ମୁଖ୍ୟ ଖବର
ଭୁବନେଶ୍ବର : CHSE ପରିଚାଳିତ +୨ ବର୍ଗର ସମସ୍ତ ପରୀକ୍ଷା ଶନିବାର ଶେଷ ହୋଇଛି । ତେବେ ଆସନ୍ତା ୪୦ରୁ ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା। କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକରେ ୪ଲକ୍ଷରୁ ଊର୍ଦ୍ଧ୍ବ ପିଲା ପରୀକ୍ଷା ଦେଇଥିବାବେଳେ ୫ ହଜାର ପିଲା ଅନୁପସ୍ଥିତ ଥିଲେ। ଏପ୍ରିଲ ୨ରୁ ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ ହେବ । ଖାତା ମୂଲ୍ୟାୟନ ପାଇଁ ୧୫୧ମୂଲ୍ୟାୟନ କେନ୍ଦ୍ର ସହିତ ୧୬ହଜାର ଅଧ୍ୟାପକ ନିୟୋଜିତ ହୋଇଛନ୍ତି ।
ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି ଯେ, ବିଶେଷ କରି ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବ। ମୋଟ୍ ଆକାରରେ ଚଳିତ ବର୍ଷ ଯୁକ୍ତ ୨ରେ ୨୫ଲକ୍ଷ ଖାତା ମୂଲ୍ୟାୟନ ହେବ। ଏପ୍ରିଲ୍ ଶେଷ ସୁଦ୍ଧା ଖାତା ଦେଖା ଶେଷ ହେବା ସହ ମେ’ ମାସରେ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଲକ୍ଷ୍ୟ ରଖାଯାଇଛି ।ଯୁକ୍ତ ଦୁଇ ଖାତା ଉଭୟ ଅଫଲାଇନ ଓ ଅନଲାଇନରେ ଦେଖା ହେବ । ମୂଲ୍ୟାୟନ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ । ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅଧ୍ୟାପକଙ୍କ ପାଇଁ ପାନୀୟ ଜଳଠୁ ଆରମ୍ଭ କରି ସମସ୍ତ ପ୍ରକାର ସୁବିଧା କରାଯିବ ବୋଲି କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ୩ ଲକ୍ଷ ୯୬ ହଜାର ୫୯୨ ଜଣ ଛାତ୍ରଛାତ୍ରୀ ଦେଲେ ପରୀକ୍ଷା । ଫେବ୍ରୁଆରୀ ୧୮ରୁ ଆରମ୍ଭ ହୋଇଥିବା ପରୀକ୍ଷା ଆଜି ଅର୍ଥାତ୍ ମାର୍ଚ୍ଚ ୨୮ ତାରିଖରେ ଶେଷ ହୋଇଛି । ବିଜ୍ଞାନ ପରୀକ୍ଷା ୨୩ରେ ଶେଷ ହୋଇଥିବା ବେଳେ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ୨୫ରେ ଶେଷ ହୋଇଥିଲା । କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି ପରୀକ୍ଷାର୍ଥୀ । ୪ ଲକ୍ଷ ୧୬୨୩ ପରୀକ୍ଷାର୍ଥୀ କରିଥିଲେ ଫର୍ମ ଫିଲ୍ଅପ୍ । ଅନୁପସ୍ଥିତ ରହିଲେ ୫୦୩୧ ଜଣ ପରୀକ୍ଷାର୍ଥୀ ।
Comments ସମସ୍ତ ମତାମତ