ମୁଖ୍ୟ ଖବର
ନୂଆଦିଲ୍ଲୀ : ପିଏମ୍ କେୟାର୍ସ (ପ୍ରାଇମ ମିନିଷ୍ଟର୍ସ ସିଟିଜେନ ଆସିଷ୍ଟାନ୍ସ ଆଣ୍ଡ ରିଲିଫ ଇନ୍ ଏମର୍ଜେନ୍ସି ସିଚୁଏସନ) ପାଣ୍ଠିକୁ ଘରୋଇ ଦାନ ୨୦୨୪-୨୫ରେ ୩୦ ପ୍ରତିଶତ ହ୍ରାସ ପାଇ ୪୭୯ କୋଟି ଟଙ୍କା ରହିଛି । ବିଦେଶୀ ଦାନ ମଧ୍ୟ ୧୮ ପ୍ରତିଶତ କମି ୯୨.୮ ଲକ୍ଷ ହୋଇଛି । ପିଏମ୍ କେୟାର୍ସ ପାଣ୍ଠିର ସଦ୍ୟତମ ଅଡିଟ୍ ରିପୋର୍ଟ ଅନୁସାରେ ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ଏହି ପାଣ୍ଠିରେ ମୋଟ ୮,୪୫୨ କୋଟି ଟଙ୍କା ଜମା ରହିଛି । ବର୍ଷକ ପୂର୍ବରୁ ଅର୍ଥାତ ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ଜମା ରାଶି ପରିମାଣ ୭,୧୭୩ କୋଟି ଟଙ୍କା ଥିଲା । ପାଣ୍ଠିରେ ଥିବା ମୋଟ ଅର୍ଥରାଶି ମଧ୍ୟରୁ ୭,୮୪୬ କୋଟି ୬୫ ଲକ୍ଷ ଟଙ୍କା ଅର୍ଥାତ ୯୩ ପ୍ରତିଶତ ସ୍ଥାୟୀ ଜମା ଆକାରରେ ରଖାଯାଇଥିଲା ବେଳେ ୬୦୫ କୋଟି ୪୧ ଲକ୍ଷ ଟଙ୍କା ସଞ୍ଚୟ ଖାତାରେ ରହିଛି ।
ଦେଶରେ କୋଭିଡ-୧୯ ମହାମାରୀ ଆରମ୍ଭ ହେବା ପରେ ୨୦୨୦ ମାର୍ଚ୍ଚ ୨୭ରେ ପିଏମ୍ କେୟାର୍ସ ପାଣ୍ଠି ଗଠନ କରାଯାଇଥିଲା । ରିପୋର୍ଟ ଅନୁସାରେ ୨୦୨୦-୨୧ରେ ୭୧୮୪ କୋଟି ଟଙ୍କା ମିଳିଥିଲା ବେଳେ ୨୦୨୧-୨୨ରେ ୧୮୯୬ କୋଟି, ୨୦୨୨-୨୩ରେ ୯୦୯ କୋଟି, ୨୦୨୩- ୨୪ରେ ୬୮୧.୧ କୋଟି ଏବଂ ୨୦୨୪-୨୫ରେ ୪୭୯ କୋଟି ଟଙ୍କା ମିଳିଛି । ଏହି ସମୟରେ ୪୭୫ କୋଟି ଟଙ୍କାର ସୁଧ ମିଳିଛି । ସେଥିରୁ ସ୍ଥାୟୀ ଜମାରୁ ୪୬୯ କୋଟି ୩୭ ଲକ୍ଷ ଏବଂ ସଞ୍ଚୟ ଖାତାରୁ ୫ କୋଟି ୭୭ ଲକ୍ଷ ଟଙ୍କାର ସୁଧ ଆସିଛି । ବିଦେଶୀ ଦାନ ମଧ୍ୟ କମିଛି । ୨୦୨୦-୨୧ରେ ୪୯୫ କୋଟି ଟଙ୍କା ମିଳିଥିଲା ବେଳେ ୨୦୨୧-୨୨ରେ ହ୍ରାସ ପାଇ ୪୦ କୋଟି ଏବଂ ୨୦୨୨-୨୩ରେ ହ୍ରାସ ପାଇ ୨.୫୭ କୋଟି ଟଙ୍କା ରହିଛି । ୨୦୨୩-୨୪ରେ ୧.୧୩ କୋଟି ବିଦେଶୀ ଦାନ ମିଳିଥିଲା ବେଳେ ୨୦୨୪-୨୫ରେ ତାହା ମାତ୍ର ୯୨.୮ ଲକ୍ଷ ଟଙ୍କା ରହିଥିଲା । ୨୦୧୯-୨୦ରେ ମିଳିଥିବା ୩୯.୭ ଲକ୍ଷ ଟଙ୍କା ପରେ ଏହା ସବୁଠାରୁ କମ୍ ବିଦେଶୀ ଦାନ ପରିମାଣ । ସେହିଭଳି ଖର୍ଚ୍ଚ କଥା ଦେଖିଲେ ୨୦୨୪- ୨୫ରେ ପିଏମ୍ କେୟର୍ସ ଫର ଚିଲଡ୍ରେନ୍ ସ୍କିମରେ ୮୭.୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ପୂର୍ବବର୍ଷ ଅର୍ଥାତ ୨୦୨୩-୨୪ରେ ଏହି ସ୍କିମରେ ୧୫.୩୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ପିଏମ୍ କେୟାର୍ସ ପାଣ୍ଠିର ବ୍ୟବହାର ସମୟ ସମୟରେ ଏମର୍ଜେନ୍ସି କେୟାର ବଢ଼ାଇବା ଦିଗରେ ଖର୍ଚ୍ଚ କରାଯାଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କରିବା ଓ ଭେଣ୍ଟିଲେଟର କିଣିବା ବାବଦରେ ଖର୍ଚ୍ଚ କରାଯାଇଛି । ୨୦୨୧-୨୨ରେ ଅକ୍ସିଜେନ ପ୍ଲାଣ୍ଟ ବସାଇବା ଲାଗି ୧୭୦୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ସେହିଭଳି ଭେଣ୍ଟିଲେଟର କିଣିବା ବାବଦରେ ମଧ୍ୟ ୮୩୫ କୋଟି ଖର୍ଚ୍ଚ ହୋଇଛି ।
ତେବେ ବିଳମ୍ବରେ ତଥ୍ୟ ଦିଆଯିବା ଏବଂ ବିପୁଳ ପରିମାଣ ଅର୍ଥ ରହିଥିଲେ ମଧ୍ୟ ଖର୍ଚ୍ଚ ପରିମାଣ ଯଥେଷ୍ଟ କମ୍ ରହିବାକୁ ନେଇ ସାମାଜିକ କର୍ମୀ ଓ ଅର୍ଥନୀତି ବିଶେଷଜ୍ଞ ପିଏମ୍ କେୟାର୍ସ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି । ସାମାଜିକ କର୍ମୀ ଅଞ୍ଜଳି ଭରଦ୍ୱାଜ କହିଛନ୍ତି ଯଦି ଖର୍ଚ୍ଚ ଏତେ କମ୍ ହେଉଛି ତେବେ ଏତେବଡ ପାଣ୍ଠି କାହିଁକି ରଖାଯାଇଛି । ସେହିଭଳି ଚାର୍ଟର୍ଡ ଆକାଉଣ୍ଟାଣ୍ଟମାନେ ଅଡିଟ ସମୟ ଏବଂ ଅନ୍ଲାଇନରେ ସବିଶେଷ ତଥ୍ୟ ନ ମିଳିବା ଉପରେ ପ୍ରଶ୍ନ ଉଠାଇଛନ୍ତି । କୋଭିଡ ମହାମାରୀ ସମୟରେ ଜରୁରି ପରିସ୍ଥିତି, ବିପତ୍ତି ଓ ଜନସ୍ୱାସ୍ଥ୍ୟର ଆବଶ୍ୟକତାର ମୁକାବିଲା କରିବା ଉଦ୍ଦେଶ୍ୟରେ ପିଏମ୍ କେୟାର୍ସ ପାଣ୍ଠି ଗଠନ ହୋଇଥିଲା । ଗଠନ ପରଠାରୁ ଏହାର ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱକୁ ନେଇ ପ୍ରଶ୍ନ ଉଠିଥିଲା । ସରକାର ଯୁକ୍ତି ଦର୍ଶାଇଥିଲେ କି ପିଏମ୍ କେୟାର୍ସ ଏକ ସାର୍ବଜନୀନ ଚାରିଟେବଲ ଟ୍ରଷ୍ଟ, ଯେଉଁଥିରେ ଲୋକମାନେ ସ୍ୱଇଚ୍ଛାରେ ଦାନ ଦେଇଥାନ୍ତି । ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ଭଳି ସରକାରୀ ଫଣ୍ଡ ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ।
Comments ସମସ୍ତ ମତାମତ