ମୁଖ୍ୟ ଖବର
ଭୁବନେଶ୍ୱର: ହୋଲି ପାଳନ ବେଳେ ଆଇନଶୃଙ୍ଖଳା ବିଗିଡି଼ବାର ଆଶଙ୍କା ରହିଛି । ସାଙ୍ଗସାଥୀଙ୍କ ସହ ଭୋଜିଭାତ ଓ ସେଲିବ୍ରେସନରୁ ଗଣ୍ଡଗୋଳ, ଗୋଷ୍ଠୀ ସଂଘର୍ଷର ନଜିର୍ ରହିଛି । ଏକ ଆନନ୍ଦ ଓ ଉହ୍ଲାସର ପର୍ବରେ ଯେକୌଣସି ଅଘଟଣକୁ ଏଡ଼ାଇବା ପାଇଁ ରାଜଧାନୀରେ ପୁଲିସ ସୁରକ୍ଷାକୁ କଡ଼ାକଡ଼ି କରିବ । ପ୍ରାୟ ୩୧ ପ୍ଲାଟୁନ୍ ପୁଲିସ ଫୋର୍ସ ସହରକୁ ଜଗିବେ । ପ୍ରତିଟି ସମ୍ବେଦନଶୀଳ ଜାଗାରେ ପୁଲିସ ମୁତୟନ ହେବ । କେହି ଅମାନିଆ ଆଇନକୁ ହାତକୁ ନେଲେ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ୪ଜଣ ଅତିରିକ୍ତ ଡିସିପି, ୮ଜଣ ଏସିପି, ୨୬ଜଣ ଇନ୍ସପେକ୍ଟର, ୧୪୫ଜଣ ଏସ୍ଆଇ/ଏଏସ୍ଆଇ ସୁରକ୍ଷା ତଦାରଖ କରିବେ ।ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପିସିଆର ଭ୍ୟାନ୍ ପାଟ୍ରୋଲିଂ କରିବ । ୮୫ଟି ପଏଣ୍ଟରେ ମଦ୍ୟପ ଚାଳକଙ୍କୁ ପୁଲିସ ଜଗିବ । ବ୍ରେଥ୍ ଆନାଲାଇଜର ଯୋଗେ ସେମାନଙ୍କୁ ଚେକିଂ କରାଯିବ । କୌଣସି ପ୍ରାକ୍ ଦୁର୍ଘଟଣାକୁ ଏଡ଼ାଇବା ଲାଗି ବିଭିନ୍ନ ଜଳାଶୟ ଏବଂ ନଦୀଗୁଡ଼ିକରେ ପୁଲିସ ମୁତୟନ କରାଯିବ । ବିଭିନ୍ନ ଘାଟରେ ଓଡ୍ରାଫ ଟିମ ଓ ଅଗ୍ନିଶମ ବାହିନୀଙ୍କୁ ମଧ୍ୟ ମୁତୟନ କରାଯିବ । ସହରର ବିଭିନ୍ନ ହୋଟେଲରେ ଯାଞ୍ଚ କରାଯାଇ ଅପରାଧୀ ମାନଙ୍କ ଉପରେ ତୀକ୍ଷଣ ନଜର ରଖାଯିବ । ବେଆଇନ ଭାବେ ମଦ ତଥା ନିଶା ଦ୍ରବ୍ୟ ବିକ୍ରିରେ ରୋକ୍ ଲାଗିବ ।ପୁଲିସ ପରାମର୍ଶ ଦେଇଛି ଯେ ଗାଧୋଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ । ବିଭିନ୍ନ ନଈରେ ଅଗ୍ନିଶମ ଟିମ୍ ମୁତୟନ ଥିବା ସ୍ଥାନରେ ହିଁ ଗାଧାନ୍ତୁ । ମଦ ପିଇ ଜଳାଶୟ କିମ୍ୱା ନଦୀ ଭିତରକୁ ପଶନ୍ତୁନି । ମଦ୍ୟପାନ କରି ଗାଡି଼ ଚଳାଇବାରୁ ନିବୃତ୍ତ ରୁହନ୍ତୁ । ପରିବେଶ ପ୍ରଦୂଷଣ ରୋକିବାକୁ ହର୍ବାଲ ରଙ୍ଗରେ ହୋଲି ଖେଳନ୍ତୁ । ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ସାଜୁଥିବା ରାସାୟନିକ ରଙ୍ଗ ବ୍ୟବହାର କରନ୍ତୁନି ।
କୂଆଖାଈ ନଦୀର ଦୁଇ ପାର୍ଶ୍ବରେ ୩ଟି ଅଗ୍ନିଶମ ଟିମ୍ ସହ ଲିଙ୍ଗିପୁର ବ୍ରିଜ୍ର ଦୟା ନଦୀ ଓ ପୁରୀ କେନାଲରେ ଗୋଟିଏ ଲେଖାଏଁ ଟିମ୍ ଜଗିବେ । ପ୍ରତି ଟିମ୍ରେ ୮ ଜଣ ଲେଖାଏଁ ଆଗ୍ନିକ ମୁତୟନ ହେବେ । ଟିମ୍ ପାଖରେ ଲାଇଫ୍ ବଏ, ଲାଇଫ୍ ଜ୍ୟାକେଟ୍, ରେସ୍କ୍ୟୁ ରୋପ୍, ମେସିନ୍ ବୋଟ୍ ମହଜୁଦ ରହିବ । ଦୁର୍ଘଟଣାଜନିତ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରତି ଦମକଳ କେନ୍ଦ୍ରରେ ୨ଟି ଲେଖାଏଁ ସଜାଗ ରହିବେ।
Comments ସମସ୍ତ ମତାମତ