ମୁଖ୍ୟ ଖବର
ନୂଆଦିଲ୍ଲୀ; ଦେଶର ଭବିଷ୍ୟତ ସେତେବେଳେ ଉଜ୍ଜ୍ୱଳ ହୁଏ ଯେବେ ଛୋଟ ହାତ ସାହସ, ବଡ଼ ସ୍ୱପ୍ନ ଏବଂ ବଡ଼ ସଂକଳ୍ପକୁ ଧରି ଆଗକୁ ବଢନ୍ତି । ବୀର ବାଲ୍ ଦିବସ ୨୦୨୫ରେ, ଭାରତ ଏପରି ପିଲାମାନଙ୍କୁ ଅଦମ୍ୟ ମନୋଭାବ ସହିତ ସଲାମ କରୁଛି । ବୟସରେ ଛୋଟ ହୋଇପାରନ୍ତି, କିନ୍ତୁ ସାହସ, ନବସୃଜନ, ପ୍ରତିଭା ଏବଂ ସେବା ମନୋଭାବରେ ନାୟକଙ୍କଠାରୁ କମ୍ ନୁହଁନ୍ତି ସେମାନଙ୍କୁ ସମ୍ମାନିତ କରାଯାଇଛି । କ୍ରୀଡ଼ା କ୍ଷେତ୍ରରେ ଅଦ୍ଭୂତ ପ୍ରଦର୍ଶନ ପାଇଁ ବିହାରର ୧୪ ବର୍ଷୀୟ ବୈଭବ ସୂର୍ୟ୍ୟବଂଶୀଙ୍କୁ ପିଏମ୍ ବାଲ୍ ପୁରସ୍କାର ମିଳିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରୁ ସମ୍ମାନିତ ହୋଇଛନ୍ତି ବୈଭବ ସୂର୍ୟ୍ୟବଂଶୀ ।
ଭାରତର ଯୁବ ତଥା ଆଇପିଏଲର ସବୁଠାରୁ କମ ବୟସର କ୍ରିକେଟର ବୈଭବ ସୂର୍ୟ୍ୟବଂଶୀ ନୂଆ ନୂଆ ସଫଳତା ହାସଲ କରୁଛନ୍ତି । ମାତ୍ର ୧୪ ବର୍ଷ ବୟସରେ, ବୈଭବ କ୍ରିକେଟ ଜଗତରେ ଝଡ଼ ସୃଷ୍ଟି କରି ଅନେକ ରେକର୍ଡ ସ୍ଥାପନ କରିଛନ୍ତି । ପିଚ୍ରେ ତାଙ୍କର ଉଲ୍ଲେଖନୀୟ ସଫଳତାକୁ ଭାରତ ସରକାର ସ୍ୱୀକୃତି ଦେଇଛନ୍ତି । ବୈଭବ ସୂର୍ୟ୍ୟବଂଶୀଙ୍କୁ ଦେଶର ସର୍ବୋଚ୍ଚ ଶିଶୁ ପୁରସ୍କାର, ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ସମ୍ମାନରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ସ୍ୱତନ୍ତ୍ର ଉତ୍ସବରେ ବୈଭବଙ୍କୁ ସମ୍ମାନିତ କରିଛନ୍ତି । ବିହାର ବିଜୟ ହଜାରେ ଟ୍ରଫିରେ ତା’ର ଦ୍ୱିତୀୟ ମ୍ୟାଚ୍ ପାଇଁ ପଡ଼ିଆକୁ ଓହ୍ଲାଇଥିଲା, ଦଳର ସୁପରଷ୍ଟାର ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ୟ୍ୟବଂଶୀ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଉପସ୍ଥିତ ଥିଲେ ।
ଚଳିତ ବର୍ଷ, ୧୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୨୦ ଜଣ ପିଲାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ପିଲାମାନଙ୍କ ମଧ୍ୟରୁ ୨ ଜଣଙ୍କୁ ମରଣୋତ୍ତର ସମ୍ମାନରେ ସମ୍ମାନିତ କରାଯାଇଛି । ତାମିଲନାଡୁର ବ୍ୟୋମା ପ୍ରିୟା ଏବଂ ବିହାରର କମଲେଶ କୁମାରଙ୍କୁ ମରଣୋତ୍ତର ସମ୍ମାନ ଦିଆଯାଇଛି । ସେମାନଙ୍କ ପିତାମାତା ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଗୁରୁ ଗୋବିନ୍ଦ ସିଂହଙ୍କୁ ମନେ ପକାଇ ବୀର ବାଲ୍ ଦିବସ ପାଳନ କରାଯାଏ । ଆଜି ବିଜ୍ଞାନ ଭବନ ମଞ୍ଚରେ ଜଣେ ପରେ ଜଣେ ଶିଶୁ ସମ୍ମାନିତ ହୋଇଥିଲେ ପୁରା ଦେଶ ତାଙ୍କୁ ନେଇ ଗର୍ବିତ ହୋଇଥିଲା । କାରଣ ଏହା କେବଳ ପୁରସ୍କାର ନୁହେଁ ବରଂ ଭାରତର ଉଜ୍ଜଳ ଭବିଷ୍ୟତର ଝଲକ ଥିଲା ।
Comments ସମସ୍ତ ମତାମତ