ମୁଖ୍ୟ ଖବର
ଭୁବନେଶ୍ବର : ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁଁ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଉପରେ ବ୍ୟାପକ କ୍ଷତି ସହୁଥିବାରୁ ଦର ବୃଦ୍ଧି କରୁଛନ୍ତି। ଏହାର ପ୍ରଭାବ ଖାଉଟିଙ୍କ ଉପରେ ପଡ଼ୁଥିବା ବେଳେ କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପାଇଁ ବଡ଼ ଆଶ୍ବସ୍ତି ଆଣିଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ଉପରେ ରପ୍ତାନି ଶୁଳ୍କ ହ୍ରାସ କରିଛନ୍ତି। ପେଟ୍ରୋଲ ରପ୍ତାନି ଉପରେ ଲିଟର ପିଛା ୧ ଟଙ୍କା ୫୦ପଇସା ଶୁଳ୍କ ହ୍ରାସ କରିଥିବା ବେଳେ ଡିଜେଲ ରପ୍ତାନି ଉପରେ ଲିଟର ପିଛା ୧୩ ଟଙ୍କା ୫୦ ପଇସା ଶୁଳ୍କ ହ୍ରାସ ହୋଇଛି। ସେହିପରି ବିମାନ ଇନ୍ଧନ ପାଇଁ ଲିଟର ପିଛା ୯ ଟଙ୍କା ୫୦ ପଇସା ରପ୍ତାନି ଶୁଳ୍କ କମାଇ ଦିଆଯାଇଛି। ଏନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। ଏହି ନୂଆ ନିୟମ ଜୁନ ୧ରୁ ଲାଗୁ ହେବ।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବା ପରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ନୂଆ ନିୟମ ଜୁନ ୧ରୁ ଆସନ୍ତା ୧୫ ଦିନ ପାଇଁ କାର୍ଯ୍ୟକାରୀ ହେବ। ପ୍ରତି ଦୁଇ ସପ୍ତାହରେ ଥରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଉପରେ ସମୀକ୍ଷା କରାଯାଉଛି। ତେବେ କେନ୍ଦ୍ର ସରକାରଙ୍କ ରପ୍ତାନି ଶୁଳ୍କ ହ୍ରାସର କୌଣସି ଫାଇଦା ସିଧାସଳଖ ଭାବେ ଖାଉଟି ପାଇବେ ନାହିଁ। ଅର୍ଥାତ ପେଟ୍ରୋଲ ଓ ଡିଜେଲ ଦର କମିବାର ସମ୍ଭାବନା ନାହିଁ। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ସହୁଥିବା କ୍ଷତି ଲାଘବ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରପ୍ତାନି ଶୁଳ୍କ ହ୍ରାସ କରାଯାଇଛି। ତେବେ କ୍ରମାଗତ ଭାବେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ଯେଉଁଭଳି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରୁଥିଲେ ବର୍ତ୍ତମାନ ସମୟ ପାଇଁ ଆଉ ଦର ବୃଦ୍ଧି କରି ନ ପାରନ୍ତି ବୋଲି କୁହାଯାଉଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ହେତୁ ଭାରତରେ ପେଟ୍ରୋଲ ଓ ଡିଜେଲ ଏବଂ ବିମାନ ଇନ୍ଧନ ଦର ବୃଦ୍ଧି ପାଇବାରେ ଲାଗିଛି। ମେ’ ୧୫ରୁ ୨୫ ମଧ୍ୟରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ୪ଥର ପେଟ୍ରୋଲ, ଡିଜେଲ ଏବଂ ସିଏନ୍ଜି ଦର ବୃଦ୍ଧି କଲେଣି। ଏହାର ପ୍ରଭାବ ସିଧାସଳଖ ଭାବେ ଖାଉଟିଙ୍କ ଉପରେ ପଡ଼ୁଛି। ପରିବହନ ଖର୍ଚ୍ଚ ବଢ଼ିବା ହେତୁ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ପାଉଛି।
Comments ସମସ୍ତ ମତାମତ