Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଯୁକ୍ତ୨ ପରୀକ୍ଷା: ଆଜିଠୁ ପଠାଯିବ ପ୍ରଶ୍ନପତ୍ର

    Share on :
    ajab-Image
    Date: Feb 13, 2026    Views: 2726

    ଭୁବନେଶ୍ବର: ଫେବ୍ରୁଆରି ୧୮ରୁ ଯୁକ୍ତ୨ ଥିଓରି ପରୀକ୍ଷା। ତେଣୁ ଶୁକ୍ରବାର ଠାରୁ ଫେବ୍ରୁଆରି ୧୬ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୪ରୁ ୬ ଯାଏଁ ଦ୍ବିତୀୟ ପର୍ଯ୍ୟାୟରେ ‘ପରୀକ୍ଷା ପରିଚାଳନା ହବ୍‌’(ଇଏମ୍‌ଏଚ୍‌)ଗୁଡ଼ିକୁ ପ୍ରଶ୍ନପତ୍ର ସମେତ ଅନ୍ୟାନ୍ୟ ଜରୁରି କାଗଜପତ୍ର ପଠାଯିବ। ହବ୍‌ଗୁଡ଼ିକର ସୁରକ୍ଷା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରିଷଦ ପକ୍ଷରୁ ସମସ୍ତ ହବ୍‌ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶୁକ୍ରବାର ଦୂରଦୂରାନ୍ତ ଜିଲ୍ଲାଗୁଡ଼ିକୁ ପ୍ରଶ୍ନପତ୍ର ପଠାଯିବ। ତେଣୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପ୍ୟାକେଟ୍‌ ପରିବହନ ସମୟରେ ଜଣେ ବନ୍ଧୁକଧାରୀ ପୁଲିସ ଗାଡ଼ିରେ ରହିବେ। ଏଥର  ଯୁକ୍ତ୨ରେ ୧୩୫୭ଟି ପରୀକ୍ଷାକେନ୍ଦ୍ରରେ ୪ଲକ୍ଷ ୧ହଜାର ୬୩୨ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଚଳିତବର୍ଷ ଯୁକ୍ତ୨ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଓ ସବ୍‌-ଟ୍ରେଜେରିକୁ ୨୧୧ଟି ହବ୍‌ ଭାବେ ଚିହ୍ନଟ କରାଯାଇଛି। କଲେଜ ଅଧ୍ୟକ୍ଷମାନେ ମୁଖ୍ୟତଃ ହବ୍‌ ସୁପରଭାଇଜର ଭାବେ ନିଯୁକ୍ତ ହୋଇଛନ୍ତି।
    ଯେଉଁଠାରେ ଅଧ୍ୟକ୍ଷ ଦାୟିତ୍ବରେ ନାହାନ୍ତି, ସେଠାରେ ଶିକ୍ଷାନୁଷ୍ଠାନର ବରିଷ୍ଠ ଅଧ୍ୟାପକଙ୍କୁ ସୁପରଭାଇଜର ଦାୟିତ୍ବରେ ରଖାଯାଇଛି। ସୁପରଭାଇଜରଙ୍କ ବ୍ୟତୀତ ଇଏମ୍‌ଏଚ୍‌ରେ ଡେପୁଟି ସୁପରଭାଇଜର, ଇଏମ୍‌ଏଚ୍‌ ସହାୟକ, ଜଣେ ଲେଖାଏଁ ଅଧିକାରୀ ଓ ନାଇଟ୍‌ ୱାଚ୍‌ମ୍ୟାନ୍‌ ହବ୍‌ ଦାୟିତ୍ବରେ ରହିଛନ୍ତି। ଷ୍ଟ୍ରଙ୍ଗ୍‌ରୁମ୍‌ରେ ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା ସହ ପୁଲିସ ପହରା ବ୍ୟବସ୍ଥା କରାଯିବ। ପ୍ରଶ୍ନପତ୍ର ଗ୍ରହଣ କରିବା ଦିନଠାରୁ ହିଁ ହବ୍‌ଗୁଡ଼ିକ କାର୍ଯ୍ୟକ୍ଷମ ହେବ। କୌଣସି ବି ପରିସ୍ଥିତିରେ ହବ୍‌ ସୁପରଭାଇଜର କିମ୍ବା ଡେପୁଟି ସୁପରଭାଇଜର ଷ୍ଟ୍ରଙ୍ଗ୍‌ରୁମ୍‌କୁ ଏକା ଖୋଲି ପ୍ରବେଶ କରିପାରିବେ ନାହିଁ। ସେହିପରି ଉଭୟ ମିଳିତ ଭାବେ ପରିଷଦ କର୍ମଚାରୀଙ୍କଠାରୁ ପ୍ରଶ୍ନପତ୍ର ପ୍ୟାକେଟ୍‌ ଗ୍ରହଣ କରିବେ। ପରିଷଦ କିମ୍ବା ହବ୍‌ସ୍ତରରେ ପ୍ରଶ୍ନପତ୍ର ପ୍ୟାକେଟ୍‌ ଖୋଲାଯାଇପାରିବ ନାହିଁ। ପରୀକ୍ଷା କେନ୍ଦ୍ରଗୁଡ଼ିକୁ କିଭଳି ପ୍ରଶ୍ନପତ୍ର ଯିବ ସୁପରଭାଇଜରମାନେ ରୁଟ୍‌ଚାର୍ଟ ପ୍ରସ୍ତୁତ କରିବେ। ସୁପରିନ୍‌ଟେଣ୍ଡେଣ୍ଟ୍‌ ପ୍ରଶ୍ନପତ୍ର ଗ୍ରହଣ କରିବେ।
    ଷ୍ଟ୍ରଙ୍ଗ୍‌ରୁମ୍‌କୁ ଅସ୍ଥାୟୀ ଟ୍ରେଜର୍‌ ଭାବେ ଘୋଷଣା କରାଯିବ। ପ୍ରତି ହବ୍‌ରେ ଅଧ୍ୟାପକମାନଙ୍କୁ ନେଇ ଗୋଟିଏ ପ୍ୟାନେଲ୍‌ ଗଠନ କରାଯିବ, ଯେଉଁମାନେ କି ଅବ୍‌ଜରଭର୍‌ ଭାବେ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ନେଇ ଯିବେ ଏବଂ ସେଠାରେ ପରୀକ୍ଷା ପରିଚାଳନାର ତଦାରଖ କରିବେ। ହବ୍‌ କେନ୍ଦ୍ର ଲାଗି କୌଣସି ଅବ୍‌ଜରଭର୍‌ ନିଯୁକ୍ତ ହେବେ ନାହିଁ। ବରଂ ଟ୍ୟାଗ୍‌ କଲେଜ ପାଇଁ କେବଳ ଅବ୍‌ଜରଭର କାମ କରିବେ। ପରୀକ୍ଷା ଦିନ ସକାଳ ୮ଟା ୩୦ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ଯେପରି ପ୍ରଶ୍ନପତ୍ର ପହଞ୍ଚିବ ସେଦିଗରେ ହବ୍‌ ସୁପରଭାଇଜର ଗୁରୁତ୍ବ ଦେବେ। କୌଣସି ପରିସ୍ଥିତିରେ ହବ୍‌ର ସିସିଟିଭି କ୍ୟାମେରାରେ ରେକର୍ଡିଂ ବନ୍ଦ ହେବନି ଏବଂ ରାତ୍ରିକାଳୀନ ପାଟ୍ରୋଲିଂ ଉପରେ ସ୍ଥାନୀୟ ପୁଲିସ ଗୁରୁତ୍ବ ଦେବାକୁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook