ମୁଖ୍ୟ ଖବର
ଭୁବନେଶ୍ଵର: ଜଲିଉଡ୍ ଷ୍ଟାର ପୀୟୂଷ ତ୍ରିପାଠୀଙ୍କୁ ମିଳିଲା କୋର୍ଟ ନୋଟିସ୍। ୧୨ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ। ଏନେଇ ପୀୟୂଷ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମୁଁ କୋର୍ଟରେ ହାଜର ହେବି। ନ୍ୟାୟପାଳିକା ଉପରେ ମୋର ଭରଷା ଅଛି। ଘଟଣା ସେତେ ବଡ଼ ନୁହେଁ, ଯାହା ହେବ ଭଲ ହେବ। ଯେପର୍ଯ୍ୟନ୍ତ ମଞ୍ଚ ନଚଢିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି, ସେପର୍ଯ୍ୟନ୍ତ ଯାତ୍ରା କରିବିନି। କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବି।
ଯାତ୍ରାରୁ ବିଶ୍ରାମ ନେଇଥିବା ଜଲିଉଡ୍ ସୁପରଷ୍ଟାର ପୀୟୁଷ ତ୍ରିପାଠୀ ନୂଆବର୍ଷରେ ମଞ୍ଚ ଚଢିଥିଲେ। ଜାନୁଆରୀ ୫ ତାରିଖରେ ଯାତ୍ରା ସିଂହବାହିନୀର ନାଟକ ‘ତୁ ମୋ ବଜରଙ୍ଗୀ’ରେ ଏଣ୍ଟ୍ରି କରିଥିଲେ। ଏହି ନାଟକ ଏବଂ ପୀୟୂଷଙ୍କ ଅଭିନୟର ଲୋକପ୍ରିୟତା ଲୋକଙ୍କୁ ପାଗଳ କରିଥିଲା ବେଳେ ହଜାର ହଜାର ଦର୍ଶକ ଅନଲାଇନରେ ଆଗୁଆ ଟିକଟ୍ ବୁକ୍ କରିଥିଲେ। ଚଣ୍ଡିଖୋଲରେ ନାଟକଟି ମଞ୍ଚସ୍ଥ ହୋଇଥିଲା ବେଳେ ଏବେ କଟକର ଟାଙ୍ଗୀରେ ନାଟକ ମଞ୍ଚାୟନ ହୋଇଥାନ୍ତା । ହେଲେ ନୂଆବର୍ଷରୁ ପୀୟୂଷ ମଞ୍ଚ ଚଢିବାକୁ ନେଇ ଅପେରା ସୂର୍ଯ୍ୟମନ୍ଦିର ଓ ଯାତ୍ରା ସିଂହବାହିନୀ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଛି। କଳି କୋର୍ଟରେ ପହଞ୍ଚିଥିଲା ବେଳେ ଯାତ୍ରାର ଝମେଲା ଆହୁରି ବଢ଼ିଯାଇଛି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପୀୟୂଷ ମଞ୍ଚକୁ ଚଢ଼ିପାରିବେନି ବୋଲି ଭୁବନେଶ୍ୱର ସିଭିଲ ଜଜ୍ ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ କରିବା ମାମଲାରେ ଅଦାଲତ ଏହି ରୋକ୍ ଲଗାଇଛନ୍ତି। ଆଗାମୀ ଶୁଣାଣି ତାରିଖ ଆସନ୍ତା ୧୨କୁ ଧାର୍ଯ୍ୟ କରାଯାଇଛି।
Comments ସମସ୍ତ ମତାମତ