାନେ ଦ୍ୱିଗୁଣିତ ଉତ୍ସାହରେ କାର୍ଯ୍ୟ କରନ୍ତି। ପରିବାରଠାରୁ ଦୂରରେ ରହି ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଥିବା ପୋଲିସ କର୍ମଚାରୀଙ୍କ ସେବା, ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠା ସର୍ବଦା ପ୍ରଶଂସନୀୟ ବୋଲି ସେ ଉଲ୍ଲେଖ କରିଥିଲେ।

    ଏହାସହ ବୃତ୍ତିଗତ ପ୍ରତିଯୋଗିତା ପୋଲିସ କର୍ମଚାରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ସେମାନଙ୍କ ଦକ୍ଷତାର ବିକାଶ ଓ କାର୍ଯ୍ୟକୁଶଳତା ବୃଦ୍ଧିରେ ସହାୟକ ହୋଇଥାଏ ବୋଲି ମତ ପ୍ରକାଶ କରିଥିଲେ। କର୍ମଚାରୀଙ୍କ ନିଷ୍ଠା ଓ ପରିଶ୍ରମର  ସ୍ୱୀକୃତି ସ୍ୱରୂପ ସେମାନଙ୍କୁ ଅଧିକ ଉତ୍ସାହ ଓ ସମର୍ପଣ ମନୋଭାବର ସହ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇଥାଏ ବୋଲି ସେ କହିଥିଲେ। 

    ସମାଜ ପରିବର୍ତ୍ତନ ସହ ଅପରାଧର ସ୍ୱରୂପ ଓ କାର୍ଯ୍ୟପଦ୍ଧତି ମଧ୍ୟ ବଦଳୁଛି। ସାଇବର ଅପରାଧ, ଆର୍ଥିକ ଠକେଇ, ସଂଗଠିତ ଅପରାଧ ଓ ନିଶାଦ୍ରବ୍ୟ ଚୋରା କାରବାର ଭଳି ଆହ୍ୱାନର ମୁକାବିଲା ପାଇଁ ପୋଲିସକୁ ଅତ୍ୟାଧୁନିକ ପ୍ରଯୁକ୍ତି, ବୃତ୍ତିଗତ ଦକ୍ଷତା ଓ ଦୃଢ଼ ମନୋବଳ ସହ କାର୍ଯ୍ୟ କରିବାକୁ ହେବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ। ଏ କ୍ଷେତ୍ରରେ ଓଡ଼ିଶା ପୋଲିସ, କ୍ରାଇମବ୍ରାଞ୍ଚର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।  ଏଥିସହ ଏକ ନିଶାମୁକ୍ତ, ଅପରାଧମୁକ୍ତ ଓ ସୁରକ୍ଷିତ ଓଡ଼ିଶା ଗଠନ ଦିଗରେ ସମସ୍ତଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ।

    ଏହି ଅବସରରେ ମନ୍ତ୍ରୀ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରଶଂସା କରିଥିଲେ। ଏଥିସହ ଆଗାମୀ ଦିନରେ ଅଧିକ ନିଷ୍ଠା ଓ ଉତ୍କର୍ଷତାର ସହ କାର୍ଯ୍ୟ କରିବାକୁ ସେ ସମସ୍ତଙ୍କୁ ପ୍ରେରଣା ଦେଇଥିଲେ।

    ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର କହିଥିଲେ ଯେ, ପୁଲିସ ବୃତ୍ତିଗତ ପ୍ରତିଯୋଗିତା କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି, ଏବଂ ତଦନ୍ତର ମାନ ବୃଦ୍ଧି ପାଇଁ ଏକ ଉତ୍ତମ ମଞ୍ଚ। ବୈଜ୍ଞାନିକ ତଦନ୍ତ, ଫରେନ୍‌ସିକ୍ ବିଜ୍ଞାନ ଓ ଆଧୁନିକ ବୈଷୟିକ ଜ୍ଞାନର ପ୍ରୟୋଗ ଦ୍ୱାରା ଅପରାଧୀଙ୍କୁ ଚିହ୍ନଟ କରିବା ସହ ଅପରାଧିକ ମାମଲାରେ ଦୋଷୀସାବ୍ୟସ୍ତ ହାର ବୃଦ୍ଧି କରାଯାଇପାରିବ ବୋଲି ସେ ମତପ୍ରକାଶ କରିଥିଲେ।

    ଚଳିତ ବର୍ଷ ବିଭିନ୍ନ ଜିଲ୍ଲା ଓ ପୁଲିସ ପ୍ରତିଷ୍ଠାନରୁ କନଷ୍ଟେବଳଠାରୁ ଇନ୍ସପେକ୍ଟର ପାହ୍ୟା ପର୍ଯ୍ୟନ୍ତ ୩୧୯ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଫରେନ୍‌ସିକ୍ ବିଜ୍ଞାନ, ଫରେନ୍‌ସିକ୍ ମେଡିସିନ୍ ଓ ଟକ୍ସିକୋଲୋଜି, ଫିଙ୍ଗରପ୍ରିଣ୍ଟ, ଫଟୋଗ୍ରାଫି, କମ୍ପ୍ୟୁଟର ସଚେତନତା, ସାଇବର ଅପରାଧ ଓ ବୈଷୟିକ ନିରୀକ୍ଷଣ, ଅପରାଧିକ ଆଇନ ଓ ପ୍ରକ୍ରିୟା, ଘଟଣାସ୍ଥଳ ନିରୀକ୍ଷଣ ଏବଂ ପ୍ରମାଣ ସଂଗ୍ରହ, ପ୍ୟାକିଂ ଓ ପ୍ରେରଣ ଭଳି ବିଭିନ୍ନ ବିଷୟରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରତିଯୋଗୀମାନଙ୍କୁ ନେଇ ଓଡ଼ିଶା ପୁଲିସର ଏକ ଦଳ ସର୍ବଭାରତୀୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବ।

    ଡିଜିପି ଆହୁରି କହିଥିଲେ ଯେ, ସାଇବର ଅପରାଧ, ନିଶାଦ୍ରବ୍ୟ ଚୋରାଚାଲାଣ, ସଂଗଠିତ ଅପରାଧ ଓ ଅନ୍ୟାନ୍ୟ ଜଟିଳ ଅପରାଧର ମୁକାବିଲା ପାଇଁ ପୁଲିସକୁ ଆଧୁନିକ ଜ୍ଞାନକୌଶଳ ଓ ବୈଜ୍ଞାନିକ ତଦନ୍ତ ପଦ୍ଧତିରେ ଅଧିକ ଦକ୍ଷ ହେବାକୁ ପଡ଼ିବ। ଘଟଣାସ୍ଥଳରୁ ସଠିକ୍ ପ୍ରମାଣ ସଂଗ୍ରହ ଓ ତାହାର ବୈଜ୍ଞାନିକ ବିଶ୍ଳେଷଣ ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିଥାଏ। ମହିଳା ଓ ଶିଶୁଙ୍କ ସମ୍ପର୍କିତ ସମ୍ବେଦନଶୀଳ ମାମଲା, ବିଶେଷକରି ପୋକ୍ସୋ ମାମଲାରେ ଉନ୍ନତ ତଦନ୍ତ ପଦ୍ଧତି ଓ ପେଶାଗତ ଦକ୍ଷତାର ଗୁରୁତ୍ୱ ରହିଛି।

    ତଦନ୍ତର ଗୁଣବତ୍ତା ବୃଦ୍ଧି ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରଶିକ୍ଷଣ ଶିବିର ଏବଂ କର୍ମଶାଳା ଆୟୋଜନ କରାଯାଇଛି। ଆଗାମୀ ଦିନରେ ନୂତନ ପ୍ରଶିକ୍ଷଣ ମଡ୍ୟୁଲ୍ ପ୍ରସ୍ତୁତ କରି ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ ବୋଲି ଡିଜିପି ସୂଚନା ଦେଇଥିଲେ। ଏହାଦ୍ୱାରା ପୁଲିସର ତଦନ୍ତ ଦକ୍ଷତା ବୃଦ୍ଧି ପାଇବା ସହ ଜନସାଧାରଣଙ୍କ ଆସ୍ଥା ଅଧିକ ସୁଦୃଢ଼ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

    ଏହି କାର୍ଯ୍ୟକ୍ରମର ଶେଷର ଆଇଜିପି (କ୍ରାଇମବ୍ରାଞ୍ଚ) ଡ଼. ସାର୍ଥକ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ବୃତ୍ତିଗତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ। ଏହି ଉଦ୍‌ଯାପନୀ ଉତ୍ସବରେ ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ ଅବସରପ୍ରାପ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook