Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କଟକରେ ୯୧ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

    Share on :
    ajab-Image
    Date: Apr 1, 2026    Views: 2964

    କଟକ: ଓଡ଼ିଶା ପୋଲିସର ମୂଳ ମନ୍ତ୍ର ହେଉଛି “ସେବା ଓ ସୁରକ୍ଷା”। ଏହା କେବଳ ଏକ ଶବ୍ଦ ନୁହେଁ, ଏହା ଆମର ପରିଚୟ। ଆଗାମୀ ଦିନରେ ଓଡ଼ିଶାକୁ ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ନିଶାମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ଓଡ଼ିଶା ପୋଲିସ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛି ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି।

    ଆଜି ପୂର୍ବାହ୍ନରେ କଟକର ବକ୍ସିବଜାରସ୍ଥିତ ରିଜର୍ଭ ପୋଲିସ ପଡିଆରେ ଆୟୋଜିତ ଓଡ଼ିଶା ପୋଲିସର ୯୧ତମ ପ୍ରତିଷ୍ଠା ଦିବସ ଅବସରରେ ଡିଜିପି ଶ୍ରୀ ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହାସହ ପୋଲିସ ସେବାରେ ଉଲ୍ଲେଖନୀୟ କୃତିତ୍ୱ ପ୍ରଦର୍ଶନ କରିଥିବା ଅଧିକାରୀ ଓ କର୍ମଚାରୀଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ସେ ପ୍ରଥମେ ସହିଦ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ ପରିବାରଙ୍କୁ ସମବେଦନା ଜଣାଇଥିଲେ।

    ୧ ଏପ୍ରିଲ ୧୯୩୬ ମସିହାରେ ନୂତନ ଓଡ଼ିଶା ପ୍ରଦେଶ ଗଠନ ସହ ଓଡ଼ିଶା ପୋଲିସର ସ୍ଥାପନା ହୋଇଥିଲା। ଗତ ୯୧ ବର୍ଷର ଏହି ଯାତ୍ରା ସଂଘର୍ଷ, ସମର୍ପଣ ଓ ସଫଳତାର ଏକ ଗୌରବମୟ ଅଧ୍ୟାୟ ବୋଲି ଡିଜିପି ଉଲ୍ଲେଖ କରିଥିଲେ।

    ଏହି ଅବସରରେ ଡିଜିପି ମାଓବାଦୀ ଦମନ କ୍ଷେତ୍ରରେ ଓଡ଼ିଶା ପୋଲିସର ସଫଳତା ସମ୍ପର୍କରେ  ଉଲ୍ଲେଖ କରିଥିଲେ।  ସେ କହିଥିଲେ ଯେ, ଅନେକ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ନିପାତ କରାଯାଇଥିବା ସହ ବହୁ ସଂଖ୍ୟକ ମାଓବାଦୀ ମୁଖ୍ୟ ସ୍ରୋତରେ ଫେରିଛନ୍ତି। ୨୦୨୫ ରୁ ଏଯାବତ ଓଡ଼ିଶା ପୋଲିସ ୨୭ ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ନିପାତ କରାଯାଇଛି। ଏହାସହ ୭୨ ଜଣ ମାଓବାଦୀ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ସରକାରଙ୍କ ‘ଆତ୍ମସମର୍ପଣ ଓ ପୁନର୍ବାସ ଯୋଜନା’ ଏଥିରେ ମୁଖ୍ୟ ଭୂମିକା ନେଇଛି ବୋଲି ସେ ମତବ୍ୟକ୍ତ କରିଥିଲେ। 

    ସାଇବର ଅପରାଧକୁ ଆଜିର ଯୁଗର ଏକ ଗୁରୁତର ଚ୍ୟାଲେଞ୍ଜ ଭାବେ ଉଲ୍ଲେଖ କରି ସେ କହିଥିଲେ ଯେ, ଓଡ଼ିଶା ପୋଲିସ AI ଓ ଡାଟା ଆନାଲିଟିକ୍ସ ପରି ଆଧୁନିକ ପ୍ରଯୁକ୍ତିର ସହାୟତାରେ ସଫଳତାର ସହିତ ଏହାର ମୁକାବିଲା କରୁଛି। ‘ଅପରେସନ ସାଇବର କବଚ’ ମାଧ୍ୟମରେ ୩୯,୭୧୪ଟି  ସନ୍ଦେହଜନକ ବ୍ୟାଙ୍କ  ଆକାଉଣ୍ଟ ଯାଞ୍ଚ କରାଯାଇ ୧୪୨୨ ଟି ନୂତନ ମାମଲା ରୁଜୁ ହୋଇଛି ଏବଂ ୩୭୯ ଜଣ ଅଭିଯୁକ୍ତଙ୍କୁ ଗିରଫ   କରାଯାଇଛି ବୋଲି ସେ କହିଥିଲେ।

    ନିଶାମୁକ୍ତ ଓଡ଼ିଶା ଗଠନ ଦିଗରେ ଓଡ଼ିଶା ପୋଲିସ ଐତିହାସିକ ସଫଳତା ହାସଲ କରିଛି। ପ୍ରାୟ ୩୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ, ବ୍ରାଉନସୁଗାର ଓ ଗଞ୍ଜେଇ ତେଲ ଜବତ କରାଯିବା ସହ ୪୮,୧୬୦ ଏକର ଜମିରେ ବେଆଇନ ଚାଷକୁ ଧ୍ଵଂସ କରାଯାଇଛି। ଏହି ପ୍ରକ୍ରିୟାରେ ୬୫୪ ଜଣ ଆନ୍ତଃରାଜ୍ୟ ନିଶା ବେପାରୀଙ୍କୁ ଗିରଫ କରାଯାଇଥିବା ବେଳେ ନିଶା ମାଫିଆଙ୍କ ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରାଯାଇଛି। ଆଗାମୀ ତିନି ବର୍ଷରେ ଓଡ଼ିଶାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ପୋଲିସ ସଂକଳ୍ପବଦ୍ଧ ବୋଲି ଡିଜିପି ଶ୍ରୀ ଖୁରାନିଆ କହିଥିଲେ।

    ପୋଲିସ ବାହିନୀକୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ନୂତନ ପଦବୀ ସୃଷ୍ଟି, ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ବିଭିନ୍ନ ବାଟାଲିୟନ ଓ ୟୁନିଟ୍‌ ଗଠନ କରୁଛନ୍ତି।

    ଏହି ଅବସରରେ ଡିଜିପି ନୂତନ ଭାରତୀୟ ନ୍ୟାୟ ସଂହିତା (BNS) ଲାଗୁ ହେବା ପରେ ଓଡ଼ିଶା ପୋଲିସର ତଦନ୍ତ ପ୍ରକ୍ରିୟା ଓ ବୃତ୍ତିଗତ ଦକ୍ଷତାରେ ଆସିଥିବା ଲକ୍ଷଣୀୟ ପରିବର୍ତ୍ତନ ସମ୍ପର୍କରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ଅଧିକାରୀମାନଙ୍କ ଉଚ୍ଚକୋଟିର ତଦନ୍ତ ଫଳରେ କମ୍ ସମୟ ମଧ୍ୟରେ ଅପରାଧୀମାନଙ୍କୁ ଦଣ୍ଡବିଧାନ କରାଯାଇପାରୁଛି। ମୟୂରଭଞ୍ଜର ମୋରଡ଼ା ଥାନାରେ ମାତ୍ର ୧୯ ଦିନରେ, ଭୁବନେଶ୍ୱରର ଚନ୍ଦକା ଥାନାରେ ୩୭ ଦିନରେ, ଜାମଦାରେ ୩୯ ଦିନରେ ଓ ଆଳି ଥାନାରେ ୪୦ ଦିନ ମଧ୍ୟରେ ତଦନ୍ତ ଓ ବିଚାର ପ୍ରକ୍ରିୟା ସମାପ୍ତ ହୋଇ ଅଭିଯୁକ୍ତମାନଙ୍କୁ ଦଣ୍ଡ ମିଳିଥିବା ଏହାର ଉଜ୍ଜ୍ୱଳ ଦୃଷ୍ଟାନ୍ତ ବୋଲି ସେ କହିଥିଲେ। ଏହି ସଫଳତା ଦ୍ୱାରା ପୀଡ଼ିତମାନଙ୍କୁ ଶୀଘ୍ର ନ୍ୟାୟ ଦେବାରେ ଓଡ଼ିଶା ପୋଲିସ ଦେଶରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ। 

    ପୋଲିସ ବାହିନୀର କ୍ରୀଡ଼ା କ୍ଷେତ୍ରରେ ସଫଳତାକୁ ଉଲ୍ଲେଖ କରି ସେ କହିଥିଲେ ଯେ, ବିଗତ ଏବଂ ଚଳିତ ବର୍ଷରେ ଓଡ଼ିଶା ପୋଲିସର କ୍ରୀଡ଼ାବିତମାନେ ସର୍ବଭାରତୀୟ ସ୍ତରରେ ରାଜ୍ୟର ଗୌରବ ବଢ଼ାଇଛନ୍ତି। ସେ କହିଥିଲେ ଯେ, କିଛି ଦିନ ପୂର୍ବରୁ ଆୟୋଜିତ ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତାରେ ଓଡ଼ିଶା ପୋଲିସର କ୍ରୀଡ଼ାବିତମାନେ ଉତ୍କର୍ଷତା ପ୍ରଦର୍ଶନ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ସହ ସର୍ବଭାରତୀୟ ପୋଲିସ ଓ ସିନିୟର ନ୍ୟାସନାଲ ଚାମ୍ପିୟନସିପ୍‌ରେ ଆମ ଆଥଲେଟ୍‌ମାନେ ଅନେକ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ଜିତି ଓଡ଼ିଶା ପୋଲିସକୁ ଗୌରବାନ୍ଵିତ କରିଛନ୍ତି। ଏହାସହ ରୋଇଂରେ ସ୍ୱର୍ଣ୍ଣ ପଦକ ବିଜୟ ଏବଂ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିୟନସିପ୍‌ରେ ୭ ଜଣ ଆଥଲେଟ୍‌ଙ୍କ ଦ୍ୱାରା ୧୧ଟି ନୂତନ ‘ମିଟ୍ ରେକର୍ଡ’ ସୃଷ୍ଟି ହେବା ଓଡ଼ିଶା ପୋଲିସର କ୍ରୀଡ଼ା ଦକ୍ଷତାରେ ଏକ ନୂତନ ମାଇଲସ୍ଥମ୍ଭ ସ୍ଥାପନ କରିଛି ବୋଲି ଡିଜିପି ଉଲ୍ଲେଖ କରିଥିଲେ।

    ଏହି ଅବସରରେ ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତାକୁ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ପ୍ରତୀକ ମହାନ୍ତି ପାଠ କରିଥିଲେ।

    ଏହା ପରେ ମୁଖ୍ୟ ଅତିଥି ଉଲ୍ଲେଖନୀୟ ପୋଲିସ ସେବା ପାଇଁ ପୋଲିସ ଅଧିକାରୀଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ| ଏହି ଅବସରରେ ଶ୍ରେଷ୍ଠ ଇନିସ୍ପେକ୍ଟର ବିଜୟ କିଶୋର ଦାସ, ଶ୍ରେଷ୍ଠ ଇନ୍ସପେକ୍ଟର (ଅପରାଧ ଶାଖା) ରୂପଶ୍ରୀ ପ୍ରହରାଜ, ଶ୍ରେଷ୍ଠ ଇନିସ୍ପେକ୍ଟର (ସ୍ପେଶାଲ ବ୍ରାଞ୍ଚ) ଶ୍ରୀଧର ମାଝୀ, ଶ୍ରେଷ୍ଠ ସବ-ଇନିସ୍ପେକ୍ଟର ମାନସ ରଞ୍ଜନ ପଣ୍ଡା, ଏସ.ଓ.ଜି ର ଶ୍ରେଷ୍ଠ ଟିମ ଲିଡର ଏସ.ଆଇ (ସଶସ୍ତ୍ର) ସଂକର୍ଷଣ ହାଁସଦା , ଶ୍ରେଷ୍ଠ ଏ.ଏସ.ଆଇ ବିଜୟ କୁମାର ସୁନାଶଗଡ, ଶ୍ରେଷ୍ଠ ହାବିଲଦାର ରମାକାନ୍ତ ସେଠୀ , ଶ୍ରେଷ୍ଠ ଓ.ଆର କନେଷ୍ଟବଳ ଗୌରୀ ଶଙ୍କର ସାହୁ, ଶ୍ରେଷ୍ଠ ଏ.ପି.ଆର କନେଷ୍ଟବଳ ସୁଦାମ ଚନ୍ଦ୍ର ବଳିଆରସିଂ , ଶ୍ରେଷ୍ଠ ଟ୍ରାଫିକ କନେଷ୍ଟବଳ ରଶ୍ମୀତା ପଧାନ, ଶ୍ରେଷ୍ଠ ଇନିସ୍ପେକ୍ଟର (ସଶସ୍ତ୍ର) ଅଶୋକ କୁମାର ବେହେରା, ଶ୍ରେଷ୍ଠ ଏସ.ଆଇ (ସଶସ୍ତ୍ର) ଏସ. ସତ୍ୟନାରାୟଣ ରାଓ, ଶ୍ରେଷ୍ଠ ହାବିଲଦାର ମେଜର (ବ୍ୟାଣ୍ଡ) ହରିହର ବେହେରା, ଶ୍ରେଷ୍ଠ ହାବିଲଦାର (ସଶସ୍ତ୍ର) ଷଣ୍ଡେଶ୍ଵର ଭୋଇନା, ଶ୍ରେଷ୍ଠ କନେଷ୍ଟବଳ ଭାବେ ସୁନିଲ କୁମାର ମୁର୍ମୁଙ୍କୁ ପୁରସ୍କୃତ କରଯାଇଥିଲା ।

    ଏହା  ସହ ସ୍ୱର୍ଗତଃ ଭ୍ରମରବର ସାହୁ ଓ ସ୍ୱର୍ଗତଃ ରାଜେନ୍ଦ୍ର ମୋହନ ପଟ୍ଟନାୟକ ସ୍ମାରକୀ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା| କନେଷ୍ଟବଳ ଅଶୋକ କୁମାର ଦେଓ, ସବ-ଇନ୍ସପେକ୍ଟର ଅଶୋକ କୁମାର ବେହେରା, ଇନିସ୍ପେକ୍ଟର (ସଶସ୍ତ୍ର) ଅମରେଶ ଚନ୍ଦ୍ର ନରେନ୍ଦ୍ର, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଆଶିଷ କୁମାର ସରକାରଙ୍କୁ ସ୍ୱର୍ଗତଃ ଭ୍ରମରବର ସାହୁ ସ୍ମାରକୀ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ଓଏପିଏଫ ପଦିଆ କବାସୀ, କମାଣ୍ଡୋ ଅନିଲ ଭୋଇଙ୍କୁ  ସ୍ୱର୍ଗତଃ ରାଜେନ୍ଦ୍ର ମୋହନ ପଟ୍ଟନାୟକ ସ୍ମାରକୀ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା ।  ଏହାସହ ଆଦ୍ୟାଶା ପ୍ରଧାନ, ଡାକ୍ତରୀ ଛାତ୍ରୀଙ୍କୁ ସ୍ଵର୍ଗତ ପ୍ରେମା ଅମରନାଥ ସ୍ମାରକୀ ମେଧାବୃତ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା।

    ସେହିପରି ଓଏସଏପି ଷଷ୍ଠ ବାଟାଲିୟନ, କଟକକୁ ଶ୍ରେଷ୍ଠ ବାଟାଲିୟନ ଭାବେ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ପରିବାର କଲ୍ୟାଣ କେନ୍ଦ୍ର ଭାବେ ଦ୍ୱିତୀୟ ସ୍ୱତନ୍ତ୍ର ସଶସ୍ତ୍ର ବାଟାଲିୟନ, ପରିବାର କଲ୍ୟାଣ କେନ୍ଦ୍ର , ଝାରସୁଗୁଡା (ପ୍ରଥମ), ତୁଳସୀପୁର ପରିବାର କଲ୍ୟାଣ କେନ୍ଦ୍ର, କଟକ (ଦ୍ୱିତୀୟ), ପରିବାର କଲ୍ୟାଣ କେନ୍ଦ୍ର, ସୁନ୍ଦରଗଡ (ତୃତୀୟ)ଙ୍କୁ ପୁରସ୍କୃତ କରାଯାଇଥିଲ।। ଆଜିର ଆନୁଷ୍ଠାନିକ ପ୍ୟାରେଡରେ I. R. Battalion ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ OISF ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରି ଡିଜିପି ଶ୍ରୀ  ଖୁରାନିଆଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ।  

    ଆଜିର ଏହି ଆନୁଷ୍ଠାନିକ ପ୍ୟାରେଡରେ SOG, OSAP, IRB , UPD Cuttack (APR Women), UPD Cuttack (APR Men)/ Traffic Constable, O.D.R.A.F, SSBn, O.I.S.F, O.S.A.F ଓ Fire Service ଙ୍କୁ ନେଇ ସର୍ବମୋଟ ଏଗାର (୧୧)ଟି ଦଳ ଅଂଶ ଗ୍ରହଣ କରିଥିଲେ | ପ୍ୟାରେଡର ମୁଖ୍ୟ କମାଣ୍ତର ଶ୍ରୀ କେ ଶ୍ରୀନିବାସୁଲୁ, ଆଇ.ପି.ଏସ୍ (ଅଣ୍ଡର ଟ୍ରେନିଂ)ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ୟାରେଡ ଅନୁଷ୍ଠିତ ହୋଇଥିଲ।। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ପ୍ରତୀକ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରାଯାଇଥିଲ।।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook